Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ସମୟ ତା ବାଟରେ ଯେତେବେଳେ, ଯେମିତି ଜଣାଇବ ମୁଁ ମଥାପାତି ସହିନେବି । କିନ୍ତୁ ଆଜିଠାରୁ ନୁହେଁ । ମୁଁ ଦୁର୍ବଳ ହୋଇଯିବି । ଶାଶୁ ମୋ ମଥାକୁ ଆଉଁଷିବାରେ ଲାଗିଲେ । ବୋଉ ମତେ କୁଣ୍ଢେଇ ଧରି
କଇଁ କଇଁ କାନ୍ଦୁଥିଲା । ମୁଁ ତ ପଥର ହୋଇଯାଇଥିଲି । ବାବା ଏଥର ପାଟି ଖୋଲିଲେ- ମା’ରେ, ଆମ ସହ ଚାଲିଆ । ଘରେ ରହି ଯେକୌଣସି କାମ କରିବୁ । ପିଲାଟିକୁ ତ ମାତ୍ର ଦେଢ଼ ବର୍ଷ । ତାକୁ ଧରି କେମିତି,
କୁଆଡ଼େ ଯିବୁ ?

– ମୁଁ ପାରିବି ବାପା ! ଏଇ କେତେଦିନର ମାନସ ମନ୍ଥନ ଭିତରେ ମୋ ଭବିଷ୍ୟତ କର୍ମପନ୍ଥା ନିର୍ଣ୍ଣୟ କରିସାରିଛି । ତମେ ଦେଇଥିବା ସିଲେଇ ମେସିନକୁ କାମରେ ଲଗାଇବି । କିଛି ପିଲାଙ୍କୁ ଘରକୁ ଡାକି ଟ୍ୟୁସନ୍ କରିବି । ବିଶ୍ୱାସକୁ ତିନିବର୍ଷ ହୋଇଗଲେ, ତାକୁ ନେଇ ମୁଁ ବାହାରକୁ ଯାଇପାରିବି ।

– ତଥାପି ମା, ଏତେ ବଡ଼ ସହର ଭୁବନେଶ୍ୱରରେ ତୁ ଏକାକୀ… ବାପାଙ୍କ କଣ୍ଠ ଭାରିଭାରି ଲାଗୁଥିଲା ।

ସମସ୍ତଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି କହିଲି- ମୋ ଉପରେ ଭରସା ରଖ । ଏଭଳି କୌଣସି କାମ ମୁଁ କରିବି ନାହିଁ, ଯଦ୍ୱାରା ତମେମାନେ ଲଜ୍ଜିତ ହେବ । ମୋ ତରଫରୁ କୌଣସି ଅଭିଯୋଗ ତମମାନଙ୍କ ପାଖରେ ପହଁଚିବ ନାହିଁ । ଧରିନିଅ, ଇଏ ମୋର ବନବାସ ନୁହେଁ, ଅଜ୍ଞାତବାସର ସମୟ । ମତେ ଏକାକୀ ହିଁ କାଟିବାକୁ ଦିଅ ।

ଆଉ କାହାର କିଛି କହିବାର ନଥିଲା । ସବୁପ୍ରକାର ବନ୍ଧନକୁ ପଛରେ ପକାଇ ଆଗକୁ ପାଦ ପଢ଼ାଇଲି ।

 

କ୍ରମଶଃ

Leave A Reply

Your email address will not be published.