Latest Odisha News

BREAKING NEWS

‘ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇଛି’

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦ ସାହୁ କେବଳ ଜଣେ ଅଭିଯୁକ୍ତ ନୁହଁନ୍ତି । ଅନେକ ବଡ ବଡ ନେତା ଏଥିରେ ସଂପୃକ୍ତ ଅଛନ୍ତି । ଏମାନଙ୍କୁ କ୍ଲିନ ଚିଟ ଦେବା ପାଇଁ ଗୋବିନ୍ଦଙ୍କ ଆତ୍ମହତ୍ୟା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ।  ବିଜେପି, କଂଗ୍ରେସ ସମସ୍ତେ  ଗୋଟିଏ ସ୍ୱରରେ ପ୍ରଶ୍ନ କରିଛନ୍ତି, ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କଲେ କେମିତି ? ଏପରି କରିବା ଅସମ୍ଭବ । ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଉଭୟେ କଂଗ୍ରେସ ଓ ବିଜେପି ନେତା ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ଥିବା ମମିତା ମେହେର ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇ ଉଠିଥିଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କର ସହଯୋଗୀ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ମମିତା ମେହେରଙ୍କୁ ଘରୁ ଡାକି ନେଇ  ହତ୍ୟା କରିବା ପରେ ପୋଡି ପୋତି ଦେଇଥିବା ତଦନ୍ତରୁ ଜଣା ପଡ଼ିଥିଲା । ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ କରି କଣ୍ଟବାଞ୍ଜି ଜେଲରେ ରଖିଥିଲା ।

ଏହି ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କଠାରୁ ଆରମ୍ଭ କରି ଅନେକ ବଡ ବଡ ନେତା  ସଂପୃକ୍ତ ଥିଲେ । ଏହାକୁ ନେଇ ସେତେବେଳେ ରାଜନୀତି ପଡୁଥିଲା ଉଠୁଥିଲା । ବିରୋଧୀଙ୍କ ହଟ୍ଟଗୋଳରେ ରାଜ୍ୟ କମ୍ପୁଥିଲା । ସମୟକ୍ରମେ ଏହି ସ୍ୱର ବି ଧୀମା ପଡି ଯାଇଥିଲା । ଗୋବିନ୍ଦଙ୍କ ଗିରଫଦାରୀ ପରେ ପ୍ରଶାସନ ଚୁପ ବସି ଯାଇଥିଲା ।

ଆଜି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରା ଯାଇଥାନ୍ତା । ହେଲେ ତା ପୂର୍ବରୁ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ରୋଷ ଘର ନିକଟରେ ଏକ ଛୋଟ ଗଛରେ ଟାୱେଲକୁ ବେକରେ ବାନ୍ଧି ଝୁଲି ପଡି ଆତ୍ମହତ୍ୟା କରିଛନ୍ତି  । ତେବେ ଜେଲ ପରିସରରେ ପୁଣି ଏପରି ଏକ ଛୋଟ ଗଛରେ   ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହଛି ।  ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ।

ଅନ୍ୟପକ୍ଷେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ମମିତା ମେହର ହତ୍ୟାକାଣ୍ଡରରେ ଅଭିଯୁକ୍ତ ବଡ ବଡ ନେତାଙ୍କୁ ଖସାଇବା ପାଇଁ ଗୋବିନ୍ଦଙ୍କ ଆତ୍ମହତ୍ୟା ଏକ ଷଡଯନ୍ତ୍ର । ଗୋବିନ୍ଦ ଥିଲେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ତାଙ୍କ ପାଖରେ ଥିଲା ଏହି ଘଟଣାର ସବୁ ଗୁମର । ଏହି ଗୁମର ଖୋଲିଥିଲେ ଅନେକ ସରକାରୀ ନେତାଙ୍କ ମୁଖା ଖୋଲି ଯାଇଥାନ୍ତା । ତେଣୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଗଲା । ଏହା ପରେ ସରକାର ଖାତାରୁ ମମିତା ମେହେର ହତ୍ୟା ଘଟଣା ପୋଛି ହୋଇଯିବ ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ ।

 

Comments are closed.