ଭୁବନେଶ୍ୱର : ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ପ୍ରସ୍ତୁତ ।
ତେବେ ଗୃହ କିଭଳି ସୁରୁଖୁରୁରେ ଚାଲିବ ତାହାକୁ ଦୃଷ୍ଟିରେ ରଖି ସୋମବାର ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହର କାର୍ଯ୍ୟବିଧି ପରିଚାଳନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।
ସେପଟେ ବିଧାନସଭା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣୀ କରାଯିବ। ପ୍ରବେଶ ପଥରେ ଦୁଇଟି ଚେକପୋଷ୍ଟ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ୫ଟି ସ୍ଥାନରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲିଛି। ଯାହାକୁ ପ୍ରତି ମିନିଟରେ ତଦାରଖ କରିବେ ଉପାୟୁକ୍ତ। ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲୋୟର ପିଏମଜିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି। ସେହିପରି ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ-ପିଏମ୍ଜି ରାସ୍ତାକୁ ବନ୍ଦ କରାଯାଇଛି। ବିଧାନସଭା ସମୟରେ ଅନେକ ବ୍ୟକ୍ତି ଆତ୍ମହୁତି ଦେବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଛି ବୋଲି ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ତେବେ ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଯୋଜନା ଘୋଷଣା କରିପାରନ୍ତି ସରକାର । ଆସନ୍ତା ୨୪ରେ ଆସିବ, ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥର ବଜେଟ ଆକାର ପ୍ରାୟ ୨ ଲକ୍ଷ ୨୦ ହଜାର କୋଟିରୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ମଧ୍ୟରେ ହୋଇପାରେ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇ ପର୍ଯ୍ୟାୟରେ ବସିବାକୁ ଥିବା ଅଧିବେଶନ ବେଶ ସରଗରମ ହେବ ବୋଲି କୁହାଯାଉଛି ।
Comments are closed.