Latest Odisha News

BREAKING NEWS

ପ୍ରଥମ ପତ୍ନୀଙ୍କୁ ମୃତ ଦର୍ଶାଇ ଶିକ୍ଷକ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ, ଥାନାରେ ପ୍ରଥମ ପତ୍ନୀ ଦେଲେ ଏତଲା

ବାଲିଗୁଡା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ସେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ପ୍ରଥମ ପତ୍ୱୀଙ୍କୁ ମୃତ ଦର୍ଶାଇ ସେ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ଫେବ୍ରୁଆରି ୬ରେ ଏହି ବିବାହ ସ୍କୁଲ ପରିସରରେ ହୋଇଥିଲା। ଯାହାର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକଙ୍କ ସହ ଅନ୍ୟ ଜଣେ ମହିଳା ‘ବରମାଳା’ ସହ ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟର ଷ୍ଟୋର ରୁମରେ କେକ୍ କାଟୁଥିବାର ଦେଖିବାକୁ ମିଳିଛି। ସେପଟେ ଶ୍ରୀପତି ନାୟକଙ୍କ ପ୍ରଥମ ପତ୍ନୀ ନିରୁପମା ଡାକୁଆ ଏ ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଛାଡ଼ପତ୍ର ମାମଲା ବିଚାରଧୀନ ଥିବାବେଳେ ସ୍କୁଲ ପରିସରରେ ବିବାହକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀପତି ନାୟକ ୨୦୦୩ ମସିହାରେ ନିରୁପମାଙ୍କୁ ବିବାହ କରିଥିଲେ। ସେମାନଙ୍କର ୧୨ ବର୍ଷର ଏକ ଝିଅ ଅଛି। ନିରୁପମା କହିଛନ୍ତି, ଗତ ସାତ ବର୍ଷ ଧରି ସେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଆସୁଥିବା କହିଛନ୍ତି। ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଏବଂ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ ବୋଲି ଡାକୁଆ କହିଛନ୍ତି। ସେପଟେ ଶ୍ରୀପତି ନାୟକ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଜନ୍ମଦିନ ପାଳନ ବେଳେ ଏହି ଫଟୋ ଉଠାଯାଇଥିବା ସେ କହିଛନ୍ତି। ସ୍କୁଲ ସମୟ ସରିବା ପରେ ତାଙ୍କର ଜନ୍ମଦିନ ପାଳନ ହୋଇଥିଲା। ଏଥିରେ କର୍ମଚାରୀଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା ବୋଲି ସେ କହିଛନ୍ତି।

 

Comments are closed.