Latest Odisha News

ଆନ୍ଦୋଳନକାରୀ ଗାଡ଼ି ଅଟକାଇଲେ ୧୧୨କୁ କଲ କରନ୍ତୁ: ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ବୁଧବାର ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡ୍ରାଇଭର ସଙ୍ଘ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ୱରରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ କମିଶନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆନ୍ଦୋଳନକାରୀ ଗାଡ଼ି ଅଟକାଇଲେ ୧୧୨କୁ କଲ କରିବାକୁ କହିଛନ୍ତି କମିଶନରେଟ ପୋଲିସର ମୁଖିଆ ସୌମେନ୍ଦ୍ର ପ୍ରିୟଦର୍ଶୀ।

ଭୁବନେଶ୍ୱରବାସୀଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ କି ପଦକ୍ଷେପ ନେବାକୁ ଯାଉଛି ସେ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବୁଧବାର ସାଧାରଣ ପରିବହନ, ଅଟୋ ରିକ୍ସା ଓ ଟ୍ୟାକ୍ସି ଚଳାଚଳ ସ୍ୱାଭାବିକ ହେବ। ଯଦି କେହି ଏହାକୁ ବିରୋଧ କରନ୍ତି କିମ୍ବା ବିରୋଧ କରିବାକୁ ଚେଷ୍ଟା କରନ୍ତି ତେବେ ପୁଲିସ ନିଶ୍ଚିତ ଭାବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପୁଲିସର ମୁଖ୍ୟ ଲକ୍ଷ୍ୟ ରହିବ। ଯଦି କୌଣସି ବ୍ୟକ୍ତି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ୧୧୨ ନମ୍ବରକୁ ଡାଏଲ କରିବାକୁ ଅନୁରୋଧ କରିଛନ୍ତି କମିଶନରେଟ ପୋଲିସର ମୁଖିଆ ସୌମେନ୍ଦ୍ର ପ୍ରିୟଦର୍ଶୀ। ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିବାକୁ ଚାହିଁ ସେ କହିଛନ୍ତି, ସେମାନେ ଲୋକଙ୍କୁ ଅସୁବିଧାରେ ନ ପକାନ୍ତୁ।

ଏଥିସହିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗାଡ଼ି ଚାଳକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ବୁଧବାରଠୁ ଧର୍ମଘଟ ଡାକରା ଦେଇଥିବା ଡ୍ରାଇଭରଙ୍କ ପ୍ରତି ଆମର ସକରାତ୍ମକ ଆଭିମୁଖ୍ୟ ରହିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବେ ସେମାନଙ୍କ ମାମଲାକୁ ସକାରାତ୍ମକ ଭାବେ ଗ୍ରହଣ କରିବେ। ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ  ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ଲୋକଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ନକରିବାକୁ ସେ ଅନୁରୋଧ କରିଛନ୍ତି। ସେମାନଙ୍କ ଦାବିକୁ ବିଚାରକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଅନୁକୂଳ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Comments are closed.