Latest Odisha News

BREAKING NEWS

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ।

ଫୁଲବାଣୀର ତାପମାତ୍ରା ୭.୫ ଡିଗ୍ରୀ, ସେମିଳିଗୁଡ଼ା ୮ ଡିଗ୍ରୀ, ଚିପିଲିମା ୧୦ ଡିଗ୍ରୀ, କେନ୍ଦୁଝର ୮.୪ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ, କିରେଇ ୯ ଡିଗ୍ରୀ, ଝାରସୁଗୁଡ଼ା ୯.୬ ଡିଗ୍ରୀ, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ରହିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨ ଦିନ ଯାଏ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ ରାଜ୍ୟକୁ ଉତ୍ତରା ପବନ ପ୍ରବେଶ ଜାରି ରହିବା ସହ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

୨ ଦିନ ପରେ ଏହି ଗୁରୁଚାପ ବଳୟ ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ  ଉତ୍ତରା ପବନ କମିବା ସହ ସାମୁଦ୍ରିକ ବାୟୁର ସାମାନ୍ୟ ପ୍ରଭାବ ବୃଦ୍ଧି ପାଇପାରେ । ଫଳରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇପାରେ ।

ଆଗାମୀ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ୨୧ ତାରିଖରେ କୁହୁଡ଼ି ଅନୁଭୂତ ହେବ । ସେହିଭଳି ୨୨ ତାରିଖରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ର ଜିଲ୍ଲାରେ କୁହୁଡ଼ି ଦେଖାଯିବ ।

Leave A Reply

Your email address will not be published.