Latest Odisha News

“ବିନ୍ ବ୍ୟାଗ୍‌’ ଆକୃତିର ଡ଼୍ରେସ ପ୍ରତି ବଢୁଛି ଆଦର

ଫେଶନ ଡ଼ିଜାଇନ୍ ଇଣ୍ଡଷ୍ଟ୍ରିର ପରିସର ଖୁବ୍ ଲମ୍ବା । କେବଳ ଗୋଟେ ନିର୍ଦ୍ଦିଷ୍ଟ ଦେଶ ବା ଅଂଚଳ ଭିତରେ ଏହାର ପରିଧି ସୀମିତ ନୁହେଁ । ପୃଥିବୀର ଗୋଟେ ପ୍ରାନ୍ତରେ ତିଆରି ହେଉଥିବା ଡ଼ିଜାଇନର ଡ଼୍ରେସକୁ ନେଇ ଅନେକ ସମୟରେ ସାରା ବିଶ୍ୱରେ ବି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏଇ ଯେମିତି ଜାପାନର ଫେଶନ ଇଣ୍ଡଷ୍ଟ୍ରିରେ ଏକ ଅଜବ ପ୍ରକାରର ଡ଼ିଜାଇନ ଡ଼୍ରେସ ଖୁବ୍ ଚର୍ଚ୍ଚାକୁ ଆସିଛି । ନିହାତି ଅସାଧାରଣ ଲୁକ୍‌କୁ ନେଇ ଏହି ଡ଼୍ରେସ୍ ଡ଼ିଜାଇନ ହୋଇଛି । ପିନ୍ଧିଲା ପରେ ଭାଲୁ ଲୁକ୍ ଦେଉଥିବା ଏଡି ଡ଼ିଜାଇନ ଡ଼୍ରେସକୁ ନେଇ ଆଗ୍ରହ ବଢୁଥିବା ଦେଖିବାକୁ ମିଳିଛି ।

ଏହି ଡ଼୍ରେସକୁ ଜାପାନର ଟାକିକୋ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଛି । ଅସଲରେ ଏହି ଡ଼୍ରେସ ଡ଼ିଜାଇନକୁ ଟ୍ରେଣ୍ଡି କରିବାକୁ ଉଦ୍ୟମ କରିଛନ୍ତି ଏହାର ଡ଼ିଜାଇନର । ସବୁବର୍ଗର ଲୋକେ ଅର୍ଥାତ୍ ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ ଏହାକୁ ଯେଭଳି ବ୍ୟବହାର କରି ପାରିବେ,ତାହା ଏହି ଡ଼ିଜାଇନ୍‌ରେ ପ୍ରୟୋଗ କରାଯାଇଛି । ସାଧାରଣ ଡ଼୍ରେସ ଉପରେ ଏହି ଡ଼ିଜାଇନ ଡ଼୍ରେସକୁ ପିନ୍ଧିହେବ ।
ବାସ୍ତବରେ ଏହି ଡ଼୍ରେସ ଡ଼ିଜାଇନ ‘ବିନ୍ ବ୍ୟାଗ୍‌’ ଆକାରରେ ପ୍ରସ୍ତୁତ କରାଯାଇଛି । ବିନ୍ ବ୍ୟାଗ୍ ହେଉଛି ବଡ଼, ମୋଟା ଓ ଗଦି ଥିବା ଗୋଲାକାର ଆକୃତିର ଏକ ସାମଗ୍ରୀ, ଯେଉଁଥିରେ ଲୋକେ ଆରାମରେ ବସିଥାନ୍ତି । କିନ୍ତୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମ୍ଭବ ନୁହେଁ । ଏହି ବିନ୍ ବ୍ୟାଗ୍ ପରି ଏହି ଡ଼୍ରେସକୁ ତିଆରି କରିଛନ୍ତି ଡ଼ିଜାଇନର ଯାହା ଆରାମ୍‌ରେ ପିନ୍ଧି ସବୁ ସ୍ଥାନକୁ ଯାଇହେବ ।
କୋଭିଡ଼ ସମୟରେ ଟାକିକୋ କମ୍ପାନୀର ଡ଼ିଜାଇନର ମାନଙ୍କ ମନକୁ ଏପରି ଆଇଡ଼ିଆ ଆସିଥିଲା, ଯାହାକୁ ପିନ୍ଧି ଲୋକେ ଘରେ ଆରାମ କରିପାରିବେ । ଏହି ଡ଼୍ରେସକୁ ଲୋକେ ଶୋଇବା ସମୟରେ ପିନ୍ଧିବାକୁ ବେଶୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହାର ଦାମ୍ ଭାରତୀୟ ମୁଦ୍ରାରେ ୪ ହଜାର୯୦୦ରୁ ଆରମ୍ଭ ହୋଇ ୯ ହଜାର ୮୦୦ ପର୍ଯ୍ୟନ୍ତ ରହିଛି ।

Comments are closed.