ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲାଂଚ, ଉତ୍କୋଚ, ବଟି, ଚାଂଦା
ଗ୍ରହଣକାରୀ ନିଜ ଧଂଦା
ଛାଡ଼ିବା ହୋଇନି ସଂଭବ
କିପରି ଦେଶୋନ୍ନତି ହେବ ?
ଅପରାଧୀ ନ ପାଇ ଶାସ୍ତି
କରିଲେ ମଉଜ ଓ ମସ୍ତି
ରାଜ୍ୟରେ ଭାଇଚାରା ପ୍ରୀତି
କେବେ ବି ଲଭିବ କି ବ୍ୟାପ୍ତି ?
ପ୍ରଶ୍ନ ପଚାରି ଘନଘନ
ଉତ୍ତର ନ ପାଇଲେ ଜନ
ହୋଇ ସତରେ ମ୍ରିୟମାଣ
ଲୁଚାଇ ରଖେ ନିଜ ଜ୍ଞାନ
ଅଭିବ୍ୟକ୍ତିର ସ୍ବାଧୀନତା
ହେଲେ ହେଁ ବହିଲେଖା କଥା
ତହିଁର ସ୍ପଷ୍ଟ ରୂପାୟନ
ହୁଏନି କେବେ ଦୃଶ୍ୟମାନ
ନିଧି ସଂଗ୍ରହ କରି ବିଧି
ଲଂଘନ କରେନି ପରିଧି
ସୀମିତ ହେଲେ ପରିସର
ସ୍ବାଧୀନତା ହିଁ ମାନେ ହାର
ଯାହା ଦିଶଇ ଚତୁର୍ଦିଗେ
ତାହା ଦେଖି ଯେମିତି ଲାଗେ
ଲେଖି ଜଣାଂତିନାହିଁ କେହି
ଥାକରେ ଥାଏ ନ୍ୟାୟ-ବହି
ଏପରି ବହି ମାଳ ମାଳ
ଥିଲେ ହେଁ ଅଭିଜ୍ଞ ସକଳ
କରଂତିନାହିଁ ପଢ଼ାପଢ଼ି
ନ୍ୟାୟ-ବ୍ୟବସ୍ଥା ଯାଏ ଶଢ଼ି
ପୁସ୍ତକ ହୋଇଛି ଗଚ୍ଛିତ
ସ୍ବଭାଷା ହେଉନି ଉନ୍ନତ
ଅତୀତ ସହ ହୋଇ ଯୁକ୍ତ
ନୁହଂତି କେହି ଅନୁରକ୍ତ
ଗ୍ରଂଥରୁ ଜିଜ୍ଞାସୁ ବିଚ୍ଛିନ୍ନ
ହେବାରୁ ଜ୍ଞାନ ବିଲୋପନ
ପ୍ରକ୍ରିୟା ଏବେ ଦ୍ରୁତତର
ବିକାଶ, ବର୍ଧନ ସୁଦୂର
Comments are closed.