Latest Odisha News

‘କିଛି ନିର୍ଦ୍ଦିଷ୍ଟ ଆଇଏଏସଙ୍କୁ ଗୋଟିଏ ପଦବୀରେ ଦୀର୍ଘ ଦିନ ନିୟୋଜିତ କରି ସରକାର ପକ୍ଷପାତିତା କରୁଛନ୍ତି’

ଭୁବନେଶ୍ୱର: ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାପାଳ, ଏଡିଜି ଅରୁଣ ବୋଥ୍ରା ଏବଂ ନଗର ଉନ୍ନୟନ ସଚିବ ଜି. ମାଥି ଭଥନନ ଏବଂ ନିର୍ବାଚନ କମିଶନର ସୁଶୀଲ ଲୋହନୀଙ୍କୁ ଦୀର୍ଘ ଦିନ ହେବ ଗୋଟିଏ ପଦବୀରେ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଦୀର୍ଘ ଦିନ ଧରି ରାଜ୍ୟ ସରକାର ଏହି ଆଇଏଏସ ଅଧିକାରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି ଦେବାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଗୁରୁବାର ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସର ବିଧାୟକ ଦଳର ନେତା କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଦୀର୍ଘଦିନ ଧରି ଲାଭଜନକ ପଦବୀରେ ନିଯୁକ୍ତି ପ୍ରଦାନ କରି ‘ଅତିରିକ୍ତ ପକ୍ଷପାତିତା’ ଦେଖାଉଛନ୍ତି ରାଜ୍ୟ ସରକାର। କିଛି ନ୍ୟସ୍ତ ସ୍ୱାର୍ଥ ପାଇଁ କେତେକ ବିଭାଗର ଦାୟିତ୍ୱରେ ଥିବା କିଛି ଆଇଏଏସ ଅଧିକାରୀଙ୍କୁ ବଦଳି କରାଯାଉନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଜୟ ନାରାୟଣ ମିଶ୍ର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି। ଏହି ଦୁଇ ଜିଲ୍ଲାରେ ଜିଲ୍ଲାପାଳମାନେ ୬ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ବିରୋଧୀ ଦଳ ନେତା ଏହା ମଧ୍ୟ କହିଛନ୍ତି ଯେ ନଗର ଉନ୍ନୟନ ସଚିବ ଜି. ମାଥି ଭଥନନ ୯ ବର୍ଷ ହେଲା ଗୋଟିଏ ପଦବୀରେ ଅଛନ୍ତି। ସେହିପରି ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ୬ ବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ବୋଲି ଜୟନରାରାୟଣ କହିଛନ୍ତି।

ରାଜ୍ୟ ନିର୍ବାଚନ କମିସନର ତଥା ପଞ୍ଚାୟତିରାଜ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୁଶୀଲ କୁମାର ଲୋହାନୀଙ୍କ ଆଡକୁ ମଧ୍ୟ ବିରୋଧୀ ଦଳ ନେତା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନାଁ ମଧ୍ୟ ବିରୋଧୀ ଦଳ ନେତାଙ୍କ ଉଦାହରଣ ତାଲିକାରେ ସ୍ଥାନପାଇଛି।

ଏପରି କାର୍ଯ୍ୟଶୈଳୀ କଣ ମୋ ସରକାର, ଏବଂ ୫ଟି ସରକାରରେ ହୁଏ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ହେବା ଦ୍ୱାରା ଲାଗୁଛି ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କୁ ଏକାଧିକ ଲୋଭନୀୟ ବିଭାଗ ଦିଆଯାଇଛି ବୋଲି ଜୟନାରାୟଣ କହିଛନ୍ତି।

କଂଗ୍ରେସ ମଧ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛି ଯେ ଏହା ବୁକ୍ ସର୍କୁଲାର-୪୭ର ଉଲ୍ଲଙ୍ଘନ କରିଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦୁଝର ଜିଲ୍ଲାପାଳଙ୍କୁ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ବିତିଗଲାଣି। ଜିଲ୍ଲାରେ ପ୍ରଚୁର ପରିମାଣରେ ଖଣି ରହିଛି। ଲାଗୁଛି, ଶାସକ ଦଳ ଖଣିରୁ ଟଙ୍କା ନେଇ ଚଳାଉଛନ୍ତି।

ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯଦି ଅଫିସରମାନେ ଭଲ କାମ କରୁଛନ୍ତି ତେବେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଖିବାରେ ଅସୁବିଧା କ’ଣ? ଏଥିରେ କୌଣସି କ୍ଷତି ନାହିଁ।

Comments are closed.