Latest Odisha News

ଓଟିଇଟି ପରୀକ୍ଷାରେ ଅନିୟମତତା ଦର୍ଶାଇ ବୋର୍ଡ ଅଫିସ ଆଗରେ ପ୍ରତିବାଦ

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁବାର ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ ବୋର୍ଡ ଅଫିସ ଆଗରେ ଏକାଠି ହୋଇ ଗ୍ରେସ ମାର୍କ ପ୍ରଦାନ କିମ୍ବା ପାସ୍ ହାର କମାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପ୍ରତିବାଦ କରିଥିବା ଶିକ୍ଷକ ଜ୍ୟୋତି ଭୂଷଣ ନାୟକକହିଛନ୍ତି, ଅଗଷ୍ଟ ୨୯ରେ ସ୍ବତନ୍ତ୍ର ଓଟିଇଟି ଅନୁଷ୍ଠିତ ହୋଇଥିଲା। ଆମେ ପ୍ରଥମେ ୨୦୦୦ ମସିହାରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲୁ । ସେତେବେଳେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଦେବା ପାଇଁ କୌଣସି ଗାଇଡଲାଇନ୍ ନଥିଲା। କିନ୍ତୁ ୨୦୧୨ ମସିହାରେ ସରକାରଙ୍କ ପକ୍ଷରୁ ଓଟିଇଟି ପରୀକ୍ଷା ନେଇ ଗାଇଡଲାଇନ ଜାରି କରାଯାଇଥିଲା।

ଗ୍ରେସ ମାର୍କ ନଥାଇ ମଧ୍ୟ ଆମେ ଚାହୁଁଛୁ ଯେ ସରକାର ଏବଂ ବୋର୍ଡ ଅଧିକାରୀ ପରୀକ୍ଷା ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ୱତନ୍ତ୍ର ଓଟିଇଟିରେ ୪୦-୫୦ ପ୍ରତିଶତ ମାର୍କରେ ପାସ୍ କରିବାକୁ ଅନୁମତି ଦେବା ଉଚିତ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ବିଭାଗୀୟ ଅଧିକାରୀମାନେ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ଶିକ୍ଷକ ଫିରଦୌସ ଜମିଲ କହିଛନ୍ତି ଯେ, ଏବେ ପ୍ରାୟ ତିନି ଦିନ ହେଲାଣି ଆମେ ଅସୁବିଧାର ସମ୍ମୁଖୀନ ହୋଇ ବୋର୍ଡ ଅଫିିସକୁ ଦୌଡୁଛୁ। ୨୦୧୨ ମସିହାରୁ ସ୍ପେଶାଲ ଓଟିଇଟି ପରିଚାଳନାରେ ଅନିୟମିତତା ହୋଇଛି। କିନ୍ତୁ ଯେଉଁମାନଙ୍କ ବିରୋଧରେ ଦୁର୍ନିତୀ ମାମଲା ରୁଜୁ ହୋଇଥିଲା ସେମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଅନ୍ୟ କେତେଜଣ ଶିକ୍ଷକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଜାନୁଆରି ୯ରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ଅଧାରୁ ଅଧିକ ଶିକ୍ଷକ ଫେଲ୍ ହୋଇଥିଲେ। ଦୁଇଟି ଯାକ ପେପରରେ ପରୀକ୍ଷା ଦେବାକୁ ମୋଟ୍‌ ୩୨ ହଜାର ୪୪୮ ଶିକ୍ଷକ ଫର୍ମପୂରଣ କରିଥିଲେ । ୯୫୬ ଜଣ ପରୀକ୍ଷା ଦେଇନଥିଲେ। ୩୧ ହଜାର ୪୯୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୬ ହଜାର ୧୭୧ ଜଣ ପାସ କରିଛନ୍ତି। ପ୍ରଥମ ପେପରରେ ୧୧ ହଜାର ୯୫୫ ଜଣ ଶିକ୍ଷକ ଓ ଦ୍ବିତୀୟ ପେପରରେ ୪ ହଜାର ୨୧୬ ଜଣ ପାସ୍‌ କରିଛନ୍ତି। ସ୍ପେସାଲ୍‌ ଓଟିଇଟିର ପାସ ହାର ୪୯.୮୪ ରହିଛି।

 

Comments are closed.