ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲେଖାର ଉତ୍କର୍ଷ ବିଧାନ
ନିମଂତେ ବିକଳ୍ପ ସଂଧାନ
ଥିଲେ ହେଁ ଅତି ପ୍ରୟୋଜନ
ଲେଖକେ ଦିଅଂତିନି ଧ୍ୟାନ
ଯେ ଯାହା ଅଭ୍ୟାସ ଆଦରି
ଲେଖଂତି ବାକ୍ୟ ଅସୁମାରୀ
ଗୋଟିଏ ଆରଟିର ଭଳି
ମୁଦ୍ରିତ ହୋଇ ଯାଏ ଚଳି
ଲେଖକ ହେଲେ ଯଂତ୍ରୋପମ
ଲିଖନ ହୁଏନି ଉତ୍ତମ
ନୂତନତା ନ ଦେଲେ ଦେଖା
ଆଦୃତ ହୁଏନାହିଁ ଲେଖା
ଅଲୋଡ଼ା ଶବ୍ଦ ବ୍ୟବହାର
କରିଚାଲିଲେ ବାରଂବାର
ଲେଖାର ଦୈର୍ଘ୍ଯ ଯାଏ ବଢ଼ି
ପାଠକେ ପାରଂତିନି ପଢ଼ି
ମୁଦ୍ରାଯଂତ୍ରର ଦାବି ମାନି
ଲେଖିଲେ ହୁଏ ଯେତେ ହାନି
ହୋଇନି ତହିଁର କଳନା
ପାଠକ ହୁଏ ଆନମନା
ଯେମିତି ହେଉ ବେଶି ପୃଷ୍ଠା
ଲେଖିବା ପାଇଁ କଲେ ଚେଷ୍ଟା
ଲେଖାରେ ରହେନି ସ୍ପଷ୍ଟତା
ଏହା ହିଁ ଏବର ଅବସ୍ଥା
ସଂବାଦ ସହିତ ବିବାଦ
ମିଶାଇ ଭାଷା ଅନୁବାଦ
କରିଲେ ଭାବର ମହତ୍ତ୍ବ
ଅଯଥା ହୁଏ ବିଡ଼ଂବିତ
ଲେଖାଲେଖି ହେବାରୁ ଶିଳ୍ପ
କେହି ଲେଖୁନାହାଂତି ଅଳ୍ପ
କଲେ ଅଧିକ ଉତ୍ପାଦନ
ଲେଖକେ ପାଆଂତି ସମ୍ମାନ
ରଚନା ନ ହେଲେ ସଂକ୍ଷିପ୍ତ
ଭାବନା ହୁଅଇ ବିକ୍ଷିପ୍ତ
ତେଣୁ ତ ଲେଖାର ସାରାଂଶ
ମିଳେନି, ଦେଖୁଛି ଏ ଦେଶ
Comments are closed.