Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ସରୋଜଙ୍କୁ ନେଇ ପଦ୍ମିନୀ ଯେତେ ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ଚିନ୍ତା ସାଗରର ସେ ସେତିକି ତଳକୁ ତଳକୁ ଖସିଯାଉଥିଲା । ଏଣେ କ୍ରମେ ସଂନ୍ଧ୍ୟାର ସରୀସୃପ କୋଠରୀର ଈଷତ୍ ଆଲୋକିତ ପରିସରକୁ ମସୀମୟ କରିବାପାଇଁ ତା’ର ଅଦୃଶ୍ୟ ପାଦ ଚାଳି ଧୀରେ ଧୀରେ ଆସୁଥିଲା । ପରିସ୍ଥିତିକୁ ଅନୁଭବ କରି ସରୋଜ ଦାୟିତ୍ୱପୂର୍ଣ୍ଣ କଣ୍ଠରେ କହିଲେ- କି ଭାବନା ଭିତରେ ବୁଡ଼ି ରହିଛ ? ମୋ କଥାରେ କିଛି ଅଯୌକ୍ତିକତା ଥିଲା କି ?

– ଅବଶ୍ୟ ଯୁକ୍ତିଯୁକ୍ତ…. ତଥାପି !!!

– ତଥାପି କିଛି ନାହିଁ । ଜଣେ ଅପରିଚିତର ସବୁ ଦାୟୀତ୍ୱ ନିଜ ହାତକୁ “ନେଇ, ତାର ଅଇଁଠା ବାସନ ନିଜ ହାତରେ ସଫା କରି, ତମେ ଛୋଟ ହେଇପାରିନ । ଅଥଚ ତମର ଦି’ଖଣ୍ଡ ଶାଢ଼ୀ ସଫାକରି ମୁଁ ଛୋଟ ହୋଇଯିବି ? ତମେ ଖୁବ୍‌ ଭାବପ୍ରବଣ ପଦ୍ମିନୀ… ତମକୁ ପାଇ ମି. ପ…ନାୟକ ଖୁବ୍ ଭାଗ୍ୟବାନ… !!
ସରୋଜଙ୍କ ପ୍ରଶସ୍ତି ପଦ୍ମିନୀକୁ ଭିତରେ ଭିତରେ ଦୋହଲାଇ ଦେଲା । ସବୁ ପ୍ରଶଂସାର ଅନୁଭବରେ ଆନନ୍ଦ ନଥାଏ । ‘ତାକୁ ପାଇ ଚନ୍ଦ୍ରଭାନୁ ଭାଗ୍ୟବାନ’- ଏ କଥା

ସରୋଜ ଯେତେ ଶୀଘ୍ର ଅବଗତ ହୋଇଛନ୍ତି ; ଚନ୍ଦ୍ରଭାନୁଙ୍କୁ ପାଇ ସେ ଯେ ଆଜି ନିରିମାଖି- ଏ କଥା ବୁଝିବାକୁ ଆଉ ବେଶୀ ବିଳମ୍ବ ନାହିଁ । ରାଜଧାନୀରେ ଚନ୍ଦ୍ରଭାନୁଙ୍କ ପଦପାତ, ତା’ପାଇଁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟଠାରୁ କୌଣସି ଗୁଣରେ କମ୍ ନୁହେଁ । ଯେଉଁ ‘ଚନ୍ଦ୍ରଭାନୁ’ ନାମକୁ ପ୍ରଥମ ଥର ପାଇଁ ଭାଉଜଙ୍କ ମୁହଁରୁ ଶୁଣି ତା’ ମନରେ ପୂର୍ବରାଗର ରୋମାଞ୍ଚ ସୃଷ୍ଟି ହୋଇଥିଲା; ସେ ନାମ ଆଜି ତା ହୃଦୟକୁ ମୁମୁର୍ଷୁ କୋହରେ ଭରିଦେଇଛି ।

ସେ ଅନୁଭବ କରୁଛି, ଏ ନାମଟି ହିଁ ତା’ ଜୀବନର ସର୍ବାପେକ୍ଷା ଦାରୁଣ ଯାତନା ।

– ପ୍ରସ୍ତୁତ ହୁଅ ପଦ୍ମିନୀ….. ଦେଖୁଛ ସନ୍ଧ୍ୟା ଆସନ୍ନପ୍ରାୟ….. ତେବେଳେ ଆଉ ଯିବା ? ସରୋଜଙ୍କ ଚେତବନୀରେ ସେ ଭାବନା ଜଗତରୁ ଲେଉଟି ଆସିଲା ।

ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ । ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ ଭିନ୍ନ ଭିନ୍ନ ଭାବନା ପକ୍ଷ ମେଲାଉଥିଲା ।

କ୍ରମଶଃ

Comments are closed.