Latest Odisha News

BREAKING NEWS

୧୩ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ମାଲକାନଗିରି:ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଓ ଆବାସିକ ଶିକ୍ଷା ବ୍ୟବସ୍ଥାର ସମ୍ପ୍ରସାରଣ ଦିଗରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଆଜି ମହାରାଷ୍ଟ୍ରର ଗଡ଼ଚିରୋଲିଠାରୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୭ଟି ଜିଲ୍ଲାରେ ନିର୍ମିତ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଉଦ୍‌ଘାଟନ କରିଛନ୍ତି । ଏଥିସହ କନ୍ଧମାଳ ଜିଲ୍ଲାରେ ଆଉ ୩ଟି ନୂତନ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଉଦ୍‌ଘାଟିତ ୧୩ଟି ବିଦ୍ୟାଳୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଓ ଯଶୀପୁର, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ରାଇଘର ଓ ଉମରକୋଟ, ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର ସାରସକଣା ଏବଂ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା, କଲ୍ୟାଣସିଂହପୁର ଓ ପଦ୍ମପୁର ସାମିଲ ଅଛି।

ସେହିପରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, କେ.ନୂଆଗାଁ ଓ କୋଟଗଡ଼ଠାରେ ଆଉ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହି ଅବସରରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ରହିଥିଲେ।

ଏହି ପଦକ୍ଷେପ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆବାସିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଓ ଉନ୍ନତ ଶିକ୍ଷଣ ପରିବେଶ ଯୋଗାଇଦେବାରେ ସହାୟକ ହେବ।

Leave A Reply

Your email address will not be published.