Latest Odisha News

BREAKING NEWS

ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଈପ୍ସିତା ଷଡ଼ଙ୍ଗୀ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ତାଙ୍କ କବିତାର ଲାଳିତ୍ୟ ପାଠକଙ୍କୁ ଯେତିକି ବିମୁଗ୍ଧ କରେ, ପ୍ରବନ୍ଧର ଗୁଢତତ୍ତ୍ୱ ସମାଲୋଚାନକଙ୍କୁ ବାଧ୍ୟ କରିଦିଏ ପ୍ରଶଂସା ପାଇଁ ।

ପକ୍ଷୀ ଫେରିନି, ଫେରିବା କଥା, ପୁନଶ୍ଚ ବୁଦ୍ଧ, କେତେବେଳେ କେଜାଣି, ଶବ୍ଦ ଆରପାଖ, ଦୃଶ୍ୟ ଦର୍ପଣ, ଏବର କବିତା, ମ୍ୟାନହଟ୍ଟନରୁ ମୁନାର, ଅବସକ୍ୟୁର ଗଡେସ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ଈପ୍ସିତା ଷଡ଼ଙ୍ଗୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ସର୍ଜନାର ପ୍ରେରଣା କିଏ ଥିଲେ ?

ମୋ ନନା ବଂଶୀଧର ଷଡ଼ଙ୍ଗୀ ଜଣେ ଜଣାଶୁଣା କବି ଥିଲେ। ଆମ ପିଲାବେଳେ ଘରର ପରିବେଶକୁ ସେ ସାହିତ୍ୟମୟ କରି ରଖିଥିଲେ। ସେ ହିଁ ମୋ ସାହିତ୍ୟ ସର୍ଜନାର ପ୍ରେରଣା ଥିଲେ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ପ୍ରଜାତନ୍ତ୍ରର ସାହିତ୍ୟ ପୃଷ୍ଠାରେ ଜାନୁଆରୀ ୧୯୯୨ ରେ ‘କିଏ ଆସୁଛି’ ଶୀର୍ଷକରେ ମୋର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା। ସେତେବେଳେ ଗଲ୍ଫ ଯୁଦ୍ଧ ଚାଲିଥିଲା । ସମୁଦ୍ର ପାଣି ତେଲରେ ଭର୍ତ୍ତି ହୋଇଯାଇଥିଲା । ନୂଆବର୍ଷର ଆଗମନ ସହ ସାମୁଦ୍ରିକ ଜୀବମାନଙ୍କର ଯନ୍ତ୍ରଣା ; ଉଭୟ ଭାବ ମତେ ଅନୁପ୍ରାଣିତ କରିଥିଲା।

ମୌଳିକ ରଚନାରେ ବେଶ ସକ୍ରିୟ ଥିବା ବେଳେ ଅନୁବାଦ ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ଇଂରାଜୀ ଓ ହିନ୍ଦୀ ଭାଷାର ସାହିତ୍ୟ ପଢ଼ିବା ସମୟରେ କିଛି କୃତି ହୃଦୟ ଛୁଇଁଯାଏ। ସେହି ଅନୁଭବ ମତେ ଅନୁବାଦ ସାହିତ୍ୟ ପ୍ରତି ଆକର୍ଷିତ କରିଥିଲା। ଆଉ ଗୋଟିଏ ଘଟଣା ହେଉଛି, ‘ଶତଭିଷା’ ପତ୍ରିକାର ସମ୍ପାଦିକା ଶକୁନ୍ତଳା ବଳିଆରସିଂହ ୧୯୯୮ରେ ସ୍ପାନିସ କବି ଆକ୍ଟାଭିଓ ପାଜଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ଵାରା ଭାରତୀୟ ଦର୍ଶନ ଉପରେ ରଚିତ ‘ବୃନ୍ଦାବନ’ କବିତାକୁ କେହି ଅନୁବାଦ କଲେ ସ୍ଵର୍ଗତ କବିଙ୍କ ସ୍ମୃତିରେ ଶତଭିଷା ପତ୍ରିକାରେ ପ୍ରକାଶିତ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ମୋ ନନାଙ୍କ ପାଖରେ ସେ ବହି ଥିଲା। ସେହି କବିତାଟି ଅନୁବାଦ କରି ପତ୍ରିକା ପାଇଁ ପଠାଇବାକୁ ନନା ହିଁ ମତେ ପ୍ରେରଣା ଦେଇଥିଲେ। ମୁଁ ସେହି କବିତାର ଅନୁବାଦ ପଠାଇଥିଲି ଓ ତାହା ପ୍ରକାଶିତ ହୋଇଥିଲା । ଏହାପରେ ଅନେକ ପତ୍ର ପତ୍ରିକାର ସମ୍ପାଦକ ମତେ ଅନୁବାଦ କରିବା ପାଇଁ କହିଲେ। ଯାହାକି ଆପେ ଆପେ ମତେ ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହୀ କରିଥିଲା। ଏକଦା ନନାଙ୍କ କିଛି କବିତା ମୋ ଦ୍ଵାରା ହିନ୍ଦୀରେ ଅନୂଦିତ ହୋଇ ସମକାଳୀନ ଭାରତୀୟ ସାହିତ୍ୟରେ ପ୍ରକାଶିତ ହେବା ପାଇଁ ନିର୍ବାଚିତ ହୋଇ ସ୍ଥାନ ପାଇଥିଲା। ଏସବୁ ଘଟଣାବଳୀ ମତେ ଅନୁବାଦ ସାହିତ୍ୟ ଆଡ଼କୁ ଟାଣି ନେଇଥିଲା।

ଓଡ଼ିଶାରେ ଅନୁବାଦକମାନେ ଅନ୍ୟ ଲେଖକଙ୍କ ତୁଳନାରେ ଅବହେଳିତ ବୋଲି ଆପଣ ଭାବନ୍ତି କି ?

ସେମିତି କିଛି ଅନୁଭୂତି ମୋର ନାହିଁ। ବରଂ ଅନୁବାଦିକା ଭାବରେ ମୁଁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ପାଇଛି।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ଖୁବ୍ ଚମତ୍କାର ପ୍ରଶ୍ନଟିଏ ପଚାରିଛନ୍ତି। ଏକଥା ସତ ଯେ ସମାଜରେ ଘଟି ଯାଉଥିବା ଅତ୍ୟାଚାର, ବର୍ବରତା ଓ କଷ୍ଟକୁ ମୁଁ ମୋ କବିତାରେ ସ୍ଥାନ ଦେଇ ପୁଣିଥରେ ବର୍ବରତାକୁ ଅନୁଭବ କରିବାକୁ ଚାହେଁନା। ତେଣୁ ମୋ କବିତା କିଛି ସତେଜ ଅଶା, କିଛି କୋମଳ ଆଶ୍ବାସନାର କଥା କହୁ ଓ କିଛି ନାନ୍ଦନିକତାର ମାଧୁର୍ଯ୍ୟ ବାଣ୍ଟୁ ; ଏତିକି ଇଚ୍ଛା କରେ । କେତେ ସଫଳ ହୋଇ ପାରିଛି ତାହା ପାଠକ କହିପାରିବେ !

କବିତାର କୋମଳତା, ଅନୁବାଦର ସୂକ୍ଷ୍ମତା ଓ ପ୍ରବନ୍ଧର ଗୂଢ଼ତତ୍ତ୍ୱ ମଧ୍ୟରେ କିପରି ସମନ୍ୱୟ ରଖି ପାରନ୍ତି ?

ଆପଣଙ୍କର ପ୍ରଶ୍ନ ପଚାରିବାର ଗଭୀରତାକୁ ସମ୍ମାନ ଜଣାଉଛି । କବିତା ଲେଖିବା ସମୟର ‘ ମୁଁ ‘ , ଅନୁବାଦ କରିବା ସମୟର ‘ ମୁଁ ‘ ଅଲଗା ଅଲଗା ଭୂମିକା ନିର୍ବାହ କରନ୍ତି। ବୃତ୍ତିଗତ ଜୀବନରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାହିତ୍ୟ ତତ୍ତ୍ଵ ଆଧାରରେ ପଢ଼ାଇବାକୁ ହୁଏ, ସେହି ଦୃଷ୍ଟିରୁ ପ୍ରବନ୍ଧର ଗୁଢ଼ତତ୍ତ୍ଵ ଯେମିତି ଅସ୍ଥିମଜ୍ଜା ଗତ ହୋଇ ଗଲାଣି। ତେବେ ପ୍ରତ୍ୟେକ ଭୂମିକାରେ ଥିବାବେଳେ ଅନ୍ୟ ସତ୍ତାଟି ଯେମିତି ଆଚ୍ଛାଦିତ ହୋଇ ନଯିବ ସେଥିପ୍ରତି ମୁଁ ଯଥେଷ୍ଟ ସଚେତନ ଥାଏ ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ହଁ, ବ୍ୟକ୍ତିଗତ ଜୀବନରେ ଅନେକ ଘାତ ପ୍ରତିଘାତ ଆସିଛି। ଅସ୍ଥିର ତଥା ଯନ୍ତ୍ରଣାସିକ୍ତ ସମୟ ଆସିଛି। ସେ ସମୟରେ ସାହିତ୍ୟ ହିଁ ମୋର ଶକ୍ତି ହୋଇଛି। କେବେ କବିତା ଲେଖା ହେବାର ମୁହୂର୍ତ୍ତରେ କିଛି ବାଧା ଆସିଛି, କେବେ ଅଭିମାନରେ ଅଟକିଯାଇଛି । ସେହି ଭିତରେ ହିଁ ଜୀବନ ଚାଲିଛି।

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ହଁ, ନିଶ୍ଚିତ ଭାବରେ । ଏବେକାର ସମାଲୋଚନା ସାହିତ୍ୟ ଦୁର୍ବଳ। ସେଥିପାଇଁ ସଚ୍ଚୋଟ ସମାଲୋଚନା ହେବା ଆବଶ୍ୟକ। ଏ କ୍ଷେତ୍ରରେ ସମ୍ପର୍କ କି କ୍ଷମତା ମାପକାଠି ନହୋଇ ସଠିକ ଭାବରେ ସମାଲୋଚନା କରାଯାଉ।

ସାହିତ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?

ସାମାଜିକ ଗଣମାଧ୍ୟମର ସାହିତ୍ୟକୁ ନେଇ ଅନେକ ତର୍କ ବିତର୍କ ଚାଲେ। କିଛି ସ୍ୱତଃସ୍ଫୂର୍ତ୍ତ ପ୍ରତିକ୍ରିୟା, କିଛି ପିଲାଳିଆମୀ ଆଉ କିଛି ବୌଦ୍ଧିକ। ସମୟ ଅଭାବରୁ ମୁଁ ଏସବୁ ତର୍କରେ ଭାଗ ନେଇ ପାରେନା କିନ୍ତୁ ଚିନ୍ତା ଉଦ୍ରେକକାରୀ ତର୍କକୁ ମୁଁ ପସନ୍ଦ କରେ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ବିଶ୍ଵ ସାହିତ୍ୟର ମାପଦଣ୍ଡରେ ଓଡ଼ିଆ ସାହିତ୍ୟର ସ୍ତର ଖୁବ୍ ଉଚ୍ଚରେ । ଥରେ ଏକ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦିକାଙ୍କୁ କହିଥିଲି, ଚୋର ଖଣ୍ଟମାନେ ପ୍ରଥମ ପୃଷ୍ଠାରେ ସ୍ଥାନ ପାଉଥିବା ବେଳେ ସାହିତ୍ୟ ଓ ସାହିତ୍ୟିକମାନେ ସବୁବେଳେ ଷଷ୍ଠ ପୃଷ୍ଠାରେ କାହିଁକି? କହିବାର ତାତ୍ପର୍ଯ୍ୟ ଏହା ଯେ ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ। ଏହା ହିଁ ମୋର ସ୍ୱପ୍ନ। କେହି ଜଣେ ହେଲେ ଓଡ଼ିଆ ସାହିତ୍ୟିକ ନୋବେଲ ପୁରସ୍କାରର ବିଜେତା ହୁଅନ୍ତୁ।

Comments are closed.