Latest Odisha News

BREAKING NEWS

ତାଜ୍ ହୋଟେଲରେ ଖାଇବା ପରେ ଖୁଚୁରା ଦେଲେ ଗ୍ରାହକ, ଲୋକେ କଲେ ଥଟ୍ଟା

ଯଦି ଆପଣ ଏକ ପଞ୍ଚ ତାରକା କିମ୍ବା ସାତ ତାରକା ହୋଟେଲକୁ ଖାଇବାକୁ ଯାଉଛନ୍ତି, ତେବେ ଆପଣ ବିଲ୍ କେମିତି ଭରନ୍ତି ? ଆପଣ ଭାବୁଥିବେ ଏହା ଏକ ନିର୍ବୋଧ ପ୍ରଶ୍ନ ହୋଇପାରେ । ବିଲ ପାଇଁ ନଗଦ ଟଙ୍କା ଦେବାକୁ ହେବ । ନଚେତ୍ କ୍ରେଡ଼ିଟ୍ କାର୍ଡ଼ , ଡ଼େବିଟ୍ କାର୍ଡ଼ ଅଥବା କ୍ୟୁଆରକୋଡ଼୍ ମାଧ୍ୟମରେ ବିଲ୍ ଦେଇପାରିବେ । ସମସ୍ତେ ତ ଏମିତି ବିଲ୍ ଭରନ୍ତି । କିନ୍ତୁ ଆପଣ ଷ୍ଟାର ହୋଟେଲରେ ଖୁଚୁରା ଦେଇ ବିଲ୍ ଭରିବେ ତାହା କେମିତି ଲାଗିବ । କାହାକୁ କ’ଣ ଲାଗିବ ଭିନ୍ନ କଥା । କିନ୍ତୁ ଜଣେ ଯୁବକ ମୁମ୍ବାଇର ତାଜ ହୋଟେଲରେ ଖାଇବା ପରେ ଖୁଚୁରା ଦେଇ ବିଲ୍ ଭରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା । ଖୁଚୁରା ବାବଦରେ ନିଜର ଅଭିଜ୍ଞତା ଜାଣିବା ପାଇଁ ଜଣେ ଯୁବକ ଏଭଳି ଖୁଚୁରା ଦେଇଥିଲେ, ଯାହାକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସିଦ୍ଧେଶ ଲୋକ୍ରେ ନାମକ ଜଣେ ଯୁବକ ମୁମ୍ବାଇର ତାଜ ହୋଟେଲକୁ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ସେ ନୀଳ ରଙ୍ଗର ସୁଟ୍ ପିନ୍ଧି ତାଜ ହୋଟେଲକୁ ପ୍ରବେଶ କରିଥିଲେ । ଭିତରକୁ ଯାଇ ସେ ଏକ ଟେବୁଲରେ ବସି ମେନୁ ଦେଖି ପିଜା ଅର୍ଡର କରିଥିଲେ । ପିଜା ଖାଇବା ପରେ ବିଲ ଆସିଥିଲା । ବିଲ ଭରିବା ପାଇଁ ବ୍ୟାଗରୁ କିଛି ଖୁଚୁରା ବାହାର କରି ଟେବୁଲ ଉପରେ ରଖି ଗଣିବାକୁ ଆରମ୍ଭ କରିଥିଲେ ସିଦ୍ଧେଶ । ତାଙ୍କର ଏଭଳି ଖୁଚୁରା ଗଣୁଥିବା ଦେଖି ନିକଟରେ ଖାଉଥିବା କିଛି ଗ୍ରାହକ ହସିବା ଆରମ୍ଭ କରିଥିଲେ । ଆଉ କିଛି ଗୁଣୁଗୁଣୁ ହୋଇ ଥଟ୍ଟା ବି କରୁଥିଲେ । ହୋଟେଲ କର୍ମଚାରୀ ଟଙ୍କା ନେବାକୁ ଆସି କିଛି ସମୟ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଥିଲେ । ପରେ କିଛି ଉପାୟ ନ ପାଇ ଖୁଚୁରା ତକ ନେଇ ଯାଇଥିଲେ । କିଛି ଦିନ ତଳେ ସିଦ୍ଧେଶ ନିଜେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ ଲୋକ ପସନ୍ଦ କରିସାରିଲେଣି ।

Comments are closed.