ଲକ୍ଷ୍ନୌ: ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ୧୦୦ ରନ୍ର ଟାର୍ଗେଟକୁ ପଛି କରି ସଫଳ ହେବାରେ ଭାରତକୁ ୧୯.୫ ଓଭର ଖେଳିବାକୁ ପଡିଥିଲା। ଏଥିପାଇଁ ଦଳକୁ ପଡିଆରେ ସଂଘର୍ଷ କରିବାକୁ ପଡ଼ିଥିଲା।
ଦ୍ୱିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି କିଓ୍ୱି ଟିମ୍ ବହୁତ କମ୍ ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୯୯ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତୀୟ ଦଳ ମଧ୍ୟ ମ୍ୟାଚକୁ ସହଜରେ ଜିତିନଥିଲା। ନ୍ୟୁଜିଲ୍ୟାଣ୍ଡର ସ୍ପିନରମାନେ ଚମତ୍କାର ବୋଲିଂ କରିଥିଲେ ଏବଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସହଜରେ ସ୍କୋର କରିବାକୁ ଦେଇନଥିଲେ।
ବ୍ୟାଟିଂ କରିବାକୁ ଆସି ଟପ୍ ଅର୍ଡର ବ୍ଯାଟସମ୍ୟାନ ପୁଣି ଥରେ ନିରାଶ କରିଛନ୍ତି। ଶୁଭମାନ ଗିଲ ୧୧, ଇଶାନ କିଶନ ୧୯ ଏବଂ ରାହୁଲ ତ୍ରିପାଠୀ ୧୩ ରନ କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହାପରେ ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ୱାଶିଂଟନ୍ ସୁନ୍ଦର ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଥିଲେ।
ଏହ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଇନିଂସକୁ ଧୀରେ ଧୀରେ ଆଗକୁ ନେଇ ଖେଳକୁ ଶେଷ ସ୍ଥାନକୁ ନେଇଥିଲେ। ଏହା ପରେ ଟିମ୍ ଇଣ୍ଡିଆ ଶେଷ ଓଭରରେ ଏହି ମ୍ୟାଚ୍ ଜିତିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ୍ କରି ଅପରାଜିତ ରହିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୬ ରନ କରି ଅପରାଜିତ ଥିଲେ। ମ୍ଯାଚ ଜିତିବାକୁ ଏକ ଚୌକା ମାରିଥିଲେ ସୂର୍ଯ୍ୟକୁମାର ଯାଦବ। ସେହିପରି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଭାରତ ଗୋଟିଏ ଇନିଂସରେ ଗୋଟିଏ ଛକା ମାରିନାହିଁ।
ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ଏହି ଛୋଟ ଲକ୍ଷ୍ୟକୁ ସହଜରେ ହାସଲ କରିବାକୁ ଭାରତକୁ ଛାଡିନଥିଲା। ଯାହା ପ୍ରଶଂସା ଯୋଗ୍ୟ। ଏହା ପୂର୍ବରୁ ରାଞ୍ଚିରେ ମଧ୍ୟ ଭାରତୀୟ ବ୍ୟାଟସମ୍ୟାନ ନ୍ୟୁଜିଲ୍ୟାଣ୍ଡର ସ୍ପିନରଙ୍କ ସାମ୍ନାରେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ମ୍ୟାଚରେ ବୋଲରମାନେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଞ୍ଚି ଟି -୨୦ରେ ଭାରତକୁ ୨୧ ରନରେ ପରାସ୍ତ କରିଥିଲା ଭ୍ରମଣକାରୀ ଦଳ। ଏବେ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଫେବୃଆରୀ ୨ରେ ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।