କୋଲକତା: ଶନିବାର ଦିନ ସୋନାପୁରରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ଉପରେ ଆକ୍ରମଣ ହୋଇଛି । ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ବିଜେପି ସଦସ୍ୟମାନେ କରିଥିବା ଜଣାପଡିଛି । ସେ କହିଛନ୍ତି, ” ଆକ୍ରମଣକାରୀମାନେ ମୋତେ ହତ୍ୟା କରିବାକୁ ଚାହୁଁଥିଲେ । ସମଗ୍ର ଘଟଣା କ୍ୟାମେରାରେ କଏଦ ହୋଇଛି । ମୁଁ ଏ ବିଷୟରେ ହାଇକୋର୍ଟ ଯିବୁ । ମୁଁ ରାଜ୍ୟପାଳଙ୍କୁ ମଧ୍ୟ ଏ ବିଷୟରେ ଜଣାଇବି । ଏହା ସବୁ ବିଜେପି ପ୍ରାୟୋଜିତ । ଦେଖନ୍ତୁ ସେମାନେ କ’ଣ କରିଛନ୍ତି; ଏହା ସେମାନଙ୍କର ଗଣତନ୍ତ୍ରର ଏକ ଉଦାହରଣ । ଏବେ ଗୋଟିଏ ମାସ ମଧ୍ୟ ବିତିନାହିଁ ଏବଂ ପୋଲିସ କୌଣସି ସ୍ଥାନରେ ଦେଖାଯାଉନାହିଁ।”
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ, “ମୋ ମୁଣ୍ଡ କୌଣସି ପ୍ରକାରେ ବଞ୍ଚିଗଲା । ସୌଭାଗ୍ୟବଶତଃ, ମୁଁ ହେଲମେଟ୍ ପିନ୍ଧିଥିଲି । ସେମାନେ ମୋର ପୋଷାକ ଚିରିଦେଲେ ଏବଂ ମୋ ଚଷମା ଭାଙ୍ଗିଦେଲେ ।” ବାନାର୍ଜୀ କହିଥିଲେ, “ଘଟଣାସ୍ଥଳରେ କୌଣସି ପୋଲିସ କର୍ମଚାରୀ ନଥିଲେ; ସେମାନେ ଆମକୁ ମାରିବାକୁ ଚାହୁଁଛନ୍ତି । ସେମାନଙ୍କୁ ଏହା କରିବାକୁ ଦିଅ, ମୋର ମୃତଦେହ ଏଠାରେ ମିଳିପାରେ, କିନ୍ତୁ ମୁଁ ଏହି ଅଞ୍ଚଳ ଛାଡିବି ନାହିଁ ।” ସେ ଆହୁରି ମଧ୍ୟ କହିଥିଲେ, “ଯେପର୍ଯ୍ୟନ୍ତ ଅଧିକ ଫୋର୍ସ ନ ଆସିବେ ସେପର୍ଯ୍ୟନ୍ତ ମୁଁ ସଞ୍ଜୁଙ୍କ ବୃଦ୍ଧ ପିତାମାତାଙ୍କୁ ଏହି ଅବସ୍ଥାରେ ଛାଡିବି ନାହିଁ। ମୁଁ ପୁଣି ଥରେ ମୋର ପ୍ରତିନିଧିମାନଙ୍କୁ ପୋଲିସ ସହିତ ଯୋଗାଯୋଗ କରିବାକୁ କହିବି।”
ସୂଚନା ଅନୁଯାୟୀ ଅଭିଷେକ ବାନାର୍ଜୀ ସୋନାରପୁର ଅଞ୍ଚଳରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଲୋକେ ସେଠାରେ ଏକାଠି ହୋଇଥିଲେ । ରାଜ୍ୟରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗକୁ ନେଇ ଉତ୍ତ୍ୟକ୍ତ ଲୋକେ ଚୋର ଚୋର ସ୍ଲୋଗାନ ଦେଇଥିଲେ । ପରିସ୍ଥିତି ଏପରି ହେଲା ଯେ କିଛି ଲୋକ ନେତାଙ୍କ କନଭୟ ଉପରକୁ ଅଣ୍ଡା ଏବଂ ଢେଲା ଆଦି ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ସହ ଅଭିଷେକଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରି ନେଇଥିଲେ ।

Comments are closed.