Latest Odisha News

ରାହୁଲଙ୍କୁ ପୁଣି ଝଟକା: ମାସକ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ ଆସିଲା ନୋଟିସ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ । ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟଙ୍କ ଦଣ୍ଡାଦେଶ, ସଦସ୍ୟତା ରଦ୍ଦ ପରେ ଏବେ ଆଉ ଏକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାହୁଲ । ସଦସ୍ୟତା ପଦ ଯିବା ପରେ ଏବେ ତାଙ୍କୁ ସରକାରୀ ଘର ଛାଡିବା ପାଇଁ ନୋଟିସ ଆସିଛି ।ଏପ୍ରିଲ ୨୨ ସୁଦ୍ଧା ରାହୁଲଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି।

୨୦୦୫ରେ ରାହୁଲ ଲୋକସଭାକୁ ସାଂସଦ ଭାବେ ମନୋନୀତ ହୋଇ ଆସିଥିଲେ । ସାଂସଦ ହେବା ପରେ ତାଙ୍କୁ ୧୨, ତୁଗଲକ ଲେନରେ ସରକାରୀ ବାସଭବନ ମିଳିଥିଲା । ସେହିଦିନଠାରୁ ରାହୁଲ ସେଠାରେ ରହି ଆସୁଛନ୍ତି ।

ସଦସ୍ୟତା ପଦ ହରାଇବା ପରେ ଏବେ ତାଙ୍କୁ ଏହି ଘର ଛାଡ଼ିବାକୁ ପଡିବ  । ହାଉସିଂ କମିଟିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସାଂସଦ ପଦ ହରାଇବାର ମାସକ ପରେ ବଙ୍ଗଳା ଛାଡିବାକୁ ପଡ଼ିବ । ହେଲେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । କଂଗ୍ରେସ ସାସଂଦ ପ୍ରମୋଦ ତିୱାରୀ କହିଛନ୍ତି, ନୋଟିସ ଦିଆଯିବା ପରେ ବି ୩୦ ଦିନ ଜଣେ ଏହି ଘରେ ରହିପାରିବ । ୩୦ ଦିନ ପରେ ଜଣେ ବଜାର ଦର ଅନୁଯାୟୀ  ଭଡା ଦେଇ ବି ଏହି ଘରେ ରହିପାରିବ । ବିଜେପି ଜାଣିଶୁଣି ଆକ୍ରୋଶମୂଳକ ଭାବେ ଏପରି କରୁଛି ବୋଲି ସେ ସମାଲୋଚନା କରି କହିଛନ୍ତି ।

ସେହିପରି କଂଗ୍ରେସ ସାସଂଦ ତଥା ଜାତୀୟ ମୁଖପାତ୍ର ଡ. ନାସିର ହୁସେନ ଏହି ଘଟଣାରେ ବିଜେପିକୁ ସମାଲୋଚନା କରି କହିଛନ୍ତି, ଏହା ବିଜେପିର କୁଟ ଚକ୍ରାନ୍ତ । ରାହୁଲଙ୍କ ସ୍ୱରକୁ ଚପାଇ ଦେବା ପାଇଁ ସବୁପ୍ରକାର ହୀନ ଚକ୍ରାନ୍ତ କରୁଛି ଦଳ । ଆମର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କୁ ସଂସଦରୁ ବାହାର କରିଦେବା ପାଇଁ ଚେଷ୍ଟା ଚଳାଇନ୍ତି । ଏପରି ବ୍ୟବହାର ବିଜେପି ପାଇଁ ନୂଆ ନୁହେଁ ବୋଲି ସେ କହିଛନ୍ତି ।

 

Comments are closed.