ଭୁବନେଶ୍ୱର: ପୁଣିଥରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଫାଇଭ-ଟି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ୨୦୧୪ରେ ମୁଖ୍ୟ ଶାସନ ସଚିବ ପଦ ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୬ରେ ଅବସର ଗ୍ରହଣ କରିଥିବା ଯୁଗଳ କିଶୋର ମହାପାତ୍ର ‘ଓଡ଼ିଶା ସମ୍ବାଦ’ ଓ ‘ଓଡ଼ିଶା ବାଇଟସ’ର ଗ୍ରୁପ ଏଡିଟର ସନ୍ଦୀପଙ୍କ ସହ ଜବାବ ସୁଆଲ କାର୍ଯ୍ୟକ୍ରମରେ ଅନେକ କିଛି କହିଛନ୍ତି। ଯାହା ଆଗାମୀ ଦିନରେ ବିରୋଧୀଙ୍କୁ ବଳ ଯୋଗାଇପାରେ ଆଉ ଶାସକ ଦଳକୁ ଅଡୁଆରେ ପକାଇପାରେ।
ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ସମୀକ୍ଷା ହେଉ ଅବା ରୂପାନ୍ତରିତ ପ୍ରକ୍ରିୟାରେ ଫାଇଭ-ଟିର ଗୋଟିଏ ପ୍ରମୁଖ ଭୂମିକା ରହୁଛି। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ ଟି ସଚିବ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ଯାହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଉଛନ୍ତି। ଏମିତିକି ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଫାଇଭ-ଟି ଯଦି ଗୋଟିଏ ବିଭାଗ ଏହାର ଅଫିସ କେଉଁଠି ଏବଂ କେତେ ଜଣ କର୍ମଚାରୀ ରହିଛନ୍ତି। ଆଉ ସମସ୍ତ ବିଭାଗରେ ଫାଇଭ-ଟି କିପରି ମୁଣ୍ଡ ପୁରାଉଛି। ଜବାବରେ ସରକାର କହିଥିଲେ ଫାଇଭ-ଟି ଗୋଟିଏ ଚିନ୍ତାଧାରା।
ସେହିପରି ପୂର୍ବତନ ମୁଖ୍ଯ ପ୍ରଶାସକ ବିଜୟ ପଟ୍ଟନାୟକ ମଧ୍ୟ ଫାଇଭ-ଟିକୁ ନେଇ ଅନେକ ପ୍ରଶ୍ନ ଉଠାଇସାରିଛନ୍ତି। ଏବେ ଏହି ଧାରାରେ ଯୁଗଳ କିଶୋର ଯୋଡ଼ି ହୋଇଛନ୍ତି।
ସେ ସନ୍ଦୀପଙ୍କ ସହ ଜବାବ ସୁଆଲ କାର୍ଯ୍ୟକ୍ରମ ଜରିଆରେ ଅପିଲ କରିଛନ୍ତି ଯେ, ଫାଇଭ-ଟି କିଭଳି ଶାସନ ବ୍ୟବସ୍ଥା। ଏହା ସରକାର ସ୍ପଷ୍ଟୀକରଣ ରଖିବା ଜରୁରୀ। ସେହିପରି ଯେଉଁ ପ୍ରଶାସନିକ ଅଧିକାରୀ ଚାକିରିରେ ଥାଇ ରାଜନୈତିକ କାର୍ଯ୍ୟରେ ସକ୍ରିୟ ରହିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଯୁଗଳ କିଶୋର କହିଛନ୍ତି।
ଏଥିସହ ସେ କହିଛନ୍ତି, ୨୦୧୪ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଗାଯୋଗରେ ନାହାନ୍ତି।