Latest Odisha News

BREAKING NEWS

ବରଗଡ଼ ଧନୁଯାତ୍ରା ଓ କଳାକୁଞ୍ଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ପ୍ରାଚୀନ ସମ୍ବଲପୁର ଜିଲ୍ଲାର ଇତିହାସ ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ବେଶ ଚଳଚଞ୍ଚଳ ରହି ଆସିଥିଲା । ଇତିହାସ କହେ ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ସବୁ ଅଞ୍ଚଳ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ ଥିଲା । ତତ୍ ପରାନ୍ତ ଏହି ଅଞ୍ଚଳ ଅନେକ ରାଜାଙ୍କ ସାମ୍ଭ୍ରାଜ୍ୟରେ ମିଶି ଭିନ୍ନ ଭିନ୍ନ ଶାସନ ଅଧୀନରେ ରହିଥିଲା । ଶେଷକୁ ୧୮୦୪ ମସିହାରେ ବ୍ରିଟିଶ ଶାସନାଧୀନ ହୋଇଥିଲା । ସେତେବେଳେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ କେତେକ ବିଂଝାଲ ରାଜା ଓ ଜମିଦାରଙ୍କ ଅଧୀନରେ କରଦ ରାଜ୍ୟ ଭାବରେ ଶାସିତ ହୋଇ ଆସୁଥିଲା । ପରିଶେଷରେ ୧୮୧୭ ମସିହାରେ ସଂପୂର୍ଣ୍ଣ ରୂପରେ ଜମିଦାରୀ ଉଚ୍ଛେଦ ହେଇ ବ୍ରିଟିଶ ଶାସନାଧୀନ ହେଲା । ଭାରତ ସ୍ୱାଧୀନ ହେବା ପରେ ଏହା ଓଡ଼ିଶାର ଏକ ବୃହତ୍ ଜିଲ୍ଲା ଭାବରେ ଥିଲା । ଶାସନ ସୁବିଧା ପାଇଁ ୩୧ ମାର୍ଚ୍ଚ ୧୯୯୩ରେ ଏହାକୁ ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏହିପରି ୪ଟି ଜିଲ୍ଲାରେ ବିଭକ୍ତ କରାଯାଇଥିଲା ।

ବରଗଡ଼ ସୀମାନ୍ତ ଜିଲ୍ଲା ମାନକଙ୍କ ଠାରୁ ଅନ୍ୟତମ । ଏଠାକୁ ବେଶୀ ଛତଶଗଡ଼ର ପର୍ଯୟଟକମାନେ ଆସନ୍ତି । ବରଗଡ଼ ଜିଲ୍ଲା ପୁରାତନ କଳା ସଂସ୍କୃତି ଓ ଅଭିନବ ଜ୍ଞାନ କୌଶଳକୁ ବାନ୍ଧି ରଖିଛି । ଐତିହାସିକଙ୍କ ମତରେ ୧୧୦୦ ଶତାବ୍ଦୀରେ “ବାଘର୍ କୋଟ୍” କାଳକ୍ରମେ ପରିବର୍ତ୍ତିତ ହୋଇ “ବରଗଡ଼”ରେ ପରିଣତ ହୋଇଛି । ଚୌହାନ ବଂଶର ଶେଷ ରାଜା ବଳରାମ ଦେବ ବରଗଡ଼ ଠାରେ ଦୂର୍ଗ ସେ ସ୍ଥାପନ କରିଥିଲେ ।

ବରଗଡ ଧନୁଯାତ୍ରା ପାଇଁ ବିଶ୍ୱ ପ୍ରସିଦ୍ଧ ଲାଭ କରିଛି । ଧନୁଯାତ୍ରା ପାଇଁ ଯାତ୍ରା କମିଟି ସମେତ ସମସ୍ତ କମିଟି ଉପକମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି କରାଯାଇଥାଏ । ସେ ସମୟରେ ସମଗ୍ର ବରଗଡ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠେ । ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି । କଳା, ସଂସ୍କୃତି, ପରମ୍ପରା, ନୃତ୍ୟ, ଗୀତ, ସଂଗୀତ ଆଦି ସମାରୋହ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗରୁ ଉନ୍ମୋଚିତ ହୋଇଥାଏ ।

ପୌରାଣିକ ସାହିତ୍ୟ ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ କୃଷ୍ଣ ଚରିତ କୃତି ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି ‘ଧନୁଯାତ୍ରା’। ଏହି ନାମକରଣ କରାଯିବାର ପ୍ରମୁଖ କାରଣ ରହିଛି । ଧନୁକୁ ନେଇ ନାଟକ, ଅଥଚ ଧନୁ ନାଟକ ନ ହୋଇ ‘ଧନୁଯାତ୍ରା’ର ନାମକରଣ କରାଯିବାର କାରଣ ରହିଛି । ସାଧାରଣତଃ ଓଡ଼ିଶାରେ ଯାତ୍ରା କହିଲେ ଲୋକେ ଦୁଇଟି କଥାକୁ ବେଶ ବୁଝିଥାନ୍ତି । ଗୋଟିଏ ହେଉଛି ଅପେରା ବା ଯାତ୍ରା ନାଟକ । ଅନ୍ୟଟି କୌଣସି ଧର୍ମୀୟ ଉତ୍ସବରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଲୋକଙ୍କ ଯିବା ଆସିବାଟା ହେଉଛି ଯାତ୍ରା । ବରଗଡ଼ ଧନୁଯାତ୍ରା ହେଉଛି ଏ ଦୁଇଟିର ଏକ ସମନ୍ୱିତ ରୂପ । ସେଥିପାଇଁ ଏହାକୁ ଧନୁଯାତ୍ରା ବା ଧନୁତ୍ସୋବର ମହାନ୍ ପରମ୍ପରା କୁହାଯାଏ ।

ଅନ୍ୟ ପକ୍ଷରେ ଧନୁକୁ ନେଇ ହିଁ ‘ଧନୁଯାତ୍ରା’ର ନାମକରଣ । ପୁରାଣରେ ଅନେକ ଧନୁର ବର୍ଣ୍ଣନା ରହିଛି । ଶ୍ରୀକୃଷ୍ଣଙ୍କ ସାରଙ୍ଗଧନୁ, ଶ୍ରୀରାମଙ୍କ କୋଦଣ୍ଡ ଧନୁ, ଅର୍ଜୁନଙ୍କ ଗାଣ୍ଡିବଧନୁ, ଶଙ୍କରଙ୍କ ପିନାକ ଧନୁ… ଏପରି ଧନୁମାନଙ୍କୁ ନେଇ ବିଭିନ୍ନ ପୁରାଣରେ ଅନେକ ବର୍ଣ୍ଣନା ରହିଛି । ଧନୁ ହେଉଛି ବୀରତ୍ଵର ପ୍ରତୀକ । କଂସାସୁର ଶିବଧନୁର ଶକ୍ତିରେ ଥିଲା ବଳୀୟାନ । ଭଗବାନ ଶ୍ରୀକୃଷ୍ଣ ସେ ଧନୁକୁ ଭାଙ୍ଗିଦେବା ପରେ କଂସ ଶକ୍ତିହୀନ ହୋଇପଡ଼େ, ପରିଶେଷରେ ନିଷ୍ପ୍ରଭ ହୋଇଯାଏ ।

ବରଗଡ଼ ଧନୁଯାତ୍ରାର ନାମକରଣ ନେଇ ଅନେକ ପ୍ରଶ୍ନ ଉଠିଥାଏ । ପୌଷମାସରେ ଧନୁସଂକ୍ରାନ୍ତି ପଡ଼ିଥାଏ । ଏଥିସହିତ ପଶ୍ଚିମ-ଓଡ଼ିଶା ର କୃଷିଭିତ୍ତିକ ଗଣପର୍ବ ‘ପୁଷ୍‌ପୁନି’ ଏଇ ମାସରେ ପାଳିତ ହୋଇଥାଏ । ବୋଧହୁଏ ଧନୁସଂକ୍ରାନ୍ତିରୁ ଧନୁକୁ ନେଇ ‘ପୁଷ୍‌ପୁନି’ ଦିନ ହିଁ କଂସର ମୃତ୍ୟୁ ଦିବସକୁ ସ୍ଥିର କରାଯାଇ ଉତ୍ସବକୁ ବେଶ୍ ଉତ୍ସାହପ୍ରଦ କରାଯିବା ପାଇଁ ଯାତ୍ରାର ନାମ ‘ଧନୁଯାତ୍ରା’ ରହିଛି ।

ପୁଣି ଯେ କୌଣସି ଧର୍ମୀୟ ଉତ୍ସବରେ ଦେବାଦେବୀଙ୍କ ମୂର୍ତ୍ତି, ପ୍ରତୀକ କିମ୍ବା ବରୁଆଙ୍କୁ ନେଇ ଯାତ୍ରା ହୋଇଥାଏ । ଅଥଚ ବରଗଡ଼ ଧନୁଯାତ୍ରାରେ କଳାକାରମାନେ ହିଁ ବିଭିନ୍ନ ଦେବାଦେବୀ ଓ ଅନ୍ୟାନ୍ୟ ପୌରାଣିକ ଚରିତ୍ରରେ ଅଭିନୟ କରିଥାନ୍ତି । ଦର୍ଶକମାନେ ଧନୁଯାତ୍ରାର ଗୋଟିଏ ରଙ୍ଗମଞ୍ଚରୁ ଅନ୍ୟ ଏକ ରଙ୍ଗମଞ୍ଚକୁ ଯାଆସ କରି ଭିନ୍ନ ଭିନ୍ନ ଦୃଶ୍ୟ ଦେଖିଥାନ୍ତି । ଏଇ ଦୃଷ୍ଟିକୋଣରୁ ବରଗଡ଼ ଧନୁଯାତ୍ରାକୁ ଏକ ‘ଚଳମାନ ଲୋକନାଟକ’ ବୋଲି କୁହାଯାଇପାରେ ।

‘ ନାଟ୍ୟ ଶାସ୍ତ୍ର ‘ ଅନୁସାରେ ଅନୁଧ୍ୟାନ କଲେ ନବରସର ପ୍ରୟୋଗ ସମଗ୍ର ନାଟ୍ୟଧାରାରେ ବିଭିନ୍ନ ଚରିତ୍ର ମାଧ୍ୟମରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସୁନ୍ଦରଭାବେ କରାଯାଇଥାଏ । ଓଡ଼ିଆ ଭାଷାରେ କଳାକାରମାନେ ସଂଳାପ କହୁଥିଲେ ବି, ମଝି ମଝିରେ ସମ୍ବଲପୁରୀ, କୋଶଳି ଭାଷା, ହିନ୍ଦୀ, ଇଂରାଜୀ ଏପରିକି ସଂସ୍କୃତ ଭାଷା ସ୍ଥଳ ବିଶେଷରେ ବ୍ୟବହାର କରିଥିବା ଦେଖିବାକୁ ମିଳିଥାଏ । ବରଗଡ଼ ଧନୁଯାତ୍ରା ଅବସରରେ ପୌରାଣିକ ସାହିତ୍ୟର ଚିତ୍ରରୂପ ମୁଖ୍ୟତଃ ଅମ୍ବାପାଲି ଗାଁର କାନ୍ଥରେ, ଦାଣ୍ଡରେ ଅନେକ ସଂଖ୍ୟାରେ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ବର୍ଷ ଧନୁଯାତ୍ରାର ନାଟ୍ୟାବଳିକୁ ବରଗଡ଼ ସହରର ବିଭିନ୍ନ ପ୍ରାଚୀରରେ ଚିତ୍ରଶିଳ୍ପୀମାନେ ଜୀବନ୍ତ ରୂପଦେଇ ଧନୁଯାତ୍ରାର ଗାରିମା ବୃଦ୍ଧି କରିବାରେ ସହଯୋଗ କରିଥାନ୍ତି ।

ବରଗଡ଼ ଧନୁଯାତ୍ରା ମହୋତ୍ସବ ପରିପ୍ରେକ୍ଷୀରେ ଆୟୋଜକ କମିଟି ତରଫରୁ ସ୍ମରଣିକା ପ୍ରକାଶ ପାଇଥାଏ। ଧନୁଯାତ୍ରାର ବିଭିନ୍ନ ପ୍ରସଙ୍ଗ ଉପରେ ଲେଖକ/ଲେଖିକା ମାନଙ୍କର ଲେଖା ପ୍ରକାଶ ପାଇଥାଏ । ଓଡ଼ିଆ ସାହିତ୍ୟ ଏକାଡେମିର ‘କୋଣାର୍କ’ ପତ୍ରିକା ମଧ୍ୟ ବିଭିନ୍ନ ସମୟରେ ଧନୁଯାତ୍ରାକୁ ନେଇ ବିଶେଷ ସଂଖ୍ୟାନ ପ୍ରକାଶ କରିଥାଏ । ପ୍ରକୃତରେ ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗଟି ମଧ୍ୟ ବେଶ୍ ପରିବ୍ୟାପ୍ତ । ସେଥିପାଇଁ ବରଗଡ଼ ଧନୁଯାତ୍ରାରେ ବହୁ କବି, ଲେଖକ, ଗବେଷକ ଓ ଅନେକ ସମୀକ୍ଷକଙ୍କ ମଧ୍ୟ ଭିଡ଼ ଜମିଥାଏ ।

ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି । କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା କଳାକୁଞ୍ଜ । କଳାକୁଞ୍ଜ ଗୁଡ଼ିକ ଯାତ୍ରାର ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଦର୍ଶକମାନଙ୍କ ମନୋରଞ୍ଜନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ବିଗତ ୫୦ ଦଶକରେ ବରଗଡ଼ ଗୌଡ଼ପଡ଼ାରେ ରହୁଥିବା ମିଟୁ ବଢ଼େଇ ଓ ଅନ୍ୟ କଳାକାରଙ୍କୁ ନେଇ ଆରମ୍ଭ ହୋଇଥିଲା କଳାକୁଞ୍ଜ । ତତ୍କାଳୀନ କଳାକୁଞ୍ଜଗୁଡ଼ିକରେ ମୁଖ୍ୟତଃ ପୌରାଣିକ କଥାବସ୍ତୁ ସ୍ଥାନ ଦେଉଥିଲା । ସମୟର ପରିବର୍ତ୍ତନ ସହିତ ଅନ୍ୟ ଆଧୁନିକ ବିଷୟଗୁଡ଼ିକ ଏବେ ଦେଖିବାକୁ ମିଳୁଛି । ହାଟପଦା, ତଳିପଡ଼ା, ଖଜୁରଟିକ୍ରା, ନାୟକପଡ଼ା ସମେତ ବିଭିନ୍ନ ପଡ଼ାର ଯୁବକ ସଂଘ ଏହି କଳାକୁଞ୍ଜଗୁଡ଼ିକରେ ପ୍ରମୁଖ ଭୂମିକା ନେଉଥିବଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ । କଳାକୁଞ୍ଜଗୁଡ଼ିକରେ ଟିକେଟ ପ୍ରାୟ ୨୫ ପଇସାରୁ ୫୦ ପଇସା ଥିବାବେଳେ ଏହାକୁ ଦେଖିବା ପାଇଁ ଏତେ ଭିଡ଼ ହେଉଥିଲା ଯେ ସିମେଣ୍ଟ ବସ୍ତାରେ ପଇସା ରଖାଯାଉଥିଲା । ପରିବର୍ତ୍ତୀ ସମୟରେ ମୃତ୍ୟୁଞ୍ଜୟ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ କଳାକାର ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ ।

ବିଗତ ୭୦ ଦଶକରେ କଟକରୁ ମଧ୍ୟ ପ୍ରମୁଖ ମୂର୍ତ୍ତି କଳାକାର ଶ୍ରୀଧର ମହାରଣା ଓ ତାଙ୍କ ସହଯୋଗୀମାନେ ବରଗଡ଼ରେ କଳାକୁଞ୍ଜ ପ୍ରସ୍ତୁତ କରିଥିଲେ। ପରେ ୮୦ ଦଶକର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ତ୍ରିଲୋଚନ ପ୍ରଧାନ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ବର୍ତ୍ତମାନ ଧନୁଯାତ୍ରା କିମ୍ବଦନ୍ତୀ ଚିହ୍ନ ଶିବଧନୁ, ଶିବ ଲିଙ୍ଗ, ଦ୍ୱାରପାଳ ଇତ୍ୟାଦି ମୂର୍ତ୍ତି ତ୍ରିଲୋଚନଙ୍କ ଦ୍ୱାରା କମିଟି ପ୍ରସ୍ତୁତ କରିଥାଏ । କଳାକୁଞ୍ଜରେ ୧୯୮୩ ରେ କପିଳ ଦେବଙ୍କ ବିଶ୍ୱ କପ୍‌ କ୍ରିକେଟ ବିଜୟ ସ୍ଥାନ ପାଇଥିବାବେଳେ ୯୦ ଦଶକର ପ୍ରାରମ୍ଭରେ ସରଗମ୍ ଚଳଚ୍ଚିତ୍ରର ନାୟକ ଋଷି କପୁର ଓ ଜୟା ପ୍ରଦାଙ୍କ ଡଫଲି ବଜାଇବା ଦୃଶ୍ୟ ସବୁଠାରୁ ବେଶୀ ଲୋକପ୍ରିୟତା ଅର୍ଜନ କରିଥିଲା ।

କଳାକୁଞ୍ଜ ଭବିଷ୍ୟତରେ ପୃର୍ବପରି ଧନୁଯାତ୍ରାକୁ ଫେରିବ କି ନାହିଁ ତା’ର କୌଣସି ନିଶ୍ଚିତତା ନାହିଁ । ଡିଜିଟାଲ ଯୁଗରେ ଏବେ ବରଗଡ଼ ସହରର ଛକମାନଙ୍କରେ ଧନୁଯାତ୍ରା କମିଟି ପକ୍ଷରୁ ବିଭିନ୍ନ ଚଳୟମାନ ରଙ୍ଗିନ ଆଲୋକର ମୂର୍ତ୍ତି ଲଗାଯାଇ ଦର୍ଶକମାନଙ୍କୁ ଆକର୍ଷିତ କରାଯାଉଛି । ଏହି ସବୁ ମୂର୍ତ୍ତି ଇଲେକ୍ଟ୍ରିକାଲ ମୋଟର ସାହାଯ୍ୟରେ ଚାଲୁଥିବା ବେଳେ କଳାକୁଞ୍ଜ ସମୟରେ ପରଦା ପଛରେ ଜଣେ ଘଣ୍ଟା ଘଣ୍ଟା ବସି ଏହାକୁ ଚଳାଉଥିଲେ ।

ତେଣୁ ଭବିଷ୍ୟତରେ ଧନୁଯାତ୍ରାରେ କଳାକୁଞ୍ଜରେ ସ୍ଥାନ ନପାଇଲେ ମଧ୍ୟ ଧନୁଯାତ୍ରା ଇତିହାସରେ କଳାକୁଞ୍ଜର ଲୋକପ୍ରିୟତା ସବୁଦିନ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ରହିବ ଏହା ନିଃସନ୍ଦେହ…!!!

 ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ : ୯୦୪୦ ୧୫୧୪୭୫
Email : Laxmansahoo9040@gmail.com

Comments are closed.