Latest Odisha News

ନକଲି ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଚାରି ପୋଷ୍ଟ ମାଷ୍ଟର ନିଖୋଜ!

ବଲାଙ୍ଗୀର: ପୋଷ୍ଟ ମାଷ୍ଟର ଚାକିରି କରିବାକୁ ଯାଇ ଦେଇଥିଲେ ନକଲି ମାଟ୍ରିକ ସାର୍ଟିଫିକେଟ। ଚାକିରି କରିବାର କିଛି ଦିନ ପରେ ଧରାପଡ଼ିଛି ଅସଲ ଗୁମର। ଡାକ ବିଭାଗ ତଦନ୍ତ କରିବା ସହିତ ପୋଲିସ ତଦନ୍ତ ଆରମ୍ଭ କରିବା ଦେଖି୍ ନିଖୋଜ ହୋଇଯାଇଛନ୍ତି ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି ପାଇଥିବା ଜଗନ୍ନାଥ ପୋଢ, କୋକିଲା ମେହେର, ପୂଜା ମେହେର, ରଘୁନାଥ ମେହେର।

ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ଭାବେ ପୋଷ୍ଟ ମାଷ୍ଟର ଜଗନ୍ନାଥ ପୋଢ ନିଯୁକ୍ତି ପାଇଥିଲେ, କୋକିଳ ମେହେର ମାରୁଆଁ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର, ପୂଜା ମେହେର ପଢେଲ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଏବଂ ରଘୁନାଥ ମେହେର, ଘସେଇଁ  ପୋଷ୍ଟମାଷ୍ଟର ଭାବେ ନିଯୁକ୍ତି ପାଇଥିଲେ।

୨୦୨୨ ମସିହାରେ ପୋଷ୍ଟ ଅଫିସରେ ଚାକିରି ପାଇଁ ବାହାରିଥିବା ନିଯୁକ୍ତି ବିଜ୍ଞାପନ ଦେଖି ଅନଲାଇନରେ ଆବେଦନ କରିଥିଲେ ଅନେକ ଆଶାୟୀ। ହେଲେ ଆବେଦନକାରୀଙ୍କ ମଧ୍ୟରୁ ୩୭ ଜଣ ଯେଉଁ ସାର୍ଟିଫିକେଟ ଦେଇଥିଲେ ସେଥିରେ ସେମାନେ ମାଟ୍ରିକ ଉତ୍ତର ପ୍ରଦେଶରୁ ପାସ କରିଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଏଥିରେ ସନ୍ଦେହ ହେବା ପରେ ଉତ୍ତର ପ୍ରଦେଶ ବୋର୍ଡକୁ ମାଟ୍ରିକ ସାର୍ଟିଫେକଟର ସତ ଜାଣିବାକୁ ବିଭାଗ ପ୍ରୟାସ କରିଥିଲା। ଯଦିଓ ଏଯାବତ ବୋର୍ଡ ପକ୍ଷରୁ କୌଣସି ଉତ୍ତର ଆସିନି ହେଲେ ସନ୍ଦେହ ହେବାରୁ ଚାକିରି ପାଇଥିବା ୪ ଜଣଙ୍କର ଦରମା ବନ୍ଦ କରି ଦିଆଯାଇଛି।

ଏ ସମ୍ପର୍କରେ ବଲାଙ୍ଗୀର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି, ଏ ବାବଦରେ ଆମେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବୁ। ସେ କହିଛନ୍ତି, ଅନଲାଇନରେ ଅପଲୋଡ୍ ହେଉଥିବା ଡକ୍ୟୁମେଣ୍ଟକୁ ଯାଞ୍ଚ କରିବା ପାଇଁ ଆମ ପାଖରେ ବ୍ୟବସ୍ଥା ରହିଛି। ସେହି ସମୟରେ ଆମେ କାଗଜପତ୍ରକୁ ସତ ବୋଲି ଭାବି ସେମାନଙ୍କୁ ନିଯୁକ୍ତି ପତ୍ର ଦେଇଥିଲୁ। ସେମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

୨୦୨୨ରେ ୮୩ଟି ଶାଖା ଡାକଘରେ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ମୋଟ ଆବେଦନକାରୀଙ୍କ ମଧ୍ୟରୁ ୩୭ ଜଣ ଉତ୍ତର ପ୍ରଦେଶରୁ ମାଟ୍ରିକ୍ ସାର୍ଟିଫିକେଟ୍ ଜମା କରିଥିବା ଜଣାପଡ଼ିଛି। ୟୁପି ବୋର୍ଡ ଦ୍ୱାରା ଜାରି କରାଯାଇଥିବା ଏହି ସାର୍ଟିଫିକେଟରେ ଓଡ଼ିଆ ବିଷୟରେ ନମ୍ବର ଥିବା ଦର୍ଶାଯାଇଥିଲା। ପ୍ରମାଣ ପତ୍ରର ସତ୍ୟତା ଉପରେ ସନ୍ଦେହ କରି ତଦନ୍ତ ଆରମ୍ଭ ହୋଇଥିଲା। ଏ ନେଇ ବଲାଙ୍ଗୀର ଡାକ ବିଭାଗ ଉତ୍ତର ପ୍ରଦେଶର ସମ୍ପୃକ୍ତ ବୋର୍ଡକୁ ସ୍ପଷ୍ଟୀକରଣ ମାଗିଥିଲା। କିନ୍ତୁ ମିଳିଥିବା ଉତ୍ତର ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏସବୁ ଘଟଣା ସାମ୍ନାକୁ ଆସିବା ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବଲାଙ୍ଗୀର ଏସପି ନୀତିନ କୁଶଲକର କହିଛନ୍ତି, ଅଭିଯୋଗର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.