Latest Odisha News

ଶିଶୁ ଗଳ୍ପ : ଗପ ଗୋଟିଏ ଶିକ୍ଷା କୋଟିଏ

ଅଶୋକ କୁମାର ପ୍ରଧାନ 

ରୋଶନ୍ ଧନୀଘର ପିଲା।ବାପା ତା’ର ବଡ ବ୍ୟବସାୟୀ।ଏ ଅଞ୍ଚଳରେ ତାଙ୍କ ବ୍ୟବସାୟରେ ଭଲ ନାଁ ଅଛି।ରୋଶନ୍ ଅଷ୍ଟମ ଶ୍ରେଣୀର ଛାତ୍ର।ପିଲାଟି ଦେଖିବାକୁ ଯେତିକି ସୁନ୍ଦର ପାଠ ପଢ଼ାରେ ବି କମ୍ ନୁହେଁ। ସ୍କୁଲରେ ସବୁ ପିଲାଙ୍କ ଠାରୁ ସେ ବେଶ୍ ଭଲ ପଢେ। କିନ୍ତୁ ବାପାଙ୍କର ସମ୍ପତ୍ତି ଯୋଗୁଁ ତା ମନରେ ଖୁବ୍ ଅହଂକାର। ସ୍କୁଲର କୋଉ ପିଲାଙ୍କ ସହ ଠିକରେ ମିଶେ ନାହିଁ।ନିଜର ଧନ ସମ୍ପତ୍ତି ଓ ଅହଂକାର ଭାବ ଯୋଗୁଁ ସେ ସମସ୍ତଙ୍କଠାରୁ ନିଜକୁ ଭିନ୍ନ ମନେ କରେ।

କିଷାନ୍ ତା’ର ଭଲ ସାଙ୍ଗ। ତା ସହପାଠୀ ବି ।ସେ ବି ଭଲ ପାଠ ପଢେ। ଉଭୟଙ୍କ ମଧ୍ୟରେ ସବୁବେଳେ ପାଠ ପଢ଼ାରେ ପ୍ରତିଦ୍ବନ୍ଦ୍ବିତା ଚାଲେ।ଏଇ ଦୁଇଥର ହେଲା ଫରମାଟିଭ୍ ଏସେସମେଣ୍ଟ ପରୀକ୍ଷାରେ କିଷାନ୍ ରୋଶନ୍ ଠାରୁ ଅଧିକା ନମ୍ବର ରଖିଛି ବୋଲି କିଷାନ୍ ଉପରେ ତା’ର ଭାରି ରାଗ।ରୋଶନ୍ ତା ଉପରେ ରାଗିକି ଏଇ କିଛି ଦିନ ହେଲା ଭଲରେ କଥା ହେଉନି ତା ସହିତ।କିଷାନ୍ ବି ତାକୁ କିଛି କହେନି।କାରଣ ସେ ଜାଣି ସାରିଛି ରୋଶନଠୁ ଅଧିକ ମାର୍କ ରଖିବାରୁ ସେ ତା’ ଉପରେ ଈର୍ଷା କରୁଛି।

ଗରିବ ଘରର ପିଲା କିଷାନ୍।ବାପା ଦିନ ମଜୁରିଆ। ସେ ତା’ର କିମ୍ବା ଘରର ଅଭାବ କଥା କା ଆଗରେ କେବେ ବି କହେନି। ଏମିତିକି ଦିନେ ଦିନେ ଭୋକ ଉପାସରେ ବି ରହିଛି।ହେଲେ ନିଜ ଅଭାବ ପଣିଆକୁ କେବେ କା ଆଗରେ ବଖାଣିନି ଦିନଟିଏ।ସେ କେବେହେଲେ ବାପାଙ୍କ ପାଖରେ ତା’ର ଅଭିଯୋଗ ବଖାଣେନି ।ନିଜ ଘରର କଥା ସେ କେବେହେଲେ କା ଆଗରେ କହେନି। କିନ୍ତୁ ସେ ନିଜ ପାଠ ପଢ଼ାରେ କେବେ ହେଲେ ଅବହେଳା କରେନି।

ଦିନେ ସାର୍ ଭୂଗୋଳ ପଢାଇବା ବେଳେ କିଷାନ୍ କେତୋଟି ପ୍ରଶ୍ନର ଉତ୍ତର ଦେଇପାରିଲାନି।ସାରଙ୍କଠାରୁ କିଷାନ୍ ସେଦିନ ବହୁତ ମାଡ ଖାଇଲା। ତା’ ମନ ଭାରି ଦୁଃଖ ହେଲା।ସେଦିନ ଦୁଃଖରେ ରହିଥିବା ବେଳେ ସାରଙ୍କ କ୍ଲାସ ସରୁ ସରୁ ରୋଶନ୍ ତା’ର କିଛି ସାଙ୍ଗ କୁ କହିଲା ବୁଝିଲୁ ସାଙ୍ଗ।ଆଜି କିଷାନ୍ ଉପରେ କେମିତି ଉତ୍ତମ ମଧ୍ୟମ ହେଲା ଦେଖିଲୁତ।ଭଲ ହେଲା।ଦିଟା ଯାକ ଆସେସ୍ମେଣ୍ପ ରେ ମୋଠାରୁ ଅଧିକ ମାର୍କ ଆଣିଥିଲା ନା।ଆଜି ବୁଦ୍ଧି ଶିଖିଲା।

କିଷାନକୁ ଦେଖେଇ ଶିଖେଇ ହୋଇ କେତେ କଥା କହିଲା। ସମୂଦ୍ର କେବେ ନଈ ସହ ତୁଳନା ହୋଇପାରିବ କି? ତାର ତାକତ୍ କ’ଣ ମୁଁ ଜାଣିଛି। ସେ ମୂଲିଆ ଘର ପିଲା ହୋଇ ମାଲିକ ପିଲା ସାଥିରେ ତଉଲି ହେଉଛୁ। ଆଗକୁ ଆହୁରି କେତେ କ’ଣ ହେବ।ସେ ଜାଣିବ ରୁହ। ଖାଲି ଦେଖ। କ’ଣ ହେଉଛି। ଏମିତି କେତେ ବାହାପିଆ କଥା କହୁଥିଲା ରୋଶନ୍।

ରୋଶନର କଥା ସାଙ୍ଗମାନଙ୍କଠାରୁ ଶୁଣି କିଷାନ୍ କିଛି କହିଲାନି। ମନ ଶୁଖାଇ ଘରକୁ ଫେରିଲା। ରୋଶନ୍ ଆଉ କିଷାନ୍ ର କଳି କଥାଟା ସାରଙ୍କ କାନକୁ ଗଲା। ସାର୍ ଭାବିଲେ ଏ ଦୁଇଜଣ ଅମ ସ୍କୁଲର ଗୌରବ। ଯଦି ଉଭୟଙ୍କ ଭିତରେ ମନୋମାଳିନ୍ୟ ଦେଖାଦିଏ ଏହା ଆମ ସ୍କୁଲ ପାଇଁ କିମ୍ବା ଉଭୟଙ୍କ ପରିବାର ପାଇଁ ଜମାରୁ ଶୁଭଙ୍କର ନୁହେଁ। ତେଣୁ ଉଭୟଙ୍କ ମନର କଳୁଷିତ ଭାବନାକୁ ଦୂର କରିବା ନିହାତି ଦରକାର। ତେଣୁ ସେ ଉଭୟଙ୍କ ମନ ମିଶାଇବା ପାଇଁ ଗପଟି କହିବେ ବୋଲି ସ୍ଥିର କଲେ।ସେଦିନ ସ୍କୁଲ ଛୁଟି ହେଲା। ରାତି ପାହି ସକାଳ ହେଲା।ରାତି ସାରା ସାରଙ୍କ ଆଖିରେ ନିଦ ନାହିଁ।ସ୍କୁଲ ସମୟ ହେଲା ସାର୍ ଯଥାବତ୍ ସ୍କୁଲରେ ପହଞ୍ଚିଲେ। ସାରଙ୍କ ପିରିୟଡ଼ ଆସିଲା।

ସାର୍ ପିରିୟଡ଼ ଆରମ୍ଭରୁ ପଚାରିଲେ ପିଲେ କହିଲ ଆଜି ପାଠ ପଢିବା ନା ଗପ ଶୁଣିବା। ପିଲାମାନେ ଗପ ଶୁଣିବାକୁ ଭଲ ପାଆନ୍ତି। ସଭିଏଁ ଏକ ସ୍ଵରରେ କହିଲେ ଆଜି ଗପ ଶୁଣିବା ସାର୍।ଏଥର ସାର୍ ଗପ କହିବା ଆରମ୍ଭ କଲେ।ପ୍ରିୟର ଛାତ୍ରଛାତ୍ରୀମାନେ।ଆଜି ମୁଁ ତୁମକୁ ଗୋଟିଏ ସୁନ୍ଦର ଆଉ ଶିକ୍ଷଣୀୟ ଗପଟି ଶୁଣାଇବି।ଗପଟି ଥିଲା ଗୋଟିଏ ନଈ ଆଉ ସମୁଦ୍ରର ।

ଦିନେ ନଈକୁ ସମୁଦ୍ରକୁ କହିଲାରେ ନଈ ତୁ କ’ଣ ପାଇଁ ଏତେ ଛଇ ଦେଖେଇ ହେଉଛୁ।ଏଡିକି ଟିକିଏ ଶରୀର ପାଇ ତୋର କେତେ ଅହଂକାର।ତୁ ମୋ ସାଥିରେ ତୁଳି ହେବାକୁ ଚେଷ୍ଟା କରୁଛୁ।ଦେଖେ ମୋ ପାଖରେ କେତେ ଜଳ। ତୁମେମାନେ ସଭିଏଁ ଆସି ମୋ କୋଳରେ ଆଶ୍ରୟ ନେଉଛ।ଆଉ ମୁଁ ତୁମକୁ ଆଶ୍ରୟ ଦେଉଛି ବୋଲି ତୁମର ପରିଚୟ ଅଛି। ନ ହେଲେ ତୁମେମାନେ କେବେଠୁ କୋଉଠି ହଜି ଯାଇଥାନ୍ତ।

ସମୁଦ୍ରର କଥା ଶୁଣି ନଈ ମନ ଦୁଃଖରେ ସମୁଦ୍ରକୁ କହିଲା ହେ ଜଳରାଜ ତୁମେ କ’ଣ ପାଇଁ ଏତେ ଗର୍ବ କରୁଛ ? ତୁମେ ଏତେ ବଡ ଶରୀର ଧାରଣ କରିଛ ସତ। ଆଉ,ତୁମ ପାଖରେ ଅକାତ କାତ ଜଳ ଅଛି ସତ କିନ୍ତୁ ତୁମେ ଆମ ସହ କେବେ ବି ସମକକ୍ଷ ନୁହଁ। ତୁମ ପାଖରେ ସିନା ଏତେ ଜଳ ଅଛି ହେଲେ ସେ ଜଳ କୋଉ କାମକୁ ନୁହଁ। ତୁମ ଜଳ ଏତେ ଲୁଣିଆ ଯେ ଯିଏ ବି ପାଟିରେ ଦେବ ଖାଲି ଥୁ ଥୁ କରି ଫୋପାଡି ବା ସହିତ ଆଉ କିଛି କରିବନି।ତୁମେ ଶରୀରରେ ସିନା ବଡ ହେଲେ ଗୁଣରେ ମୋ ଠାରୁ ବହୁତ କମ୍।

ହେଇ ଦେଖୁନ ମୋ ମନ କେଡେ ପବିତ୍ର,କେତେ ସୁନ୍ଦର।ମୋ ମିଠା ଜଳକୁ ପିଲା ଠାରୁ ବୁଢା,ପଶୁ ପକ୍ଷୀ ସଭିଏଁ କେଡେ ଆଦରରେ ପିଉଛନ୍ତି। ମୁଁ କେବେ କାହାକୁ ମନା କରେନି। ତେଣୁ ସଭିଏଁ ମୋତେ ଆଦର କରନ୍ତି। ମୋ ଜୀବନରେ ମୁଁ କେବେ କାହାକୁ ଖାଲିରେ ଫେରେଇ ଦେଇନି।

ତୁ କିନ୍ତୁ ମୋଠାରୁ ଖୁବ୍ ଅଲଗା। ତୋତେ କିଏ କ’ଣ ଦେଲେ ତୁ ଗର୍ବରେ ଫୁଲିଯାଇ ତାକୁ କୂଳରେ ଆଣି ଫୋପାଡି ଦେଉଛୁ। ତୋ ବ୍ୟବହାର ଏତେ ଖରାପ ଯେ ଯାହାକୁ ନାହିଁ ତାକୁ ଖାଲି ଫୁଫୁ ହେଇ ଗର୍ଜନ କରି କହୁଛୁ। ତୋ ଜଳ ଏତେ ଲୁଣି ଯେ କିଏ ପାଟିରେ ବି ଦେବାକୁ ଅମଙ୍ଗ।ଖାଲି ତୋ ପାଖରେ ସିନା ଏତେ ଜଳ।ହେଲେ କ’ଣ ହେବ।ସିଏ କୋଉ କାମକୁ ନୁହଁ।

ନଈର ଏକଥା ଶୁଣି ସମୁଦ୍ରର ମନ ଶୁଖିଗଲା। ଏତେ ଜଳ ବୋଲି ତା ମନରେ ଯୋ ଗର୍ବ ଥିଲା ତାହା ଛାଏଁ ଛାଏଁ ତା’ ମନରୁ ଉଭେଇ ଗଲା। ସମୁଦ୍ର କହିଲରେ ନଈ ,ସତେ ତ ତୁ ବହୁତ ଭଲ। ତୁ ଛୋଟ ହେଲେ କ’ଣ ହେଲା ତୋର ମିଠା ଛୁଆଁ ପାଇଁ ତୁ ସବୁରି ପ୍ରିୟର ପାତ୍ର ହୋଇ ପାରିଛୁ। ଏ ତ ଠିକ୍ କଥା।

ଏତିକି କହିଲା ବେଳକୁ ସମୁଦ୍ର ଆଖିରେ ଆସି ଯାଇଥିଲା ଦୁଇଧାର ଲୁହ। ସମୁଦ୍ରର ଶୁଖିଲା ମୁହଁ ଦେଖି ନଈ କହିଲା ସମୁଦ୍ର ଭାଇ ତୁମେ ବି କୋଉ ଗୁଣରେ କମ୍ ନୁହଁ।ତୁମେ ଆମ ସମସ୍ତଙ୍କୁ ତୁମ କୋଳରେ ଆଶ୍ରୟ ଦେଉଛ।ଏ ଜଗତର ସମସ୍ତ ଲୋକ ତୁମ ଜଳରେ ପିଣ୍ଡ ଦେଇ ସେମାନଙ୍କ ପିତୃ ପୁରୁଷଙ୍କୁ ବୈକୁଣ୍ଠ ପଠାଇ ଖୁବ୍ ଖୁସି ହେଉଛନ୍ତି।ଆମ ଦୁହେଁ ଦୁହିଁଙ୍କର ସାଥି।ଆମ ଭିତରେ କିଏ ବଡ ନୁହଁ କି ସାନ ନୁହଁ। ଯିଏ ଯା ଗୁଣରେ ଦୁହେଁ ସମାନ। ଗୋଟିଏ ବିଧାତାଙ୍କ ଦୁଇଟି ସୃଷ୍ଟି।

ଏଥର ଶିକ୍ଷକ ପଚାରିଲେ ଏ ଗପରୁ କ’ଣ ଶିଖିଲ ପିଲାମାନେ ? ପିଲାମାନେ ଏକ ସ୍ଵରରେ କହିଲେ ଆମେ ସଭିଏଁ ସମାନ । ଆମ ଭିତରେ ଆମେ କେବେ ବି ଧନୀ -ଗରିବ ପାଠୁଆ -ଅପାଠୁଆ ଉଚ୍ଚ ଜାତି- ନୀଚ୍ଚ ଜାତି ଏଇ ଭାବନା ନରଖି ଭଲ ପାଠ ପଢି ଭବିଷ୍ୟତରେ ଭଲ ମଣିଷ ହେବୁ।ଆମେ ସଭିଏଁ ଏକ। ଏତିକି ବେଳେ ରୋଶନ୍ ଆଉ କିଷାନ୍ ଦୁହେଁ ଦୁହିଁଙ୍କୁ କୋଳା କୋଳି ହୋଇ ପିଠି ଥାପୁଡ଼େଇ ହେଉଥିଲେ।ଆଉ ଦୁହିଁଙ୍କ ଆଖିରୁ ଝରି ଆସୁଥିଲା ଦୁଇବୁନ୍ଦା ଲୁହ ହେଲେ ଖୁବ୍ ଖୁସି ଲାଗୁଥିଲା, ତାଙ୍କ ମୁହଁ ଦୁଇଟିର ସ୍ମିତହସ। ସେହି ଦିନଠୁ ଆଉ କେବେ କିଏ କାହାକୁ ଅଲଗା ଭାବି ନାହାଁନ୍ତି। ଏଥର ଦୁହେଁ କହିଲେ ,ସାର୍ ଆପଣଙ୍କ ଗପ ସିନା ଗୋଟିଏ, ହେଲେ ଶିକ୍ଷା ଦେଲା କୋଟିଏ।

 

ଶିକ୍ଷକ
ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ରୋହିଗାଁ,ଗଞ୍ଜାମ
ମୋ-୮୨୪୯୧୧୯୧୩୦

Leave A Reply

Your email address will not be published.