ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗ AEE। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ଚଢାଉ ହୋଇଛି। ବାଲେଶ୍ବର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ ଚଢାଉ କରାଯାଇଛି। ସେହିପରି ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଳାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ୫ ଜଣ ଡିଏସ୍ପି , ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ବାଲେଶ୍ୱର, ଖୋର୍ଦ୍ଧା ଓ ମୟୂରଭଞ୍ଜର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ଅରବିନ୍ଦ ମହାନ୍ତିଙ୍କ ୩ ମହଲା ବାସଭବନ, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ୨ ମହଲା କୋଠା, ବେତନଟୀସ୍ଥିତ AEEଙ୍କ କାର୍ଯ୍ୟାଳୟ ଓ ବାସଭବନ, ଜଳେଶ୍ୱରସ୍ଥିତ ପୈତୃକ ଘର, ବାଲେଶ୍ୱର ବସନ୍ତପୁରସ୍ଥିତ ଫାର୍ମହାଉସ୍ ଏବଂ ବାମପଦାସ୍ଥିତ ଘରେ ଛାନଭିନ୍ ଚାଲିଛି ।
ସେହିପରି ଅଙ୍ଗାରଗଡ଼ିଆରେ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜ ବୈଶିଙ୍ଗାରେ ଅନ୍ୟ ଜଣେ ସହଯୋଗୀଙ୍କ ଘର ଏବଂ ବାଲେଶ୍ୱର ବାମପଦାରେ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ବିଭିନ୍ନ ସମ୍ପତ୍ତି ଓ କାଗଜପତ୍ର ଯାଞ୍ଚ କରିବା ସହ ବେଆଇନ ସମ୍ପତ୍ତିର ଆକଳନ କରୁଛି । ଚଢ଼ାଉ ଶେଷ ହେବା ପରେ ଅଧିକ ସୂଚନା ସାମ୍ନାକୁ ଆସିବ ।

