ଆଙ୍କରା: ତୁର୍କୀ ଭୂକମ୍ପର ଭୟବହ ଦୃଶ୍ୟ ମନେ ପଡିଲେ ଏବେ ବି ଦେହ ଥରିଉଠେ । ଭୂକମ୍ପର ଗୋଟିଏ ସପ୍ତାହ ପରେ ସେଠିକାର ସ୍ଥିତି ଆହୁରି ଦୃଦୟ ବିଦାରକ ହୋଇପଡିଛି । ଧ୍ୱଂସସ୍ତୁପ ତଳୁ ବାହାରି ଆସୁଛି ଉତ୍କଟ ଗନ୍ଧ । ଡାକ୍ତରଖାନାରୁ ଏବେ ବି ଶୁଭୁଛି ଆହତଙ୍କ ଯନ୍ତ୍ରଣା ଜର୍ଜରିତ ସ୍ୱର । ଅନେକ ଧ୍ୱଂସ ସ୍ତୁପ ପାଖରୁ ସାଉଁଟୁଛନ୍ତି ନିଜ ହସଖୁସିର ସଂସାରକୁ । ଏସବୁ ଭିତରେ ତୁର୍କୀର ଛୋଟ ଛୋଟ ପିଲାଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖିକୁ ବି ଲୁହ ଆସିଯି ବ । ସେଦିନର ସେ ଭୟଙ୍କର ଘଟଣାକୁ ଏବେ ବି ସେମାନେ ଭୁଲି ପାରୁନାହାନ୍ତି । ପରିସ୍ଥିତି ସହ ଲଢିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ଆଖି ଆଗରେ ନାଚି ଯାଉଛି ସେ ଦିନର ଦୃଶ୍ୟ ।
ତୁର୍କୀରେ ଭୂକମ୍ପ ଜିନିତ ମୃତ୍ୟୁ ସଂଖ୍ୟା୪୧ ହଜାର ପାର କରି ସାରିଲାଣି । ଅନେକ ଛୋଟ ଛୋଟ ଶିଶୁ ବାପା-ମା’ ଓ ଘର ପରିବାରକୁ ହରାଇ ଅନାଥ ହୋଇ ଯାଇଛନ୍ତି । ଭୂକମ୍ପରୁ ବର୍ତ୍ତି ଯାଇଥିବା ପିଲାମାନେ ଏବେ ବି ପରିବାର ସଦସ୍ୟଙ୍କୁ ଖୋଜୁଛନ୍ତି । କେତେ ପିଲାଙ୍କ ପରିବାର ସଦସ୍ୟ ଆଉ ନାହାନ୍ତି । ହଜାର ହଜାର ପିଲାଙ୍କ ଘର ସିମେଣ୍ଟ ଗଦାରେ ପରିଣତ ହୋଇଛି । ପିଲାମାନେ ପୋଷ୍ଟ ଟ୍ରମେଟିକ ଷ୍ଟ୍ରେସ ଡିଜଅର୍ଡର ଏବଂ ପାନିକ ଆଟାକର ଆକ୍ରାନ୍ତ ହେଉଛନ୍ତି । ଏପରି ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ଖାଲି ପିଲା ନୁହଁନ୍ତି, ବଡ ଲୋକମାନେ ମାନସିକ ରୋଗର ଶିକାର ହେଉଛନ୍ତି । ତୁର୍କୀ ମନୋବୈଜ୍ଞାନିକ ହସିବେ ଏବ୍ରୁଙ୍କ କହିବା ଅନୁଯାୟୀ, ହଜାର ହଜାର ଲୋକ ନିଜ ନିଜର ସ୍ଥିତିକୁ ଦେଖି କାନ୍ଦୁଛନ୍ତି । ଅଧିକାଂଶ ଲୋକଙ୍କର ନିଦ ହଜିଯାଇଛି । ସେମାନେ କିଛି ବୁଝି ପାରୁନାହାନ୍ତି । ମାନସିକ ଭାରସାମ୍ୟ ହରାଉଛନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ଲାେକମାନେ ଏପରି ସ୍ଥିତି ଦେଇ ଗତି କରୁଛନ୍ତି । ତେବେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେବ ବୋଲି ସେ ଆଶା ରଖିଛନ୍ତି । ଭୂକମ୍ପରୁ ବର୍ତ୍ତିଥିବା ଲୋକଙ୍କୁ ପ୍ରଥମେ ଶାନ୍ତ କରିବା ଉଚିତ । ସେମାନେ ଦୃଢନିଶ୍ଚୟ ହେବା ଦରକାର ଯେ ସେମାନେ ମାନସିକ ଭାରସାମ୍ୟ ହରାଇ ନାହାନ୍ତି । ସେମାନେ ବୁଝିବା ସୁଝିବା ବ୍ୟକ୍ତି । ଏପରି ମାନସିକ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି ।
ଭୂକମ୍ପ ପରି ପ୍ରାକୃତିକ ବିପତ୍ତିରୁ ବର୍ତ୍ତି ଯାଇଥିବା ଲୋକଙ୍କ ସ୍ଥିତି ତୁର୍କୀରେ ସଙ୍ଗୀନ ହୋଇ ପଡିଛି । କେତେକ ମାନସିକ ଭାରସାମ୍ୟ ହରାଇଥିବାବେଳେ ଆଉ କେହି ଅତ୍ୟଧିକ ଥଣ୍ଡା ଯୋଗୁ ଶାରୀରିକ ଭାବେ ଅସୁସ୍ଥ ହୋଇ ପଡୁଛନ୍ତି ।
Comments are closed.