ଭୁବନେଶ୍ୱର: ଭୋଟରଙ୍କ ମତଦାନ ଅଧିକାରର ସୁରକ୍ଷା, ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ଓଡ଼ିଶାରେ ଏସ ଆଇ ଆର୍ ବିରୋଧରେ ଆସନ୍ତା ୨୩ ଅକ୍ଟୋବରରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ‘ପିପୁଲ୍ ଏଗେନଷ୍ଟ SIR’ (SIR ବିରୋଧରେ ଜନଗଣ), ଓଡ଼ିଶା ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକରେ ରାଜ୍ୟରେ ଆନ୍ଦୋଳନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଛାତ୍ର-ଯୁବ ପ୍ରତିନିଧି, ସାମାଜିକ କର୍ମୀ, ନାଗରିକ ସମାଜର ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଇସ୍ତଫା ଅବୈଧ ଏସ ଆଇ ଆର୍ ବାତିଲ କରିବା। କଟିଥିବା ସମସ୍ତ ଭୋଟରଙ୍କ ନାମ ଯୋଡିବା। ପୂର୍ବଭଳି ନିୟମିତ ବ୍ୟବଧାନରେ ଭୋଟର ତାଲିକାର ସଂଶୋଧନ କରିବା ଭଳି ୪ଦଫା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି ।
ଆସନ୍ତା ୨୩ ଅକ୍ଟୋବରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା, ପ୍ରମୁଖ ସହର ଓ ବ୍ଲକ୍ ସଦର ମହକୁମାରେ ଶୋଭାଯାତ୍ରା, ସାଧାରଣ ସଭା ଓ ବିକ୍ଷୋଭ ଆୟୋଜନ କରାଯିବ। ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ (ମାଷ୍ଟର କ୍ୟାଣ୍ଟିନ୍ ଛକ- ଲୋୟର ପିଏମଜି) ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଆନ୍ଦୋଳନକୁ ଏକ ବ୍ୟାପକ ଗଣତାନ୍ତ୍ରିକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟର ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ,ବିଭିନ୍ନ ବର୍ଗର ଜନ ସଂଗଠନ, ଯୁବଛାତ୍ର,କଳାକାର, ଲେଖକ, ସାହିତ୍ୟିକ, ସଙ୍ଗୀତଜ୍ଞ, ସାଂସ୍କୃତିକ କର୍ମୀ, ବୁଦ୍ଧିଜୀବୀ, ନାଗରିକ ସମାଜର ପ୍ରତିନିଧି ଓ ଗଣତନ୍ତ୍ର ପ୍ରେମୀ ଜନସାଧାରଣଙ୍କୁ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି।
ଜନାର୍ଦ୍ଦନ ପତି, ପ୍ରଫେସର ଅମୀୟ କୁମାର ମହାନ୍ତି ଓ ମହେନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତାପ ରଥ, ବାସନ୍ତୀ ଆଚାର୍ଯ୍ୟ, ସୁଧୀର ପଟ୍ଟନାୟକ, ତୁଷାର ରାୟ, ସୁଦର୍ଶନ ଦାସ, ଜୟନ୍ତ ଦାସ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରମିଳା, ବଂଶୀଧର ପରିଡ଼ା, ରମାକାନ୍ତ ହାତୀ, ଜ୍ୟୋତି ରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ପୁଷ୍ପା ଦାଶ, ପ୍ରଦୀପ୍ତ ନାୟକ, ମନୱାର ଅଲ୍ଲୀ, ଉଲ୍ଲାସ ସ୍ୱାଇଁ, ଯମେଶ୍ୱର ସାମନ୍ତରାୟ, ଅରୁଣ ପରିଡ଼ା, ସରୋଜ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, କୈଳାଶ ପୁହାଣ, ଶୁଭ୍ରାଂଶୁ ଉଦ୍ଗାତା, ରାଜେଶ କୁମାର କର, ଇନ୍ଦ୍ରମଣି ବେହେରା, ଶିବ ଶବର, ସୁବାସିନୀ ଭଦ୍ରା, ଈଶାନୀ ଷଡ଼ଙ୍ଗୀ, ଭାଗିରଥୀ ପ୍ରଧାନ, ପବିତ୍ର କୁମାର ଇନ୍ଦ୍ରଜିତ୍, ସୟଦ ବରଖାତ୍ ଅଲ୍ଲୀ, ଷ୍ଟାଲିନ ଟିଟନ୍ ଲେଙ୍କା, ଅକ୍ଷୟ ବେହେରା ଓ ଚିତ୍ତରଞ୍ଜନ ସେନାପତିଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ଗଣତାନ୍ତ୍ରିକ ଆନ୍ଦୋଳନର ନେତୃବୃନ୍ଦ ଯୋଗ ଦେଇଥିଲେ।

