Latest Odisha News

BREAKING NEWS

ଶରୀର ପାଇଁ ଯୋଗ ସହିତ ମିଲେଟ ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେଟ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଯୋଗ ଦିବସ ଏବଂ ଆମର ବିଭିନ୍ନ କ୍ଷୁଦ୍ର ଶସ୍ୟ ବା ମିଲେଟ୍ସରେ ସାଧାରଣ ଜିନିଷ ରହିଛି। ଏହି ଦୁଇଟି ମଧ୍ୟରେ ବହୁତ କିଛି ସାଧାରଣ ରହିଛି। ଉଭୟ ଶରୀର ପାଇଁ ଜରୁରୀ ବୋଲି ସେ କହିଛନ୍ତି।

ପ୍ରକୃତରେ ମିଳିତ ଜାତିସଂଘ ଉଭୟ ଆନ୍ତର୍ଜାତିକ ଯୋଗ ଦିବସ ଏବଂ କ୍ଷୁଦ୍ର ଶସ୍ୟ ପାଇଁ ଆନ୍ତର୍ଜାତିକ ବର୍ଷ ପାଳନ କରିବାର ନିଷ୍ପତି ଭାରତର ପ୍ରସ୍ତାବ ପରେ ହିଁ ଗ୍ରହଣ କରିଛି । ଦ୍ୱିତୀୟ କଥା ହେଲା ଯେ, ଯୋଗ ମଧ୍ୟ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଓ ମିଲେଟ୍ସର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ କଥାଟି ଆହୁରି ଗୁରୁତ୍ୱପୂର୍ଣ୍ଣ । ଉଭୟ ଅଭିଯାନରେ ଜନସହଯୋଗିତା ଯୋଗୁଁ ଏକ ପ୍ରକାର ବିପ୍ଳବ ସୃଷ୍ଟି ହୋଇଛି । ଜନସାଧାରଣ ଯେଉଁଭଳି ଭାବେ ବ୍ୟାପକ ସ୍ତରରେ ସକ୍ରିୟ ଅଂଶଗ୍ରହଣ କରି ଯୋଗ ଓ ଫିଟନେସକୁ ନିଜ ଜୀବନର ଅଂଶ କରିଦେଇଛନ୍ତି, ସେହିଭଳି ଭାବେ ମିଲେଟ୍ସକୁ ମଧ୍ୟ ଲୋକେ ବ୍ୟାପକଭାବେ ଆପଣାଇଲେଣି । ଲୋକେ ଏବେ ମିଲେଟ୍ସକୁ ନିଜ ଖାଦ୍ୟରେ ସାମିଲ କଲେଣି । ଏହି ପରିବର୍ତନର ବହୁତ ବଡ଼ ପ୍ରଭାବ ମଧ୍ୟ ଦେଖାଗଲାଣି । ଏହାଦ୍ୱାରା ଏକପକ୍ଷରେ ସେହି କ୍ଷୁଦ୍ରଚାଷୀମାନେ ବହୁତ ଉତ୍ସାହିତ ହୋଇଛନ୍ତି ଯେଉଁମାନେ ପାରମ୍ପରିକ ଭାବେ ମିଲେଟ୍ସ ଚାଷ କରୁଥିଲେ । ବିଶ୍ୱ ଏବେ ସେମାନଙ୍କ ଶସ୍ୟର ମୂଲ୍ୟ ବୁଝିପାରିଥିବାରୁ ସେମାନେ ଏବେ ବହୁତ ଖୁସି । ଅପରପକ୍ଷରେ ଏଫ୍ପିଓ ଏବଂ ଉଦ୍ୟୋଗୀମାନେ ମିଲେଟ୍ସକୁ ବଜାରକୁ ପହଂଚାଇବା ଏବଂ ଏହାକୁ ଜନସାଧାରଣଙ୍କୁ ଉପଲବ୍ଧ କରାଇବାର ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି  ବୋଲି ସେ କହିଛନ୍ତି।

ଓଡ଼ିଶାର ମିଲେଟ୍-ପ୍ରେନିୟର୍ସ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି । ଆଦିବାସୀ ଜିଲ୍ଲା ସୁନ୍ଦରଗଡ଼ର ପ୍ରାୟଃ ଦେଢ଼ ହଜାର ମହିଳାମାନଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍ସ ମିଶନ୍ ସହିତ ଜଡ଼ିତ । ଏଠାରେ ମହିଳାମାନେ ମିଲେଟ୍ସରେ କୁକିଜ୍, ରସଗୋଲା, ଗୋଲାପଜାମୁ ଏବଂ କେକ୍ ମଧ୍ୟ ତିଆରି କରୁଛନ୍ତି । ବଜାରରେ ଏହାର ଚାହିଦା ବହୁତ ବଢ଼ୁଥିବାରୁ ମହିଳାମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଚାଲିଛି ବୋଲି ସେ କହିଛନ୍ତି।

ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ୍ ଜିଲ୍ଲାର ବାସିନ୍ଦା କେ.ଭି. ରାମା ସୁବ୍ବା ରେଡ୍ଡି ମିଲେଟ୍ସ ସକାଶେ ଗୋଟିଏ ଭଲ ଦରମାର ଚାକିରି ଛାଡ଼ିଦେଲେ । ମା’ଙ୍କ ହାତତିଆରି ମିଲେଟ୍ସର ବ୍ୟଞ୍ଜନଗୁଡ଼ିକର ସ୍ୱାଦ ତାଙ୍କୁ ଏଭଳି ଆକୃଷ୍ଟ କରିଥିଲା ଯେ, ସେ ନିଜ ଗାଁରେ ବାଜରା ପ୍ରକ୍ରିୟାକରଣ ଉଦ୍ୟୋଗ ହିଁ ପ୍ରତିଷ୍ଠା କରିଦେଲେ । ସୁବ୍ବା ରେଡ୍ଡି ଲୋକଙ୍କୁ ବାଜରାର ଲାଭ ସମ୍ପର୍କରେ ମଧ୍ୟ କହୁଛନ୍ତି ଏବଂ ଏହାକୁ ସହଜରେ ଉପଲବ୍ଧ ମଧ୍ୟ କରାଉଛନ୍ତି ।

ମହାରାଷ୍ଟ୍ରରେ ଅଲିବାଗ ନିକଟରେ କେନାଡ଼ ଗ୍ରାମର ବାସିନ୍ଦା ଶର୍ମିଳା ଅସ୍ୱାଲ ବିଗତ ୨୦ ବର୍ଷରୁ ମିଲେଟ୍ସ ଉତ୍ପାଦନରେ ନିଆରା ଢଙ୍ଗରେ ଯୋଗଦାନ ଦେଇଛନ୍ତି । ସେ ଚାଷୀମାନଙ୍କୁ ସ୍ମାର୍ଟ ଏଗ୍ରିକଲଚର ବିଷୟରେ ତାଲିମ ଦେଉଛନ୍ତି । ତାଙ୍କ ପ୍ରଚେଷ୍ଟା ଦ୍ୱାରା କେବଳ ମିଲେଟ୍ସର ଉତ୍ପାଦନ ବୃଦ୍ଧି ପାଇଛି ତାହା ନୁହେଁ, ବରଂ ଚାଷୀମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି ।

ସେହିପରି ଛତିଶଗଡ଼ର ରାୟଗଡ଼ରେ ମିଲେଟ୍ସ କ୍ୟାଫେ କଥା ମୋଦୀ କହିଛନ୍ତି। ମାତ୍ର କିଛି ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ମିଲେଟ୍ସ କ୍ୟାଫେରେ ଚକୁଳି, ଦୋସା, ମୋମୋସ୍, ପିଜ୍ଜା ଏବଂ ମାଂଚୁରିୟାନ୍ ଭଳି ବ୍ୟଞ୍ଜନ ଖୁବ ଲୋକପ୍ରିୟ ହେବାରେ ଲାଗିଛି  ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଜି ଭାରତର କୋଣ-ଅନୁକୋଣରେ ଜି-୨୦ର ସମ୍ମିଳନୀ କ୍ରମାନ୍ୱୟରେ ଆୟୋଜିତ ହେଉଛି ଏବଂ ଦେଶର ପ୍ରତ୍ୟେକ କୋଣରେ ଯେଉଁଠାରେ ଜି-୨୦ ର ସମ୍ମିଳନୀ ହେଉଛି, ସେଠାରେ ମିଲେଟ୍ସରେ ତିଆରି ପୁଷ୍ଟିକର ଏବଂ ସୁଆଦିଆ ବ୍ୟଞ୍ଜନ ସେଥିରେ ସାମିଲ ହୋଇରହୁଛି । ଏଠାରେ ବାଜରାରେ ତିଆରି ଖେଚୁଡ଼ି, ଚୁଡ଼ା, କ୍ଷୀରି ଏବଂ ରୁଟି ସହିତ ମାଣ୍ଡିଆରେ ତିଆରି କ୍ଷୀରି, ପୁରୀ ଏବଂ ଦୋସା ଭଳି ବ୍ୟଞ୍ଜନ ପରଷା ଯାଉଛି । ଜି-୨୦ର ସମସ୍ତ ଆୟୋଜନ ସ୍ଥଳମାନଙ୍କରେ ମିଲେଟ୍ସ ପ୍ରଦର୍ଶନୀରେ ମିଲେଟ୍ସରେ ତିଆରି ହେଲ୍ଥ ଡ୍ରିଙ୍କ୍, ସିରିଆଲ୍ସ ଏବଂ ନୁଡୁଲ୍ସକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ସାରା ବିଶ୍ୱରେ ଏହାର ଲୋକପ୍ରିୟତା ବଢ଼ାଇବା ପାଇଁ ଇଣ୍ଡିଆନ ମିଶନମାନ ମଧ୍ୟ ପ୍ରୟାସ କରୁଛନ୍ତି।

 

Leave A Reply

Your email address will not be published.