ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନୁଷ୍ଯ ମନୋଗତ ଚିଂତା
ସହିତ ସ୍ଥୂଳ ବାସ୍ତବତା
ମଧ୍ୟରେ ରହିଥିଲେ ଭେଦ
ଘଟଇ ଅନେକ ପ୍ରମାଦ
ନିଜର ଚିଂତାକୁ ପ୍ରାଧାନ୍ୟ
ଦିଅଂତି ଯେବେ ଜ୍ଞାନୀଗଣ
ତାଂକ ଲିଖନ, ଉଚ୍ଚାରଣ
ହୁଏ ଭାବ, ତଥ୍ୟ ବିହୀନ
କେତେକ ଓଜସ୍ୱୀ ସୁବକ୍ତା
କହଂତି ଯେଉଁଭଳି କଥା
ତହିଁ ନ ଥାଏ ବାସ୍ତବତା
ଅଥବା ଗୁଣ, ସାରବତ୍ତା
ସ୍ବରର ଉତ୍ଥାନ, ପତନ
ଶୁଣିଲେ ସୁଖ ପାଏ କାନ
ଶ୍ରୋତାମାନେ ହୁଅଂତି ମୁଗ୍ଧ
କିଂତୁ ସତ୍ୟ ହିଁ ହୁଏ ଦଗ୍ଧ
ନାନା ପ୍ରକାର ମୁଖଭଂଗୀ
ହେଲେ ବି ବାଗ୍ମୀଂକର ସଂଗୀ
ଏ ସବୁ ନାଟ୍ୟ ଅଭିନୟ
କରେ ବାସ୍ତବତାକୁ କ୍ଷୟ
ଏପରି କଥାର ପ୍ରଭାବ
ଉତ୍ପନ୍ନ କରେ ଯେଉଁ ଭାବ
ତାହା ତ କ୍ଷଣିକ ଆମୋଦ
ଭାଷାରେ ପୂରାଏ ପ୍ରମାଦ
କହିଲେ କଥା ଅନର୍ଗଳ
ଭାଷା ହରାଏ ନିଜ ବଳ
ଥିଲେ ହେଁ ବକ୍ତା ଦଳ ଦଳ
ସ୍ବଭାଷା ହୋଇଛି ଦୁର୍ବଳ
ଭାଷା ତ କେବଳ ମାଧ୍ୟମ
ଭାବ, ଜ୍ଞାନ ପ୍ରକାଶକ୍ଷମ
କରିଲେ ହୁଅଇ ଉତ୍ତମ
ଏ ସତ୍ୟ, ନୁହେ କେବେ ଭ୍ରମ
ଭାଷୀଏ ହେଲେ ନିର୍ବିଚାର
ଭାଷା ଉପରେ ଅତ୍ୟାଚାର
ସର୍ବତ୍ର ଯାଇଥାଏ ବଢ଼ି
ଭାଷା ହିଁ ରହେ ତଳେ ପଡ଼ି
Comments are closed.