Latest Odisha News

BREAKING NEWS

ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର, ଧାର୍ଯ୍ୟ ସମୟରେ ଦେୟ ଦେଲେ ୟୁନିଟ୍ ପିଛା ୧୦ ପଇସା ରିହାତି

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ବିଦ୍ୟୁତ୍ ଦର ବୃଦ୍ଧି କରି ନାହାଁନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖା ଯାଇଛି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ସଚିବ ପ୍ରିୟବ୍ରତ ପଟ୍ଟନାୟକ । ଗ୍ରାମାଞ୍ଚଳ ଉପଭୋକ୍ତା ଠିକ୍ ମିଟରରେ ବିଦ୍ୟୁତ୍ ବ୍ୟବହାର କରି ଧାର୍ଯ୍ୟ ତାରିଖ ପୂର୍ବରୁ ଦେୟ ଦେଉଥିଲେ ୟୁନିଟ୍ ପିଛା ୧୦ ପଇସା ରିହାତି ମିଳିବ ।

ଏହାଦ୍ୱାରା ରାଜ୍ୟର ପ୍ରାୟ ୯୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ଏହା ଛଡ଼ା ଏଲଟି ଘରୋଇ ଏବଂ ସିଙ୍ଗଲ୍ ଫେଜ୍ ଉପଭୋକ୍ତା ଡିଜିଟାଲ୍ ବିଲ୍ ପେମେଣ୍ଟ କରି ୪ ପ୍ରତିଶତ ରିହାତି ପାଇ ପାରିବେ । ପୂର୍ବରୁ ଅନଲାଇନରେ ବିଲ୍ ଦେଲେ ୩ ପ୍ରତିଶତ ରିହାତି ମିଳୁଥିଲା ।

ଘରୋଇ ଗ୍ରାହକଙ୍କ ଲାଗି ପ୍ରଥମ ୫୦ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ପାଇଁ ଦେୟ ୟୁନିଟ୍ ପିଛା ୩ ଟଙ୍କା ରହିଛି । ୫୦ରୁ ୨୦୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ୫ ଟଙ୍କା ୮୦ ପଇସା, ୪ ଶହରୁ ଅଧିକ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ରହିଛି ।

Comments are closed.