Latest Odisha News

BREAKING NEWS

କବିତା : ମୋ ଭାଗର ରଙ୍ଗ

ମଞ୍ଜୁ ରାଣୀ ବେହେରା

ମୋ ଭିତରେ
ଅନେକ ଭାଗରେ ବଣ୍ଟା ଏ ପୃଥିବୀ
ପ୍ରତିଟି ଭାଗରେ ବିଭକ୍ତ ମୁଁ
ନିଜ ସନ୍ଧାନରେ।
ବିକଳ ହୋଇ ଖାଲି ଦୌଡୁଥାଏ
ମୋ ଭିତରେ ସରି ସରି ଆସୁଥିବା ମୁଁକୁ
କେବଳ ଡରୁଥାଏ।

ସେମାନେ ଛାଡ଼ି ଯିବେ
ମୋ ଠୁ ଦୂରେଇ ଯିବେ
ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।
ମୋ ସାଙ୍ଗରେ ଚାଲୁଥିବା ଲୋକଙ୍କ
ଚିହ୍ନ ବି ଖୁବ୍ କମ ଦେଖିଲି।

ଗୋଟେ ସମୟ ପରେ ମୁଁ ଏକା ଚାଲିଲି
ମୋ ଭାଗର ହାତ ସେମାନେ ଛାଡ଼ି ଦେଉଥିଲେ
ତାଙ୍କ ପାଦ ଚିହ୍ନ ସବୁ ଧୀରେ ଧୀରେ
କମି କମି ଗଲେ
ମୋ ପାଦ କିନ୍ତୁ ଏକା ଏକା ଏତେ ପଥ ଅତିକ୍ରାନ୍ତ କଲା ପରେ
ନିଜେ ହିଁ ରାସ୍ତା ପାଲଟି ଯାଇଥିଲେ।

ମୁଁ ଅସହାୟତାର ନଜର ଆଢ଼ୁଆଲେ
କେବଳ ସେମାନଙ୍କ ଫେରିଯିବାର ଦେଖୁଥିଲି
ହେଲେ ମୁଁ କାନ୍ଦି ନ ଥିଲି
ଅଥଚ ତୁମେ କହିପାର
ମୁଁ କାନ୍ଦିବାକୁ ଚାହୁଁ ନ ଥିଲି।

ଯାହା ଅଛି ତାହା ସେମିତି ଥାଉ
ଏହା କେବଳ ଭାବନା ମାତ୍ର
ହେଲେ ନିୟତି ତ ନିର୍ଦ୍ଧିଷ୍ଟ ନା !

ଯେଉଁ ହାତ ସବୁ ଛାଡ଼ି ଦେଇଗଲେ
ନିଜ ପସନ୍ଦର ରଙ୍ଗ ସବୁ
ମୋ ହାତରେ ବୋଳିଲେ,
ଆଉ ମୁଁ ହାତ ମୁଠାରେ ରଖିଲି
ମୋ ଭାଗେ ଥିବା ଆତ୍ମୀୟତାର ରଙ୍ଗକୁ।

ସେ ରଙ୍ଗ ଯେତକ ଦେହରେ ମାଖି
ଦର୍ପଣରେ କେବଳ ମୁଁ ନିଜକୁ ଦେଖୁଥିଲି
ଦାଉ ଦାଉ ହେଇ ଝଟକୁ ଥିବା କିଛି ଗାଢ଼ ନାଲି ରଙ୍ଗରେ
ମୁଁ ବଞ୍ଚିବାର ପ୍ରୟାସ କରୁଥିଲି।

ଜାଣେ,
ଦିନେ ଏ ଯାତ୍ରାରେ ବି ପୂର୍ଣ୍ଣଛେଦ ପଡ଼ିବ
ହେଲେ ମୁଁ ଚାହେଁ ଯେବେ ମୋ ଯାତ୍ରାରେ
ପୂର୍ଣ୍ଣଛେଦ ପଡୁ
କେବଳ ସଫେଦ ନୁହଁ ସବୁ ରଙ୍ଗ ମିଶା ଚାଦରଟେ
ମୋତେ ଘୋଡେ଼ଇବ
ମୁଁ ମୋ ଭାଗର ରଙ୍ଗ ଯେତେ
ମୋ ସାଙ୍ଗରେ ନେଇ ଯିବାକୁ ଚାହେଁ
ଛାଡ଼ି ଦେଇଥିବା ହାତ ଭିତରେ କେବଳ ଏ ରଙ୍ଗ ହିଁ ତ
ମୋତେ ଜୀବିତ ରଖିଥିଲେ।

ସେତେବେଳେ ତୁମେ ତୁମ ସହରର ଆକାଶକୁ
ନିରିଖେଇ ଦେଖିବ
କେଉଁ ଏକ ଝରକା ଫାଙ୍କରୁ
ଦର ଆଉଜା କବାଟରୁ,
ପାରିବ ଯଦି ମୁକ୍ତ କରିନେବ ନିଜକୁ
ସବୁ ବନ୍ଧନରୁ।
ଝରକା, ଦୁଆର ବନ୍ଧର ଦୂରତାରୁ
ସବୁ ପରିଧିକୁ ଡେଇଁ
ମୁଁ ନିଶ୍ଚୟ ଆସିବି ତୁମ ଭାଗର ଆକାଶରେ
ଏକ ଇନ୍ଦ୍ରଧନୁ ହୋଇ…।

Leave A Reply

Your email address will not be published.