Latest Odisha News

BREAKING NEWS

Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍‌ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଗୁଜରାଟର ସାବରମତୀ କେନ୍ଦ୍ରୀୟ ଜେଲ୍‌ର ଉଚ୍ଚ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲରେନ୍ସ ବିଷ୍ଣୋଇ ବନ୍ଦୀ ଥିବାବେଳେ ତା’ର ନେଟୱର୍କ କିପରି ବିଦେଶରୁ କାର୍ଯ୍ୟ କରୁଛି, ତାହାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛନ୍ତି। ଏହି ଗ୍ୟାଙ୍ଗର କାର୍ଯ୍ୟଶୈଳୀକୁ ୧୯୯୦ ଦଶକର ଦାଉଦ ଇବ୍ରାହିମ୍‌ର ‘ଡି-କମ୍ପାନୀ’ ଅପରାଧିକ ମଡେଲ୍‌ ସହ ତୁଳନା କରାଯାଉଛି।

ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ବାଇକ୍‌ରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ସାତ ରାଉଣ୍ଡ ଗୁଳି ଚଳାଇଥିଲେ। ପାଞ୍ଚଟି ଗୁଳି କାର୍‌ରେ ବାଜିଥିବା ବେଳେ ଦୁଇଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଅଭିନେତାଙ୍କ ଡ୍ରାଇଭର ଫିରଦୋସ୍‌ ଇବ୍ରାହିମ୍‌ ବଲୋଚ୍‌ଙ୍କ ହାତରେ ଆଘାତ ଲାଗିଥିଲା। ଟାଇଗର ନିଜେ ଗାଡ଼ି ଚଳାଇ ତାଙ୍କୁ ହସ୍ପିଟାଲ୍‌ ନେଇଥିବା ରିପୋର୍ଟରେ କୁହାଯାଇଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଅଡିଓରେ ଅନିଲ ପଣ୍ଡିତ ଓ ହରମନ ସାନ୍ଧୁ ନାମ ଉଲ୍ଲେଖ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଆକ୍ରମଣର କରାଯାଇଥିବା ଦାବି କରାଯାଇଛି।

ତେବେ ଜେଲରେ ଥିବା ଗୋଟେ ମାଫିଆ, ତାହା ପୁଣି କଡା ସୁରକ୍ଷା ଭିତରେ, କିପରି ନିଜ ନେଟଓ୍ବର୍କର ବିସ୍ତାର କରୁଛି? ଏବେ କିଏ ଚଳାଉଛି ଲରେନ୍ସର ନେଟୱର୍କ? ନା ଭିତରେ ରହିବି ବାହାର ଯାଏଁ ଲମ୍ବିଛି ଲରେନ୍ସର ହାତ? ତାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ହରିୟାଣାର ପାଣିପତ ଅଞ୍ଚଳର ଅନିଲ ପଣ୍ଡିତ ୨୦୨୩ରେ ଭାରତ ଛାଡ଼ିଥିବା ଏବଂ ପରେ ଆମେରିକାରେ ପହଞ୍ଚିଥିବା ରିପୋର୍ଟରେ ଦାବି କରାଯାଇଛି। ସେ ଗୋଲ୍ଡି ବରାଡ଼ଙ୍କ ସହ ଯୋଗାଯୋଗରେ ଥିବା ସନ୍ଦେହ ରହିଛି। ଅନ୍ୟ ଜଣେ ସନ୍ଦିଗ୍ଧ ହରମନବୀର ସିଂହ ଓରଫ ହରମନ ସାନ୍ଧୁଙ୍କୁ ମଧ୍ୟ ଏହି ନେଟୱର୍କ ସହ ଯୋଡ଼ାଯାଉଛି। ଆମେରିକାର FBI ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିବା ଏବଂ ପରେ ତାଙ୍କୁ ହେପାଜତକୁ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ତଦନ୍ତକାରୀଙ୍କ ସନ୍ଦେହ ଅନୁସାରେ, ଏହି ନେଟୱର୍କରେ ବିଦେଶରେ ରହୁଥିବା ହ୍ୟାଣ୍ଡଲର୍‌, ସ୍ଥାନୀୟ ଆକ୍ରମଣକାରୀ ଓ ଅର୍ଥ ଯୋଗାଣକାରୀ ସାମିଲ ଅଛନ୍ତି। ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଆପ୍‌ ଓ ଅବୈଧ ଯୋଗାଯୋଗ ମାଧ୍ୟମ ବ୍ୟବହାର କରି ଅପରାଧିକ କାର୍ଯ୍ୟର ସମନ୍ୱୟ କରାଯାଉଥିବା ସନ୍ଦେହ ରହିଛି।

ରିପୋର୍ଟ ଅନୁସାରେ, ଆମେରିକା ଓ ଅନ୍ୟ ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ‘ଅପରେସନ୍‌ ହାର୍ଡ ବଲ୍‌’ ଅଧୀନରେ ଭାରତୀୟ ଅପରାଧିକ ନେଟୱର୍କ ସହ ଜଡ଼ିତ ଲୋକଙ୍କ ବିରୋଧରେ ମାମଲା ରୁଜୁ ଓ ଗିରଫଦାରୀ କରିଥିଲେ। ଲରେନ୍ସ ବିଷ୍ଣୋଇ, ଜଗ୍ଗୁ ଭଗବାନପୁରିଆ ଓ ରବିନ୍ଦର ସିଂହ ଢାଣ୍ଡାଙ୍କ ନେଟୱର୍କ ଉପରେ ମଧ୍ୟ ତଦନ୍ତ ଚାଲିଛି।

ଅନ୍ୟପଟେ ଭାରତରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ହେଉଥିବା ସମସ୍ତ ଆକ୍ରମଣ କେଉଁଠି ନା କେଉଁଠି ବଲିଉଡ ଅଭିନେତା ସଲମାନଙ୍କ ସହ ଲିଙ୍କ୍ ରହୁଛି । ଟାଇଗର ଶ୍ରଫଙ୍କ କ୍ଷେତ୍ରରେ ବି ସମାନ କାରଣ ଦର୍ଶଯାଇଛି । ସେ ସଲମାନଙ୍କ ସହ ମିଶିବାରୁ ତାଙ୍କ ଉପରେ ଆକ୍ରମଣ ହୋଉଛି । ହେଲେ କାହିଁକି? ତେବେ ଘଟଣା ଯୋଡି ହୋଇଛି ୧୯୯୮ର କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ । ଯାହାକୁ ନେଇ ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନ୍‌ଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିବା କୁହାଯାଏ। ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପବିତ୍ର ମନେ କରେ। ସଲମାନଙ୍କ ସହ ସମ୍ପର୍କ ରଖୁଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଥିବା ଦାବି ହୋଇଛି। ଏପ୍ରିଲ୍‌ ୨୦୨୪ରେ ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ବାସଭବନ ନିକଟରେ ଗୁଳିମାଡ଼, ଅକ୍ଟୋବର ୨୦୨୪ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ମଧ୍ୟ ଏହି ଗ୍ୟାଙ୍ଗର ନାମ ସହ ଯୋଡ଼ାଯାଇଛି। ଏହାବ୍ୟତୀତ ଅଭିନେତା ରଣବୀର ସିଂହ, ଆମିର ଖାନ୍‌ ଓ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧମକ ମିଳିଥିବା ରିପୋର୍ଟ ରହିଛି।

କାହିଁକି ‘ଡି-କମ୍ପାନୀ’ ସହ ତୁଳନା?

NIAର ତଦନ୍ତ ଅନୁସାରେ, ଏହି ଅପରାଧିକ ନେଟୱର୍କର ପ୍ରଭାବ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ବ୍ୟାପିଥିବା ଅଭିଯୋଗ ରହିଛି। ଅପରାଧରୁ ମିଳୁଥିବା ଅର୍ଥ ବିଦେଶରେ ଥିବା ସହଯୋଗୀଙ୍କ ପାଖକୁ ପଠାଯାଉଥିବା ମଧ୍ୟ ତଦନ୍ତର ବିଷୟ। ଜେଲ୍‌ରେ ଥିବା ମୁଖ୍ୟ ଅଭିଯୁକ୍ତ, ବିଦେଶୀ ହ୍ୟାଣ୍ଡଲର୍‌ ଓ ସ୍ଥାନୀୟ ଆକ୍ରମଣକାରୀଙ୍କ ମଧ୍ୟରେ ସମନ୍ୱୟ ଥିବା ଅଭିଯୋଗ ଯୋଗୁଁ ଏହାକୁ ଦାଉଦ ଇବ୍ରାହିମ୍‌ଙ୍କ ‘ଡି-କମ୍ପାନୀ’ର ଅଣ୍ଡରୱାର୍ଲ୍ଡ ମଡେଲ୍‌ ସହ ତୁଳନା କରାଯାଉଛି।

ପୋଲିସ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ବିଦେଶରେ ଥିବା ସନ୍ଦିଗ୍ଧଙ୍କ ସହ ସ୍ଥାନୀୟ ଅପରାଧୀଙ୍କ ଯୋଗାଯୋଗ, ଅର୍ଥ କାରବାର ଓ ଅସ୍ତ୍ରଶସ୍ତ୍ର ଯୋଗାଣର ସମ୍ପର୍କ ଚିହ୍ନଟ କରିବା। ସୋସିଆଲ୍‌ ମିଡିଆରେ ଆକ୍ରମଣର ଦାୟିତ୍ୱ ନେଇ ଭୟ ସୃଷ୍ଟି କରିବା ଏବଂ ପରେ ଜବରଦସ୍ତି ଅର୍ଥ ଆଦାୟ କରିବା ଏହି ନେଟୱର୍କର କାର୍ଯ୍ୟଶୈଳୀ ବୋଲି ତଦନ୍ତକାରୀଙ୍କ ସନ୍ଦେହ। ତେବେ ଏହି ମାମଲାରେ ଆକ୍ରମଣର ଉଦ୍ଦେଶ୍ୟ, ଅଭିଯୁକ୍ତଙ୍କ ଭୂମିକା ଓ ବିଦେଶୀ ନେଟୱର୍କ ସହ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.