ପୁରୀ: ମାର୍ଗଶିର ଶୁକ୍ଳ ପଞ୍ଚମୀ ରାତିରେ ଶ୍ରୀଜଗନ୍ନାଥ ସବୁ ଦିନ ପରି ପାରମ୍ପରିକ ଗୀତଗୋବିନ୍ଦ ଖଣ୍ଡିଆ ନ ପିନ୍ଧି ଖୁବ୍ ପତଳା ଝୀନ ବସ୍ତ୍ର ପିନ୍ଧନ୍ତି। ଏହାର ତାତ୍ପର୍ଯ୍ୟ ହେଉଛି, ସେ ଶୀତର ପ୍ରକୋପକୁ ଅସ୍ୱୀକାର କରନ୍ତି। କଥିତ ଅଛି ଯେ ଏହା ଫଳରେ ଶୀତ ଡରିଯାଇ ତାଙ୍କର ଶରଣରେ ପଶେ ଏବଂ କହେ- ମୋର ସ୍ରଷ୍ଟା ଆପଣ ଆପଣ ଯଦି ମୋତେ ଅସ୍ୱୀକାର କରିବେ, ଅନ୍ୟମାନେ ସ୍ୱୀକାର କରିବେ କାହିଁକି ? ସେଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ବୀକାର କରନ୍ତି ଏବଂ ଓଢ଼ଣ ଷଷ୍ଠୀ ଠାରୁ ଗଡ଼ା (ସୁତାବସ୍ତ୍ର) , ଖଣ୍ଡୁଆ ପାଟ, ମଖମଲି ଘୋଡ଼ବସ୍ତ୍ର, ଶିରାବରଣ (ମଫଲର) ଓ ଟୋପର ଆଦି ପିନ୍ଧନ୍ତି।
କିନ୍ତୁ ଏ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ । ସେହିସବୁ ବସ୍ତ୍ର ତାଙ୍କୁ ପରିଧାନ କରାଯିବାବେଳେ ଆଚ୍ଛାଦନ ମନ୍ତ୍ରରେ କୁହାଯାଏ । ହେ ବସ୍ତ୍ର ! ଭଗବାନ ବିଷ୍ଣୁ ନିଜର ତେଜ ଦ୍ବାରା ଅଖିଳ ଜଗତକୁ ଆବରଣ କରି ରଖିଥିଲେ ହେଁ, ତୁମ୍ଭେ ସେହି ଜଗପତି ଭଗବାନଙ୍କର ଆଚ୍ଛାଦକ ହୁଅ ! ଏହାର ତାତ୍ପର୍ଯ୍ୟ ହେଉଛି- ଭଗବାନ ନିଜେ ଶୀତକୁ ସ୍ୱୀକାର କରୁଥିବାରୁ, ଆମେ ମଧ୍ୟ ଶୀତକୁ ସ୍ୱୀକାର କରିବା ନିଜର ସୁରକ୍ଷା ପାଇଁ ଶୀତବସ୍ତ୍ର ପରିଧାନ କରିବା ।
ବିଧି ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।
ଯଥା :-ରବି ବାର- ଲାଲ ରଙ୍ଗ, ସୋମବାର- କଳାଛିଟା ମିଶା ଶୁକ୍ଟରଙ୍ଗ, ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା), ବୁଧବାର- ନୀଳରଙ୍ଗ, ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ, ଶୁକ୍ରବାର- ଶୁକ୍ଳ ରଙ୍ଗ ଓ ଶନିବାର – କଳାରଙ୍ଗ
Comments are closed.