କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ… ।
ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ ଶ୍ରୋତା ମୁହଁକୁ ଚାହାଁନ୍ତି ନାହିଁ । କହିସାରିବା ପରେ କେବଳ ମତାମତ ବା ପ୍ରତିକ୍ରିୟା ଜାଣିବାପାଇଁ ସାମାନ୍ୟ ଲକ୍ଷ୍ୟ କରନ୍ତି । ତାଙ୍କର ଏ ଅଭ୍ୟାସ ସହ ପଦ୍ମିନୀ ପରିଚିତା । ଏତିକିବେଳେ ହଠାତ୍ ତାଙ୍କର ଆଖି ପଡ଼ିଲା, ବିଶ୍ୱାସ ତାଙ୍କ ବିଛଣାରେ ଶୋଇପଡ଼ିଛି ।
ସେ କହିଲେ- ପିଲାଟାକୁ ନେଇ ତମ ବିଛଣାରେ ଶୁଆଇ ଦିଅ । ଜର ତାକୁ ଡେଇଁପାରେ… ।
ସନ୍ଧ୍ୟା ଅନେକ ବେଳୁ ଉୀର୍ଣ୍ଣ ହୋଇଗଲାଣି । ସେ ପଦ୍ମିନୀକୁ ମନେପକାଇ ଦେଲେ ରୋଷେଇ କରିବାକୁ ଯିବାପାଇଁ ।
ଗୁରୁତ୍ୱହୀନ ଭାବେ ସେ ପ୍ରତିବାଦ କଲା- ଆପଣ ତ ଅସୁସ୍ଥ । ଆଜି ଆଉ ରୋଷେଇ କରିବିନି… ବିଶ୍ୱାସ ପାଇଁ କ୍ଷୀର, ବିସ୍କୁଟ ଅଛି… ସକାଳର ପଖାଳରେ ମୁଁ ଚଳିଯିବି ଯେ… ଆପଣଙ୍କୁ ଡାକ୍ତର କ’ଣ ଖାଇବା ପାଇଁ କହିଛନ୍ତି ?
– ପାଉଁରୁଟି ଦି’ ପିସ୍ ଖାଇ ମୁଁ ଶୋଇପଡ଼ିବି । ମୋ ପାଇଁ ବ୍ୟସ୍ତ ହୁଅ ନାହିଁ… ।
ସରୋଜଙ୍କୁ ଆଉ କ’ଣ କ’ଣ ଆବଶ୍ୟକ ବୁଝିଦେଇ ପଦ୍ମିନୀ ବିଶ୍ୱାସକୁ କାନ୍ଧରେ ପକାଇ ଉଠିଲା । ଦି’ପହର ସମୟରେ ସେ ଅନେକ ବେଳ ଧରି ଶୋଇଥିବା ହେତୁ ଘରର ସବୁକାମ ବାକି ପଡ଼ିଛି । ତତ୍ପର ହୋଇ ପଦ୍ମିନୀ କାମରେ ଲାଗିପଡ଼ିଲା ।
ସବୁ କାମ ଶେଷ କରିବାକୁ ତାକୁ ପ୍ରାୟ ଦୁଇଘା ସମୟ ଲାଗିଲା । ପଣତ କାନିରେ ହାତ ପୋଛି ପୋଛି ସେ ସରୋଜଙ୍କ ପାଖକୁ ଯାଇ ଦେଖିଲା, ସେ ଗଭୀର ନିଦରେ ଶୋଇଛନ୍ତି ।
ପଦ୍ମିନୀ ଅଗଣାକୁ ଲେଉଟି ଆସିଲା ।
ଶ୍ରାବଣ ମାସର ଇଷତ୍ ମେଘଭରା ଆକାଶ । ଗୋଟିଏ ଗୋଟିଏ ତାରା କାଁ ଭାଁ ଫୁଟିଲା ଫୁଟିଲା ହେଇ ଦିଶୁଛନ୍ତି । ହୁଏତ ଆଉ କିଛି ସମୟ ପରେ ଆକାଶ ମେଘମୁକ୍ତ ହୋଇଗଲେ, ନଭମଣ୍ଡଳକୁ ତାରକିତ କରି ଅସଂଖ୍ୟ ନକ୍ଷତ୍ର ଫୁଟି ଉଠିବେ ।
କ୍ରମଶଃ
Comments are closed.