ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମା ବିମଳାଙ୍କ ମନ୍ଦିରରେ ଷୋଳ ପୂଜା ଚାଲିଛି । ସକାଳ ଧୂପ ବେଳେ ପାଠ ଚାଲିଛି ଚଣ୍ଡୀ ଓ ଦୁର୍ଗା ସହସ୍ର ନାମ। ଅତ୍ୟନ୍ତ ଆଡମ୍ବର ସହକାରେ ଘଣ୍ଟ, କାହାଳି ବାଜି ଷୋଡଶ ଉପଚାରରେ ଚାଲିଛି ମାଙ୍କ ଶାରଦୀୟ ପୂଜା ଉତ୍ସବ ପାଳିତ ହେଉଛି । “ଶାକ୍ତ ଗୁଣ୍ଡିଚା ‘ର ସମସ୍ତ ବିଧି ବିଧାନ। ଆଜି କିନ୍ତୁ ଆଲୋଚନା କରିବା ମୂଖ୍ୟ ତ୍ରିଦିବସୀୟ ପୂଜା ଯାହା ମହା ସପ୍ତମୀ, ମହା ଅଷ୍ଟମୀ ଓ ମହା ନବମୀ ରେ ପାଳିତ ହେବ। ଏଥିପାଇଁ ସ୍ୱତନ୍ତ୍ର ସଂକଳ୍ପ ମଧ୍ୟ ହେବ। କାରଣ ଏହି ତିନି ଦିନ ମାଙ୍କ ନିକଟରେ ବଳି ଭୋଗ ଓ ଆମିଷ ରୋଷେଇ ହୋଇ ଶଙ୍ଖୁଡି ଭୋଗ ଲାଗିବ। ବିମଳା ମନ୍ଦିର ସମ୍ମୁଖରେ ଥିବା କୂପର ଡାହାଣ ଭାଗରେ ଏକ ଅସ୍ଥାୟୀ ରୋଷ ଘର ନିର୍ମାଣ କରାଯାଇ, ଏହି ଆମିଷ ଭୋଗ ପ୍ରସ୍ତୁତ ହେବ। ଏହି ତ୍ରି ଦିବସୀୟ ପୂଜା ର ବିଶେଷ ମହତ୍ୱ ହେଲା, ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କ ରାତ୍ର ପହୁଡ଼ ପରେ, ଶ୍ରୀମନ୍ଦିର ବେଢା ଶୋଧା ହେବା ପରେ ପଶ୍ଚିମ ଦ୍ୱାର ଦେଇ ଦେବୀଙ୍କ ବଳି ଭୋଗ ଓ ଆମିଷ ଇତ୍ୟାଦି ଭୋଗ ପ୍ରସ୍ତୁତି ପାଇଁ ଆସେ। ଏହି ତିନି ଦିନ ପ୍ରତ୍ୟେକ ରାତ୍ରିରେ ଦୁଇଟି ଲେଖାଁଏ ମେଣ୍ଢା ବଳି ଦିଆ ଯାଏ। ଏହି ବଳି ଛେଦ ସେହି କୂପ ନିକଟରେ ପଡି, ପୂଜକଙ୍କ ଦ୍ୱାରା ସରlରେ ରକ୍ତ ସଂଗ୍ରହ କରାଯାଇ ମା’ଙ୍କ ନିକଟରେ ସମର୍ପିତ ହୁଏ। ଏହି ସମୟରେ ରନ୍ଧା ଯାଇଥିବା ଶଙ୍ଖୁଡି ପ୍ରସାଦ (ଖେଚୁଡ଼ି, କ୍ଷୀରି, ଭଜା ଓ ମାଛ ବେସର ଇତ୍ୟାଦି )ମା’ଙ୍କୁ ଭୋଗ ଲଗାଯାଏ। ତିନି ଦିନ ଯାକ ଏଭଳି ପୂଜା କରାଯାଏ। ଶଙ୍ଖୁଡ଼ି ଧୂପ ପାଣି ପଡିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ଚୂନ ପାଣି ପଡି ବିଶୋଧନ କରାଯାଏ ।
ପ୍ରକାଶ ଥାଉକି ଏହି ଷୋଳ ଦିନ ପୂଜା ସମୟରେ ମା ବିମଳାଙ୍କ ମନ୍ଦିର କୁ ସ୍ତ୍ରୀ ଲୋକମାନଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଏ। ଏହି ସମୟରେ ଗୁରୁବାର ଦିନ ହେଉଥିବା “ଏକାନ୍ତ ନୀତି “ମଧ୍ୟ ବନ୍ଦ ରୁହେ। ଏହି ଷୋଳ ପୂଜା ସମୟରେ ମା ଦୈନଦିନ ପିନ୍ଧୁଥିବା ସ୍ଵର୍ଣ ଅଳଙ୍କାର ସହ କିଛି ନୂଆ ଅଳଙ୍କାର ପିନ୍ଧି ବିଭିନ୍ନ ବେଶ ହୁଅନ୍ତି। ଏହି ଷୋଳ ପୂଜା ସମୟରେ କେହି ଶ୍ରଦ୍ଧାଳୁ ବଳି ଭୋଗ କରିବାକୁ ଚାହିଁଲେ। ଏହା ଶ୍ରୀମନ୍ଦିର ବାହାରେ ମାଙ୍କ ପ୍ରତିନିଧି ଭାବରେ ପୂଜିତା ମା କାକୁଡି ଖାଇଙ୍କ ନିକଟରେ ପ୍ରଦାନ କରାଯାଏ। ବିଶେଷ ରୀତିନୀତି ହିସାବରେ ଏହି ବଳି ପ୍ରଥା ର ପ୍ରଚଳନ ଚାଲିଛି। ନଚେତ ମୁଁ ଆଗରୁ ପ୍ରକାଶ କରିଛି ଯେ ମା ପରମ ବୈଷ୍ଣବୀ ମା ଭୁବନେଶ୍ୱରୀ ରୂପେ ବିରାଜିତ ଅଛନ୍ତି। ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।
ଦେବତା ବସେ ସର୍ବ ଭୁତେ
ଇନ୍ଦ୍ରିୟେ ଅଭେଦ ସ୍ବରୁପେ ।
କୋପଇ ଏକ ଅଙ୍ଗେ ଥାଇ
ଅପର ଅଙ୍ଗେ ପ୍ରହାରଇ ।
ଏ ଦୁଃଖ ସୁଖ ବିଚାରିଲେ
ଲଗାଇ ନାହିଁ ଆତ୍ମା ତୁଲେ ।
ଜୟ ମା ବିମଳା, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.