ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ପ୍ରସଙ୍ଗରେ ଆଜି ଆଲୋଚନା କରିବା ଏକ ସ୍ୱତନ୍ତ୍ର ନିୟମ ଅନୁସୃତ ହୋଇ ପାଳିତ ହେଉଥବା ଦୁଇଟି ପ୍ରମୁଖ ବେଶ ବିଷୟରେ। ପ୍ରଥମଟି ହେଉଛି
“ଚାଚେରୀ ବେଶ “ତଥା ଦ୍ଵିତୀୟ ଟି ହେଉଛି “ଚନ୍ଦନ ବେଶ “।
ଚାଚେରୀ ବେଶ :-ଫାଲଗୁନ ଶୁକ୍ଳ ଦଶମୀଠାରୁ ପୁର୍ଣିମା ଯାଏଁ ପାଳିତ ହେଉଥିବା ଦୋଳଉତ୍ସବର ଆନନ୍ଦ ଉଲ୍ଲାସକୁ ଆହୁରି ଶାଣିତ ଓ ରସମୟ କରିବା ପାଇଁ ଶ୍ରୀଜୀଉମାନଙ୍କ ହୋଇଥାଏ ଏହି ଚାଚେରୀ ବେଶ। ଏହି ବେଶର ଏକ ବିଶେଷତ୍ୱ ହେଲା ଦୋଳ ଉତ୍ସବ ପାଳନ ଅବସରରେ ଶ୍ରୀଜୀଉମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନାଲିରଙ୍ଗର ପାଟ ବସ୍ତ୍ର ପରିଧାନ କରନ୍ତି। ଏହି ଅବସରରେ ମଧ୍ୟ ଏକ ସ୍ୱତନ୍ତ୍ର ଭୋଗ ପ୍ରସ୍ତୁତ ହୋଇ ଲାଗି କରାଯାଇଥାଏ, ଯାହାର ନାମ ଚାଚେରୀ ଭୋଗ । ଦଶମୀ ଦିନ ମଧ୍ୟlନ୍ନ ଧୂପ ପରେ ମଇଲମ ଓ ନାଲି ପାଟ ଲାଗି ପରେ ଶ୍ରୀଜୀଉ ମାନଙ୍କ ସର୍ବାଙ୍ଗ ବଢେ. ତାପରେ ଚାଚେରୀ ବେଶ ପାଇଁ ଶ୍ରୀଦେବୀ ଓ ଭୁଦେବୀ ରତ୍ନସିଂହାସନ ରୁ ଦକ୍ଷିଣ ଘରକୁ ବିଜେ କରନ୍ତି। ସେଠାରୁ ଦୋଳଗୋବିନ୍ଦଙ୍କ ସହ ବିମାନରେ ଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରନ୍ତି। ଏଣେ ରତ୍ନସିଂହାସନ ରେ ପ୍ରଭୁଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୁଏ। ବେଶ ପରେ ମାଳ କର୍ପୁର ଲାଗି ହୋଇଥାଏ, ଚାଚେରୀ ଭୋଗ ଲାଗେ।
ଚନ୍ଦନ ବେଶ :-ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଦୀର୍ଘ ୪୨ ଦିନ (୨୧ ଦିନ ବାହାର ଚନ୍ଦନ +୨୧ ଦିନ ଭିତର ଚନ୍ଦନ )ଯାକ ଭୋଗ ମଣ୍ଡପ ଧୂପ ପରେ ଆଲଟ ଲାଗି ଓ ପରେ ଚନ୍ଦନ ଲାଗି ହୁଏ । ଏହାପରେ ଠାକୁରମାନଙ୍କ ଫୁଲରେ ବେଶ କାରାଯାଏ। ଫୁଲର ଚଉସରା, ଅଳକା, ଚୁଳ, ଗଭା, ଗୁଣା, ଝୁମ୍ପା ଓ ଅଧର ପ୍ରଭୃତି ଲାଗି କାରାଯାଏ। ଏହା ହିଁ ଚନ୍ଦନ ବେଶର ବୈଶିଷ୍ଠ। ଏମିତିରେ ଚନ୍ଦନ ଏକ ଅଙ୍ଗ ଭୂଷଣ ଭାବରେ ଦୈନିକ ବେଶରେ ଲାଗି ହୋଇଥାଏ। କିନ୍ତୁ ଚନ୍ଦନ ଯାତ୍ରା ସମୟରେ ସ୍ୱତନ୍ତ୍ର ଭାବେ ଶ୍ରୀଜୀଉମାନଙ୍କ ଶରୀରକୁ ଶୀତଳତା ପ୍ରଦାନ ପାଇଁ ଏହି ବେଶ ଅତ୍ୟନ୍ତ ପ୍ରଚଳିତ ବେଶ ଅଟେ। ଆଗାମୀ ଅଧ୍ୟlୟରେ ଆଉ କିଛି ବେଶର ବିବରଣୀ ସହ ଏହି ବେଶ ଆଲୋଚନାକୁ ସମାପନ କରି ଆରମ୍ଭ କରିବା ସେବା ପରମ୍ପରାର କଥା। ଏବେ କିନ୍ତୁ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ ।
“ଯେ ଧର୍ମ କର୍ମ ବିପରୀତ
କେବେ ହେଁ ନକରିବ ଚିତ୍ତ ।
ଚିତ୍ତ ସନ୍ତୋଷ ଯଥା ଲାଭେ
ନିତ୍ୟେ ବଞ୍ଚିବ ମୋର ଭାବେ ।
ଯେ ବିପ୍ର ହରି ପାରାୟଣେ
ଗୃହେ ବସଇ ସାଧୁ ପଣେ ।
ନିତ୍ୟେ କରଇ ମୋତେ ଧ୍ୟାନ
ସେ ନୋହେ ନରକେ ପତନ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.