Latest Odisha News

ନବୀନଙ୍କୁ ଖୋଜୁଛନ୍ତି ନୀତିଶ!

ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଥୋପ ଦେଖେଇଲା ଜେଡିୟୁ

ନୂଆଦିଲ୍ଲୀ: ନବୀନଙ୍କୁ ଥୋପ୍ ଦେଖାଇଲା ଜେଡିୟୁ। ନିରପେକ୍ଷତା ଛାଡି ଜନତା ପରିବାରରେ ସାମିଲ ହେବାକୁ ବିଜେଡି ସୁପ୍ରିମୋଙ୍କୁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ବ୍ୟକ୍ତି ତଥା ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ଏହି ଅପିଲ୍ କରିଛନ୍ତି। ଯଦି ନବୀନ ସାମିଲ ହେବେ ତାହେଲେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ନେଇ ବିଜେଡିର ଯେଉଁ ଦାବି ରହିଛି ତାକୁ ସମର୍ଥନ କରିବେ ନୀତିଶ। ଏପରି ଏକ ବୟାନ ଦେଇଛନ୍ତି ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ।

ରାଜ୍ୟରେ ଉପନିର୍ବାଚନ ବେଳେ ଶାସକ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଜେଡିୟୁର ଏପରି ଏକ ଅଫର ନବୀନ ପ୍ରତ୍ୟାଖ୍ୟାନ କରିବେ ନା ସମଦୂରତା ଭାବମୂର୍ତ୍ତି ବଜାଇ ରଖିବେ ତାହା ଏବେ ପ୍ରଶ୍ନ ଘେରରେ।

କେ.ସି ତ୍ୟାଗୀ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନିରପେକ୍ଷତା’ ଶେଷ କରି ବୃହତ୍ତର ଜନତା ପରିବାର ସହ ମିଶି ଦେଶର ନେତୃତ୍ୱ ନେବାର ସମୟ ଆସିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରି ତ୍ୟାଗୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବିକଳ୍ପ ଗଠନ ପାଇଁ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦ୍ୟମକୁ ବିଜେଡି ହାତ ବଢ଼ାଇବା ଉଚିତ।

ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ସାମାଜିକ ନ୍ୟାୟ ପାଇଁ ବେଶ୍ ଜଣାଶୁଣା ଏବଂ ୨୦୨୪ ମସିହା ପାଇଁ ନୀତିଶ କୁମାରଙ୍କ ମିଶନରେ ସାମିଲ ହେବା ଉଚିତ।

ତ୍ୟାଗୀ କହିଛନ୍ତି, “ନବୀନ-ବାବୁ ପରିସ୍ଥିତିକୁ ବୁଝିବା ସହ ସମାଜବାଦୀ ଶକ୍ତି ସହ ହାତ ମିଳାଇ ତାଙ୍କ ବାପା ବିଜୁବାବୁଙ୍କ ପୁରୁଣା ବନ୍ଧୁଙ୍କ ସହ ମିଶି ନୂଆ ଭାରତ ଗଠନ କରନ୍ତୁ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବିକଳ୍ପ ପ୍ରଦାନ କରିବା ପାଇଁ ସମଭାବାପନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକତା ସ୍ଥାପନ କରିବା ପାଇଁ ନୀତିଶ କୁମାରଙ୍କ ଉଦ୍ୟମରେ ବିଜେଡି ମଧ୍ୟ ହାତ ଦେବା ଉଚିତ ବୋଲି ସେ କହିଛନ୍ତି।

ଆରଜେଡି, ଏସପି ଏବଂ ସିପିଆଇଏମଏଲ(ଏଲ୍)ର ନେତାଙ୍କ ସହ ସୋମବାର ଏକ ବୈଠକ ବସିଥିଲା। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ୟାଗୀ ଏପରି କିଛି କହିଛନ୍ତି।

ବିରୋଧୀ ଦଳରେ ଥିବା ଅନ୍ୟାନ୍ୟ ଦଳର ନେତା ମମତା ବାନାର୍ଜୀ, କେସିଆର- ଯେଉଁମାନେ ଅଣ-କଂଗ୍ରସ ଓ ଅଣ-ବିଜେପି ବିକଳ୍ପ କଥା କହୁଛନ୍ତି, ସେମାନେ ବୁଝିବା ଦରକାର ଯେ ବିଜେପିକୁ ହରାଇବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। କଂଗ୍ରେସ ବିନା ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.