Latest Odisha News

BREAKING NEWS

ହୀନ ରାଜନୀତି ଛାଡୁନି ପାକିସ୍ତାନ: ୱାଘା ସୀମାରେ ୧୯୦ ହିନ୍ଦୁଙ୍କୁ ଅଟକାଇଲେ ପାକ ଅଧିକାରୀ

ଇସଲାମବାଦ: ଗୋଟିଏ ପଟେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଅନ୍ୟ ରାଷ୍ଟ୍ର ପାଖରେ ହାତ ପତଉଛି । ଦେଶ ଭିକାରୀ ହୋଇଗଲାଣି କହି ମୁଣ୍ଡ ପିଟୁଛନ୍ତି ପାକ ପ୍ରଧାନମନ୍ତ୍ରୀ  । ହେଲେ ଭାରତ ବିରୋଧୀ ବୟାନବାଜିରୁ କିନ୍ତୁ ଓହରି ନାହାନ୍ତି । ଭାରତ ସହ ହୀନ ରାଜନୀତି ଖେଳିବା ବି ଛାଡି ନାହାନ୍ତି । ନିକଟରେ ଘଟିଥିବା ଏକ ତାଜା ଘଟଣା ଏହାର ପ୍ରମାଣ ।

ପାକିସ୍ତାନ ଅଥରିଟି ୱାଘା ସୀମାରେ ୧୯୦ ଜଣ ହିନ୍ଦୁଙ୍କୁ ଅଟକାଇ ରଖିଛନ୍ତି । ମଙ୍ଗଳବାର ଦିନ ଏହି ହିନ୍ଦୁ ପରିବାର ଭାରତ ଆସିବାକୁ ବାହାରିଥିଲେ । ସେମାନଙ୍କୁ ପାକ ଅଥରିଟି ଭାରତ ସୀମା ଭିତରକୁ ଯିବାକୁ ଦେଇ ନ ଥିଲେ । ପାକ ମିଡିଆ ପକ୍ଷରୁ କୁହାଯାଇଛି ଯେ, ଏହି ହିନ୍ଦୁମାନେ ପାକ ଅଧିକାରୀଙ୍କୁ କାହିଁକି ଭାରତ ଯିବାକୁ ଚାହୁଁଥିଲେ ଏବଂ ସେଠାକୁ ଯିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ତାହାର ସଠିକ ଉତ୍ତର ଦେଇ ପାରି ନ ଥିଲେ ଯେଉଁଥିପାଇଁ ତାଙ୍କୁ ପାକ ଅଧିକାରୀ ଛାଡି ନ ଥିଲେ ।

ପାକ ମିଡିଆ ଏକ୍ସପ୍ରେସ ଟ୍ରିବ୍ୟୁନ ସୋର୍ସ କହିଛି, ପାକିସ୍ତାନରେ ହିନ୍ଦୁମାନେ ଅଳ୍ପସଂଖ୍ୟକ । ସେମାନଙ୍କ ସହ ଅନେକ ସମୟରେ ଦୁର୍ବ୍ୟବହାର ଏବଂ ଅତ୍ୟାଚାର ହେଉଥିବା ଖବର ସାମ୍ନାକୁ ଆସିଥାଏ  । ପାକିସ୍ତାନ ଅଥରିଟି ଏହି ହିନ୍ଦୁ ପରିବାରରେ ଥିବା ମହିଳା ଓ ଛୋଟ ଛୋଟ ଶିଶୁମାନଙ୍କୁ ସୀମା ପାର ହେବାକୁ ଦେଇ ନ ଥିଲେ  । ସେମାନେ ସିନ୍ଧ ପ୍ରାନ୍ତ ଦେଇ ଭାରତ ଆସିବାକୁ ଚାହୁଁଥିଲେ । ହେଲେ ସେମାନେ  ୱାଘା ସୀମାରେ ପହଞ୍ଚିବା ପରେ ତାଙ୍କୁ ଛାଡି ନ ଥିଲେ ।

ଏମାନଙ୍କ ପାଖରେ ତୀର୍ଥଯାତ୍ରା ଭିଜା ଥିଲା । ହେଲେ ଇମିଗ୍ରେସନ ଅଥରିଟି ସେମାନଙ୍କୁ ଭାରତ ଯାତ୍ରା ପାଇଁ ଅନୁମତି ଦେଇ ନ ଥିଲେ । ତେବେ ସେମାନଙ୍କୁ ନ ଛାଡିବା ନେଇ ଅଥରିଟି ଯେଉଁ ସଫେଇ ଦେଇଥିଲେ ତାହା ସନ୍ତୋଷ ଜନକ ନ ଥିଲା । ପାକ  ଅଥରିଟି ପକ୍ଷରୁ କୁହାଯାଇଥିଲ, ଏହି ଲୋକମାନେ ଭାରତ ଯାଆନ୍ତି । ସେଠାରେ ଝୋପଡିରେ ରୁହନ୍ତି । ସେଠାରେ ଚଳିବା ପାଇଁ ଖୁବ କଷ୍ଟ କରିଥାନ୍ତି । ଆଉ ସେଠାରେ ପାକିସ୍ତାନର ବଦନାମ କରିଥାନ୍ତି । ଏମାନେ ଭାରତ ଯାଇ ପାକିସ୍ତାନରେ ସେମାନେ ସୁରକ୍ଷିତ ନୁହଁନ୍ତି ବୋଲି କୁହନ୍ତି ।

ପାକିସ୍ତାନ ମିଡିଆ ଅନୁସାରେ, ପାକିସ୍ତାନରୁ ବହୁ ସଂଖ୍ୟକ ହିନ୍ଦୁ ଯାଇ ଭାରତର ରାଜସ୍ଥାନ ଏବଂ ଦିଲ୍ଲୀରେ ବସତି ସ୍ଥାପନ କରି ରହୁଛନ୍ତି ଏବଂ ଭାରତରେ ଏହି ହିନ୍ଦୁମାନେ ବନଜାରାମାନଙ୍କ ପରି ରୁହନ୍ତି  ।

ସୂଚନାଥାଉ କି, ପାକିସ୍ତାନର; ୨୨ ଲକ୍ଷ ୧୦ ହଜାର ୫୬୬ ଜଣ ହିନ୍ଦୁ ରହୁଛନ୍ତି । ବିଶେଷକରି ସିନ୍ଧ ପ୍ରାନ୍ତରେ ବେଶି ହିନ୍ଦୁ ରହନ୍ତି । ହେଲେ ସେଠାରେ ସେମାନେ ଖୁବ ଦୟନୀୟ ଜୀବନ ବିତାଉଛନ୍ତି । ଏମାନ; ଦାରିଦ୍ର୍ୟ ମଧ୍ୟରେ ରୁହନ୍ତି ଏବଂ ସଂସଦରେ ଏମାନଙ୍କ ପ୍ରତିନିଧିତ୍ୱ ନଥିବା ପରି ।

Comments are closed.