ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ମଧ୍ୟରେ ଏପ୍ରିଲ ୩ରୁ ରାଜ୍ୟ ପାଇଁ ପୁଞ୍ଜିନିବେଶ ପାଇଁ ଏକ ସପ୍ତାହ ପାଇଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୯ ତାରିଖରେ ସେ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏପ୍ରିଲ ୩ରୁ ନବୀନ ଜାପାନ ଅଭିମୁଖେ ବାହାରିବେ। ଏପ୍ରିଲ ୫ ତାରିଖରେ ଟୋକିଓରେ ଏକ ବ୍ୟବସାୟିକ ସମ୍ମିଳନୀ ଓ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଦୁଇ ଦିନ ଟୋକିଓରେ ରହିବା ପରେ ନବୀନ ଓସାକା ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟବସାୟିକ ଓ ସରକାରୀ ବୈଠକରେ ମଧ୍ୟ ଯୋଗ ଦେବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ମଧ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କିୟୋଟୋ ଗସ୍ତରେ ଯିବେ ବୋଲି ସୂଚନା ରହିଛି।
ତାଙ୍କ ସହ ଜଣେ ଅଧିକାରୀ ଓ ବ୍ୟବସାୟୀ ପ୍ରତିନିଧି ଟିମ୍ ଯିବାର ସମ୍ଭାବନା ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଯାଏ ଚୂଡ଼ାନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ କି ଗସ୍ତ ନେଇ କୌଣସି ସରକାରୀ ଘୋଷଣା ହୋଇନି।
ଜାପାନର ଶୀର୍ଷ ନିବେଶକମାନଙ୍କ ସହ ତାଙ୍କର ବୈଠକରେ ରାଜ୍ୟକୁ ବିପୁଳ ପରିମାଣର ନିବେଶ ପ୍ରସ୍ତାବ ମିଳିବ ବୋଲି ଆଶା କରାଯାଉଛି। ୨୦୧୮ ଓ ଗତବର୍ଷ ରାଜ୍ୟର ପ୍ରମୁଖ ବ୍ୟବସାୟିକ ସମ୍ମିଳନୀ ‘ମେକ୍-ଇନ୍-ଓଡ଼ିଶା କନକ୍ଲେଭ’ରେ ଜାପାନ ସହଭାଗୀ ହୋଇଥିଲା। ନିକଟରେ ହୋଇଥିବା ମେକ୍-ଇନ୍-ଓଡ଼ିଶା କନକ୍ଲେଭରେ ଜାପାନ ଯୋଗ ଦେଇଥିଲା। ନବୀନ ଏବେ ଗସ୍ତ କରି ପୁଞ୍ଜି ନିବେଶ ବାବଦରେ ସମୀକ୍ଷା କରିବେ।
Comments are closed.