Latest Odisha News

BREAKING NEWS

ଭାଷା ଭାଗବତ : ପ୍ରଚାରିତ ମିଥ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ମିଛ ଶୁଣିଲେ ପ୍ରତି ଦିନ
ମଣିଷ ହୁଏ ବୋଧଶୂନ୍ୟ
ମିଛକୁ ସତ ବୋଲି ମାନି
କରେ ଜ୍ଞାନର ମାନହାନି

ଏପରି ଅଧିକାଂଶ ବ୍ୟକ୍ତି
ହରାଇ ବିଶ୍ଳେଷଣ ଶକ୍ତି
କରଂତି କଥାକୁ ବିଶ୍ବାସ
ହୁଅଂତି ପ୍ରଚାରର ଦାସ

ପ୍ରଚାର, ବିଚାର ପାର୍ଥକ୍ଯ
ବୁଝି ନ ପାରି ବହୁ ଲୋକ
କରଂତି ସହଜେ ଗ୍ରହଣ
ଯାହା ଶୁଣଂତି ପ୍ରତି ଦିନ

ଲୋକଂକ ଏହି ଆଚରଣ
ଯୋଗୁଁ ହିଁ ଅନ୍ୟାୟ ଶାସନ
ହୁଅଇ ଅତି ବଳଶାଳୀ
ସତ୍ୟ ପଡ଼ଇ ଆପେ ଟଳି

ଏପରି ପ୍ରଚାର କୌଶଳ
ପ୍ରୟୋଗ କରି ନେତାକୁଳ
ଦେଖାଂତି ମନଗଢ଼ା ସ୍ବପ୍ନ
ହୁଏନି କେବେ ରୂପାୟନ

ସମସ୍ୟା କରି ଉଦ୍‌ଭାବନ
ଦେଖାଂତି ତା’ର ସମାଧାନ
ମାଗଂତି ଜନ ସମର୍ଥନ
ଶାସନ ବିରୋଧ-ବିହୀନ

ଚିଂତନ ଶକ୍ତି ହେଲେ ମୃତ
କେହି ହୁଏନି ଉପକୃତ
ସହଜ-ବିଶ୍ବାସୀ ଜନତା
ମାନଂତି ପ୍ରଚାରିତ ମିଥ୍ୟା

ମନ ଯେ ହେଉଛି ଆକ୍ରାଂତ
ବୁଝି ନ ପାରି ଏ ପର୍ଯଂତ
ଲୋକେ ହେଲେ ହେଁ ହଂତସଂତ
କେହି ତ କରେନି ତଦଂତ

ମାଗଣା ମିଳୁଛି ସଂବାଦ
ଦୁର୍ମୂଲ୍ୟ ପେଟ ପାଇଁ ଖାଦ୍ୟ
ନିଶ୍ଚିହ୍ନ ବୌଦ୍ଧିକ ସଂପଦ
ଏହା ହିଁ ବିଶ୍ବକୁ ବିପଦ

Comments are closed.