Latest Odisha News

BREAKING NEWS

ଜ୍ୱିଗାଟୋରେ ଓଡ଼ିଆ ପୁଅଙ୍କ କମାଲ: ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

ଭୁବନେଶ୍ୱର: ସଦ୍ୟ ମୁକ୍ତିଲାଭ କରିଥିବା ହିନ୍ଦି ଫିଲ୍ମ ଜ୍ୱିଗାଟୋ ବକ୍ସ ଅଫିସରେ ସଫଳତା ପାଇଲା ନାହିଁ ସତ । କିନ୍ତୁ ଏହି ଫିଲ୍ମ ଜରିଆରେ ବଲିଉଡ଼ରେ ଡ଼େବ୍ୟୁ କରିଥିବା ଓଡ଼ିଶାର ଶିଶୁ କଳାକାର ପ୍ରଜ୍ୱଳ ସାହୁଙ୍କୁ ନେଇ ଢେର ଚର୍ଚ୍ଚା । ଏଥିରେ ସେ ତାଙ୍କ ଅଭିନୟରେ କମାଲା ଦେଖାଇଛନ୍ତି । ବିଶେଷକରି ଏତେ କମ ବୟସରେ ବଲିଉଡ଼ରେ ଡ଼େବ୍ୟୁ କରିବା କିଛି କମ୍ କଥା ନୁହେଁ । ଏଥିଲାଗି ପ୍ରଜ୍ୱଳଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଫିଲ୍ମରେ ମୁଖ୍ୟ କଳାକାର କପିଲ ଶର୍ମାଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି ପ୍ରଜ୍ୱଳ । ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଖୁସି ଥିବା କହିଛନ୍ତି । ଆଗକୁ ସୁଯୋଗ ମିଳିଲେ ଅଭିନୟକୁ କ୍ୟାରିୟର କରିବେ ବୋଲି କହିଛନ୍ତି । ପ୍ରଜ୍ୱଳ କହିଛନ୍ତି, ତାଙ୍କ ସ୍କୁଲରେ ଏକ ଅଡ଼ିସନ ଚାଲିଥିବା ବେଳେ ଅନ୍ୟ ୧୦ରୁ ୧୫ ଜଣ ଛାତ୍ରଛାତ୍ରୀଙ୍କ ସହ ସେ ବି ଅଡ଼ିସନରେ ଭାଗ ନେଇଥିଲେ । କିନ୍ତୁ ତାଙ୍କୁ ଏହି ସୁଯୋଗ ମିଳିବ ବୋଲି ସେ ସ୍ୱପ୍ନରେ ବି ଭାବି ନ ଥିଲେ । ତେବେ କୋଭିଡ଼ ସମୟରେ ଫିଲ୍ମଟି ସୁଟିଂ ହୋଇଥିବାରୁ ତାଙ୍କ ପାଠପଢା ସହ ଅଭିନୟ କରିବାକୁ ସମୟ ମିଳିଲା ବୋଲି ସେ କହିଛନ୍ତି । ପ୍ରଥମ କ୍ୟାମେରା ସାମ୍ନା କରିବା ବିଷୟରେ ସେ କହିଛନ୍ତି, ପ୍ରଥମରୁ ନରଭସ୍ ଥିଲି । ଧୀରେ ଧୀରେ ସାହାସ ପାଇ ଭଲ କରିବାକୁ ଚେଷ୍ଟା କଲି । ଆଗକୁ ପାଠ ପଢିବା ସହ ସୁଯୋଗ ମିଳିଲେ ଅଭିନୟ କରିବେ ବୋଲି କହିଛନ୍ତି । ପ୍ରଜ୍ୱଳ ହେଉଛନ୍ତି ରୁଚି ମସଲା କମ୍ପାନୀର ନିର୍ଦ୍ଦେଶକ ଶରତ ସାହୁଙ୍କ ନାତି ।

ପ୍ରଜ୍ୱଳଙ୍କ ବଲିଉଡ଼ ଏଣ୍ଟ୍ରିକୁ ନେଇ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ । ଏହି ଉପଲକ୍ଷେ ଓଫା ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍‌ର ବହୁ ପରିଚିତ କଳାକାର ଯୋଗ ଦେଇ ପ୍ରଜ୍ୱଳଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଅଭିନେତା ଶ୍ରୀତମ ଦାସ କହିଥିଲେ, ପ୍ରଥମ ବଲରେ ଛକା ମାରିଛନ୍ତି ପ୍ରଜ୍ୱଳ । ଡ଼େବ୍ୟୁ ଫିଲ୍ମରେ ତାଙ୍କୁ ନେଇ ଏତେ ଚର୍ଚ୍ଚା ଲାଗି ରହିବା କିଛି କମ କଥା ନୁହେଁ । ତାଛଡ଼ା ବୟସ ତୁଳନାରେ ପ୍ରଜ୍ୱଳ ବହୁତ ଭଲ ଅଭିନୟ କରିଛନ୍ତି । ଆଗକୁ ଯାଇ ସେ ଜଣେ ଓଡ଼ିଆ ଭାବେ ଓଡ଼ିଶାକୁ ଗୌରାବନ୍ୱିତ କରିବେ ।

 

Leave A Reply

Your email address will not be published.