Latest Odisha News

ରାଜ୍ୟ ସରକାର କୋଟେରୀ ଦ୍ୱାରା ହାଇଜାକ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ ଗଣତନ୍ତ୍ର ନାହିଁ। ରାଜ୍ୟର ଶାସନ ବ୍ୟବସ୍ଥା ଏକ କୋଟେରୀ ଦ୍ୱାରା ହାଇଜାକ ( ଅନ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହେବା) ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବାର ଦିନକ ପରେ ଏହା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅମଲାତନ୍ତ୍ର ଯାଏ ସମସ୍ତେ କୌଣସି କାମ କରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ନିର୍ଦ୍ଦେଶକୁ ଅପେକ୍ଷା କରିଥାନ୍ତି ବୋଲି ସେ କହିଛନ୍ତି । ଯେହେତୁ ଗୋଟିଏ କୋଟେରୀ ଦ୍ୱାରା ଏହି ସରକାର ଏବେ ହାଇଜାକ ହୋଇଛି ତେଣୁ ଏବେ ସାଧାରଣ ଲୋକଙ୍କ କଥା ଶୁଣାଯାଉନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା କହିଛନ୍ତି, ନବୀନ ସରକାର ବଦଳି ଯାଇଛି। ଦୁର୍ନୀତି ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେଉଁ ସରକାରର ଜିରୋ ଟଲେରାନ୍ସ ନୀତି ଥିଲା, ସେହି ସରକାର ଏବେ ଦୁର୍ନୀତିରେ ଛନ୍ଦି ହୋଇଯାଇଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ବିଜୟ ପଟ୍ଟନାୟକ ଓଡ଼ିଶା ସରକାରର ମୁଖ୍ୟ ଶାସନ ସଚିବ ଥିଲେ। ସେ ଜଣେ ସଚ୍ଚୋଟ ଅଫିସର। ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ମିଶିବା ଯୋଗ ଦଳୀୟ କର୍ମୀଙ୍କ ମନୋବଳ ଅଧିକ ବୃଦ୍ଧି ପାଇଛି। କଂଗ୍ରେସର ହାୱା ପୁନର୍ବାର ଫେରିଛି ବୋଲି ସମସ୍ତେ ଅନୁଭବ କରିଛନ୍ତି। ବିଜୟ ପଟ୍ଟନାୟକ ଜାଣିଛନ୍ତି ଆଗାମୀ ଦିନରେ କଂଗ୍ରେସ ସରକାରକୁ ଆସିବ। ତେଣୁ ସେ ବିଜେଡି ଓ ବିଜେପି ପରିବର୍ତ୍ତେ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟ ପଟ୍ଟନାୟକ ଠିକ କହିଛନ୍ତି ସେ ସମୟର ନବୀନ ବାବୁ ଆଉ ଏ ସମୟର ନବୀନ ବାବୁଙ୍କ ଭିତରେ ଅନେକ ଫରକ ରହିଛି।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଠ ଥିଲେ। ସେ ଯେତେବେଳେ ଏ କଥା କହୁଛନ୍ତି ତାର ସତ୍ୟତା ଥାଇପାରେ। ଆମେ ମଧ୍ୟ ପରିଲିକ୍ଷିତ କରୁଛୁ। ଆଜି ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଚଳାଉ ନାହାନ୍ତି। କିଏ ଚଳାଉଛି କେମିତି ଚଳାଉଛି ଏବଂ ଚାବି କାହା ପାଖରେ ଅଛି ଏ ପ୍ରଶ୍ନର ଉତ୍ତର ବିଜୁ ଜନତା ଦଳ ପାଖରେ ନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନାହିଁ। ସରକାର ପ୍ରଚ୍ଛଦପଟରୁ ଚାଲିଛି, ମୁଖ୍ୟମନ୍ତ୍ରୀ ସକ୍ଷୀ କଣ୍ଢେଇ ପାଲଟିଛନ୍ତି।

ବିଜେଡିର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବିଜେଡିରେ କେହି ଅସହାୟ ନୁହନ୍ତି। ପ୍ରତ୍ୟେକ ମନ୍ତ୍ରୀ ଓ ବିଧାୟକ ସାଧାରଣ ଲୋକଙ୍କୁ ଭେଟିବାକୁ ଯାଉଛନ୍ତି। କଂଗ୍ରେସରେ ବିଜୟ ପଟ୍ଟନାୟକ ଯୋଗଦେବା ତାଙ୍କ ବ୍ୟକ୍ତିଗତ ଇଚ୍ଛା। ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ବୋଲି ଆମେ ଭାବୁ ନାହୁଁ।

ଉଲ୍ଲେଖଯୋଗ୍ୟ, ବିଜୟ ପଟ୍ଟନାୟକ ଦକ୍ଷିଣ ଓଡିଶାର । ତେଣୁ ଆଗାମୀ ଦିନରେ ସେ ପାରଳାଖେମୁଣ୍ଡି ବିଧାନସଭା କିମ୍ବା ବ୍ରହ୍ମପୁର / ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିପାରନ୍ତି।

 

 

 

 

 

 

Comments are closed.