Dhanush’s Political Entry: ବିଜୟଙ୍କ ପରେ ଧନୁଷଙ୍କ ଏଣ୍ଟ୍ରି! ରାଜନୀତିକୁ ଆସିବେ କି ସାଉଥ୍ ସୁପରଷ୍ଟାର୍? ଆଗୁଆ ସ୍ବାଗତ ଜଣାଇଲା TVK
ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମା ଜଗତରୁ ରାଜନୀତିକୁ ଆଉ ଜଣେ ବଡ଼ ଅଭିନେତା ପ୍ରବେଶ କରିବେ କି? ଅଭିନେତା ବିଜୟଙ୍କ ରାଜନୈତିକ ସଫଳତା ପରେ ଏବେ ଅଭିନେତା ଧନୁଷଙ୍କୁ ନେଇ ତାମିଲନାଡୁରେ ଚର୍ଚ୍ଚା ଜୋର ଧରିଛି। ଧନୁଷଙ୍କ ପ୍ରଶଂସକ ସଂଘର ନାମ ପରିବର୍ତ୍ତନ ଏବଂ ଏକ ବୈଠକରେ ହଜାର ହଜାର କର୍ମକର୍ତ୍ତାଙ୍କ ଯୋଗଦାନ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଏପଟେ ତାମିଲନାଡୁର ଶାସକ ଦଳ ତାମିଲଗା ଭେଟ୍ରି କାଝାଗମ୍ (TVK) ମଧ୍ୟ ଧନୁଷଙ୍କ ରାଜନୀତିରେ ପ୍ରବେଶ କଳ୍ପନାଜଳ୍ପନାକୁ ସ୍ୱାଗତ କରିଛି।
ଧନୁଷଙ୍କ ରାଜନୈତିକ ପ୍ରବେଶକୁ ନେଇ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି କୋଏମ୍ବାଟୁରରେ ଆୟୋଜିତ ଏକ ବୈଠକ। ଏହି ବୈଠକରେ ଧନୁଷଙ୍କ ପ୍ରଶଂସକ ସଂଘର ନାମ ପରିବର୍ତ୍ତନ କରି ‘ଧନୁଷ ନରପାଣି ଇୟାକ୍କମ୍’, ଅର୍ଥାତ୍ ଧନୁଷ କଲ୍ୟାଣ ଆନ୍ଦୋଳନ ରଖାଯାଇଛି। ଏଥିରେ ପ୍ରାୟ ୩ ହଜାର ପଦାଧିକାରୀ ଯୋଗ ଦେଇଥିବା ରିପୋର୍ଟରେ କୁହାଯାଇଛି। ବୈଠକରେ ଶୃଙ୍ଖଳା, ସମାଜସେବା ଓ ଲୋକକଲ୍ୟାଣମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂର୍ବତନ ସାମ୍ବାଦିକ ତଥା AIADMK ସାଂସଦ ରହିଥିବା ରବି ବର୍ନାର୍ଡ କର୍ମକର୍ତ୍ତାଙ୍କୁ ଶୃଙ୍ଖଳା ଓ ସେବାକାର୍ଯ୍ୟ ସମ୍ପର୍କରେ ସମ୍ବୋଧନ କରିଥିଲେ। ଜଣେ ISRO ବୈଜ୍ଞାନିକ ମଧ୍ୟ ଏଥିରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ। ତେବେ ଏହି ବୈଠକରେ ଧନୁଷ ନିଜେ ଉପସ୍ଥିତ ନଥିଲେ।
ତାମିଲନାଡୁରେ ସିନେମା ଓ ରାଜନୀତି ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଛି। ଅତୀତରେ ଅଭିନେତା ଏମ୍.ଜି. ରାମଚନ୍ଦ୍ରନ୍ ଓ ଜୟଲଳିତା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସି.ଏନ୍. ଆନ୍ନାଦୁରାଇ ଓ ଏମ୍. କରୁଣାନିଧିଙ୍କ ଭଳି ଲେଖକ ଓ ଚିତ୍ରନାଟ୍ୟକାର ମଧ୍ୟ ରାଜନୀତିରେ ବଡ଼ ଭୂମିକା ନେଇଥିଲେ। ଅନ୍ୟପକ୍ଷରେ, ସିନେମାର ଲୋକପ୍ରିୟତା ସବୁବେଳେ ରାଜନୈତିକ ସଫଳତା ଆଣିଦିଏ ନାହିଁ। ଶିବାଜୀ ଗଣେଶନ୍, ବିଜୟକାନ୍ତ, ଶରତକୁମାର ଓ କମଲ ହାସନ୍ଙ୍କ ଭଳି ଅଭିନେତା ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ସେମାନଙ୍କ ଯାତ୍ରା ସେତେଟା ଫଳପ୍ରଦ ନୁହେଁ । ଏଥିସହିତ ରଜନୀକାନ୍ତ, ଯିଏକି ଧନୁଷଙ୍କ ଶ୍ବଶୁର, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ପରେ ଶେଷରେ ସେ ଏହି ଯୋଜନାରୁ ଓହରି ଯାଇଥିଲେ।
କିନ୍ତୁ ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଓରଫ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ରାଜନୈତିକ ଯାତ୍ରା ଏବେ ଚର୍ଚ୍ଚାରେ ରହିଛି । ଯେଉଁଥିରେ ତାଙ୍କ ପ୍ରଶଂସକ ସଂଘଗୁଡ଼ିକର ଭୂମିକା ମଧ୍ୟ ଉଲ୍ଲେଖନୀୟ। ରାଜନୀତିକୁ ଆସିବା ପୂର୍ବରୁ ତାଙ୍କ ପ୍ରଶଂସକ ନେଟୱର୍କ ମାଧ୍ୟମରେ ମାଗଣା ଖାଦ୍ୟ ବଣ୍ଟନ, ପାଠାଗାର ଖୋଲିବା ଓ ଆଇନଗତ ସହାୟତା ଭଳି ସମାଜସେବା କାର୍ଯ୍ୟ କରାଯାଉଥିଲା। ପରେ ଏହି ସାଂଗଠନିକ ଭିତ୍ତି TVKର ଗଠନରେ ସହାୟକ ହୋଇଥିଲା। ଦଳର ମୁଖପାତ୍ରଙ୍କ କହିବା ଅନୁସାରେ, ବିଜୟଙ୍କ ସଂଗଠନ ଗଢ଼ିବାର ଯାତ୍ରା ଦଳର ଔପଚାରିକ ଆରମ୍ଭର ବହୁ ପୂର୍ବରୁ ଚାଲିଥିଲା। ଏନେଇ TVK ମୁଖପାତ୍ର ଏମ. ସତ୍ୟ କୁମାର କହିଛନ୍ତି,”ଆମେ ଖୁସି ଯେ TVK, ଏକ ରାଜନୈତିକ ଷ୍ଟାର୍ଟଅପ୍, ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ବିଜୟ ୩୦ ବର୍ଷ ଧରି ଏଥିପାଇଁ କାମ କରିଛନ୍ତି । ଏହା ସହଜ କାମ ନୁହେଁ ।“
ଆଉ ଏହି ସମୟରେ ଧନୁଷଙ୍କ ସମର୍ଥକ ଦଳର ନାମ ପରିବର୍ତ୍ତନ, ଆଉ ଏକ ନୂଆ ସୁପରଷ୍ଟାରଙ୍କ ରାଜନୈତିକ ଦଳ ଗଠନର ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଧନୁଷ ରାଜନୀତିରେ ପ୍ରବେଶ କରିବେ ବୋଲି କୌଣସି ଘୋଷଣା କରିନାହାନ୍ତି। ତେଣୁ ତାଙ୍କ ପ୍ରଶଂସକ ସଂଘର ନାମ ପରିବର୍ତ୍ତନକୁ ଏକ ସାଂଗଠନିକ ପଦକ୍ଷେପ ଭାବେ ଦେଖାଯାଉଛି । ତେଣୁ ଆଗାମୀ ଦିନରେ ଧନୁଷ ରାଜନୈତିକ ଡେବ୍ୟୁ କରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

