କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଟେବୁଲ ଓ ଚେୟାରକୁ ଓଦା କନାରେ ପୋଛୁପୋଛୁ, ମୁଗ୍ଧ ଆଖିରେ ତାଙ୍କୁ ଚାହିଁ ଛିଡ଼ା ହୋଇଥିବା ପଦ୍ମିନୀ ଉଦ୍ଦେଶ୍ୟରେ ସାମାନ୍ୟ ରାଗିଲା ସ୍ୱର ନେଇ କହିଲେ- ତମର ରୁଚିଜ୍ଞାନ ଆଦୌ ନାହିଁ । ଦେଖିଲ, ଏଇ ଏଡ଼େଟିକେ ବଖରାରୁ କେତେ ଆବର୍ଜନା ବାହାରିଛି । ସେ ଭଦ୍ରଲୋକ ଆସିଲେ, କ’ଣ ଭାବିବେ ?
ଜଣେ ଫାଇନାଲ ଇଅର ଛାତ୍ରୀର ପଢ଼ାଘର ଏତେ ଅପରିଷ୍କାର ?
ଭାଉଜଙ୍କ ସାମନାରେ ଛିଡ଼ାହେଲା ପଦ୍ମିନୀ- କାହିଁକି ଏତେ ବ୍ୟସ୍ତ ହେଉଛ ନୂଆବୋଉ ? ପଢ଼ାଘରେ ବହିପତ୍ର ଇତସ୍ତତଃ ପଡ଼ିବ ନାହିଁ ତ ତା’କୁ ପଢ଼ାଘର ବୋଲି ଲୋକେ ଜାଣିବେ କେମିତି ? ଘର ବୋଲି ଯେମିତି କିଛି ଖୁଣ ନଥିବ ।
ସେମାନେ ସବୁ କ’ଣ ଅମରାବତୀରୁ ଆମଦାନୀ ହେଇଛନ୍ତି କି ?
ଅବାକ୍ ହେଲେ ଭାଉଜ । ନିଜଠାରୁ କେତେବର୍ଷରେ ଛୋଟ ଏଇ ଝିଅର ଲଗାମହୀନ କଥା ଶୁଣି ସେ ମନେ ମନେ ବିରକ୍ତ ହେଲେ । କିନ୍ତୁ ପଦ୍ମିନୀ ଉପରେ ତାଙ୍କର ଭରସା ଥିଲା । ଏଇ ଘରକୁ ଆସିବା ଦିନଠୁ ସେ ତାକୁ ଜାଣନ୍ତି । ଘରଲୋକମାନଙ୍କ ପାଖରେ ସେ ଯେତିକି ଉଦଣ୍ଡୀ, ବାହାର ଲୋକଙ୍କ ଆଗରେ ସେ ଅସମ୍ଭବ ଧରଣର ବଦଳିଯାଏ । ଘରକୁ ଆସିଥିବା ଆଗନ୍ତୁକମାନଙ୍କ ନିକଟରେ ତା’ର
କଥାବାର୍ତ୍ତା , ଚାଲିଚଳନ ଦେଖି ସମସ୍ତେ ବିସ୍ମିତ ହୋଇ ଯାଆନ୍ତି । ଏଡ଼େ ଧୀର, ମଧୁର କଥା ଯେ ତା’ ଭିତରେ ଅଛି, ପରିବାରରେ କେହି ବୁଝିପାରନ୍ତି ନାହିଁ ।
ଭାବନା ଭିତରେ ପଦ୍ମିନୀ ବାଧା ଦେଲା- ଆସିଲ ନୂଆବୋଉ, ମତେ ଖାଇବାକୁ ଦେବ । ଏ ଘର କାମ ଆଉ ପଛେ କେବେ କରିବ ।
– ଆରେ, ପଛେ କ’ଣ ମ, ଏଇ ଚାରିଟା ବେଳେ ପରା ସେ ଭଦ୍ରଲୋକ ଆସିବେ । ତମ ଭାଇ ଯାଇଛନ୍ତି ବସ୍ଷ୍ଟାଣ୍ଡକୁ । ଆସ, ଏଇ ଶାଢ଼ୀଟା ବଦଳାଇ ଦେବ । ମୁଁ ତମକୁ ରାଜନନ୍ଦିନୀ ପରି ସଜେଇଦେବି ।
ହାଲ୍କା ପ୍ରତିବାଦ କଲା ପଦ୍ମିନୀ – ସେ ସଜାସଜି ଚଳିବନି । ମୁଁ କ’ଣ କଣ୍ଢେଇ ହୋଇଛି ? କିଏ ନାହିଁ କିଏ ଆସିବ ।
ମୁଁ କାହିଁକି ତା’ ସାମନାକୁ ଯିବ ମ ?
– ଭଲ କଥା କହି ଶିଖ ମିନୀ ! ତମର ଏଡ଼େ ସୁନ୍ଦର ମୁହଁ କେମିତି ଏଡ଼େ କଡ଼ା କଥା କହି ପାରୁଛି ?
କ୍ରମଶଃ
Comments are closed.