ଦୁନିଆରେ ଅନେକ ଅଜବ ରେଷ୍ଟୁରାଣ୍ଟ ବିଷୟରେ ନିଶ୍ଚୟ ଶୁଣିଥିବେ । ଯେମିତି କି ଭିଏତନାମର ଫିସ୍ କାଫେ । ଯେଉଁଠି ଚଟାଣରେ ମାଛ ପହଁରୁଥିବେ ଓ ସେଠାରେ ଲୋକେ ବସି ଖାଦ୍ୟ ଖାଉଥିବେ । ସେମିତି ଜାପାନର ଏକ ରେଷ୍ଟୁରାଣ୍ଟରେ ଲୋକମାନେ ରକ୍ତରେ ଭିଜିଥିବା କାନ୍ଥ ପାଖରେ ଖାଦ୍ୟ ଖାଇବାର ମଜା ନେଇଥାନ୍ତି । ଆଉ କେଉଁଠି ରାତ୍ରୀ ଭୋଜନ କରିବା ସମୟରେ କେବଳ ମହମବତୀ କିମ୍ବା ଛୋଟ ଦୀପ ଜଳାଯାଏ ଏବଂ ପରିବେଶକୁ ଅଧିକ ଭୟାନକ କରାଯାଇଥାଏ । ଏମିତି ଆଉ ଏକ ଅଜବ ନୂତନ କାଫେ ଖୋଲିଛି, ଯେଉଁଠାରେ ଲୋକମାନେ ଜିଅନ୍ତା ସାପ, ଏଣ୍ଡୁଅ, ଝିଟିପିଟି ଏବଂ ବିଛା ସହିତ ଖାଇବାର ମଜା ଉଠାଇ ପାରିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ପିଲାମାନଙ୍କ ସଂଖ୍ୟା ଅଧିକ । ଏହି କାଫେ ମାଲେସିଆରେ ଖୋଲିଛି ।
କାଫେର ମାଲିକ ହେଉଛନ୍ତି ୟାପ ମିଙ୍ଗ ୟାଙ୍ଗ । ପିଲାବେଳୁ ସରୀସୃପମାନଙ୍କ ପ୍ରତି ତାଙ୍କର ଅଜବ ସଉକ । ତାଙ୍କ ସହିତ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି ୟାପ୍ । ତେଣୁ ସେ ଯେତେବେଳେ ରେଷ୍ଟୁରାଣ୍ଟ ବ୍ୟବସାୟରେ ପଶିଲେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଗ୍ରାହକଙ୍କୁ କିଛି ଭିନ୍ନ ଅନୁଭବ ଦେବା । ସେଥିପାଇଁ ଏଭଳି ରେଷ୍ଟୁରାଣ୍ଟର ପରିକଳ୍ପନା କଲେ । ବିଶେଷକରି ଏହି ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକମାନେ ଝିଟିପିଟି, ସାପ, ବିଛା, ଏଣ୍ଡୁଅ, ମୂଷା ଆଦିର ମଜା ନେବା ସହ ଖାଦ୍ୟ ଖାଇପାରିବେ ତାର ବ୍ୟବସ୍ଥା କଲେ । ମାତ୍ର କିଛି ମାସ ଭିତରେ ସାରା ବିଶ୍ୱରେ ଏହା ଖୁବ୍ ପ୍ରସିଦ୍ଧି ଲାଭ କଲା ।
ୟାଙ୍ଗ କୁହନ୍ତି, ଲୋକମାନେ କୁକୁର ଏବଂ ବିଲେଇ ପାଳିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ମୋର ପସନ୍ଦ ସରୀସୃପ ଜାତୀୟ ଜୀବଜନ୍ତୁ । ତେବେ ସ୍ଥାନୀୟ ଅଞ୍ଚଳରେ ଯେଉଁ ସରୀସୃପ ଓ ଜୀବଜନ୍ତୁ ଦେଖାଯାଆନ୍ତି ସେମାନଙ୍କ ଭିତରୁ କିଛି ପ୍ରଜାତିର ଜୀବଜନ୍ତୁ ଏଠାରେ ରଖିଛୁ । ଆଉ କିଛି ବିରଳ ଜୀବଜନ୍ତୁ ବି ରଖିଛୁ । ଅନ୍ୟ ରେଷ୍ଟେୁରାଣ୍ଟଗୁଡ଼ିକରେ ଜୀବଜନ୍ତୁଙ୍କୁ ଛୁଇଁବାକୁ ବାରଣ ଥିବା ବେଳେ ଆମେ କିନ୍ତୁ ଗ୍ରାହକଙ୍କୁ ସ୍ୱତନ୍ତ୍ର ଅନୁଭବ ଦେବା ପାଇଁ ବ୍ୟବସ୍ଥା କରିଛୁ । ଅର୍ଥାତ୍ ଏଠାକୁ ଆସୁଥିବା ଗ୍ରାହକ ଜୀବଜନ୍ତୁମାନଙ୍କୁ ଧରିବା ସହିତ ସେମାନଙ୍କ ସହିତ ଖେଳି ପାରିବେ । ଏହାସହ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ସହ ଖାଦ୍ୟ ଖାଇବାର ମଜା ମଧ୍ୟ ଉଠାଇପାରିବେ । ଏହି କାଫେ ଖୋଲିବା ଦିନଠାରୁ ଲୋକଙ୍କ ଭିଡ ବଢିିବାରେ ଲାଗିଛି । ଏଠାକୁ ଆସୁଥିବା ଅଧିକାଂଶ ଲୋକଙ୍କ ମଧ୍ୟରୁ ଛୋଟ ପିଲା ବେଶୀ ଆସୁଛନ୍ତି । ପିଲାମାନେ ଖାଦ୍ୟ ଅର୍ଡ଼ର କରିଦେଇ ବିଭିନ୍ନ ଜୀବଜନ୍ତୁ ସହ ଖେଳୁଛନ୍ତି । ହାତରେ ବି ଧରି ସେଲ୍ଫିି ନେଉଛନ୍ତି ।
Comments are closed.