Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟୋତ୍ତର ମତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରତ୍ୟେକ ସତ୍ୟ ଆପେକ୍ଷିକ
ବୁଝଂତିନାହିଁ ବହୁ ଲୋକ
ଯେ ଯାହା ସତ୍ୟକୁ ଆବୋରି
ଭବସିଂଧୁ ହୁଅଂତି ପାରି

ଭିନ୍ନ ସତ୍ୟ ଯେ ଥାଇପାରେ
ଏହା ଯେ ବିଶ୍ବାସ ନ କରେ
ନିଜ ସତ୍ୟ ସହିତ ଲାଖି
ହୁଏ ସେ ସତରେ ଏକାକୀ

ଏକାକୀତ୍ବକୁ ମିଛେ ଡରି
ହୋଇଲେ ସତ୍ୟର ସଂହାରୀ
ପାଇପାରେ ସେ ସମର୍ଥନ
ଯାହା ସତରେ ମୂଲ୍ୟହୀନ

ଅନ୍ୟକୁ କରିଲେ ସଂତୁଷ୍ଟ
ଅଯଥା ହୋଇ ସତ୍ୟଭ୍ରଷ୍ଟ
ମଣିଷ ପାଏ ବେଶି କଷ୍ଟ
ସତ୍ୟ ବି ହୁଏନି ସୁସ୍ପଷ୍ଟ

ଯାହାର ସତ୍ୟୋତ୍ତର ମତି
ଯୋଗାଇଥାଏ କର୍ମାସକ୍ତି
ଭାଷାରେ କରେ ସେ ପ୍ରକାଶ
ହୁଏନି ସତ୍ୟର ବିନାଶ

ମତ ବା ଧାରଣାକୁ ସତ
ମଣିବା ନୁହେ ସମୁଚିତ
ବିଭିନ୍ନ ପ୍ରକାରର ମତ
ସଂଭାଳି ରଖେ ବ୍ୟକ୍ତି ଚିତ୍ତ

ନିଜେ ନିଜର ସତ୍ୟ ରକ୍ଷା
କରି ଜାଣିଲେ ନୂଆ ଶିକ୍ଷା
ସଂସାରେ ବାରଂବାର ମିଳେ
ଏପରି ଦିନ କାଳ ଚଳେ

ନିଜ ସତ୍ୟର ଅନୁଗତ
ହୋଇ ଯେ ରହେ କର୍ମରତ
କେବେ ହୁଏନି ବିଚଳିତ
କିଂବା ସତ୍ୟପଥରୁ ଚ୍ୟୁତ

କଲେ ମନର ସର୍ବଶୁଦ୍ଧି
ଜାତ ହୁଅଂତି ଜ୍ଞାନ, ବୁଦ୍ଧି
ମନକୁ କଲେ ପରିଷ୍କାର
ଆନଂଦମୟ ଏ ସଂସାର

Comments are closed.