Latest Odisha News

ଏମିତି ଏକ ଷ୍ଟେସନ: ଯେଉଁଠି ଯାତ୍ରୀ କରନ୍ତି ଟିକେଟ, ହେଲେ ଯାତ୍ରା କରନ୍ତି ନାହିଁ

ୟୁପି: ବିନା ଟିକେଟରେ ଆପଣ ଟ୍ରେନରେ ଯାତ୍ରା କରିବା ବେଆଇନ । ସେଥିଲାଗି ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ ଜରୁରୀ । କିନ୍ତୁ ୟୁପିରେ ଏମିତି ଏକ ରେଳ ଷ୍ଟେସନ୍ ଅଛି ଯେଉଁଠାରେ ଲୋକମାନେ ଟିକେଟ୍ କିଣୁଛନ୍ତି କିନ୍ତୁ ଯାତ୍ରା କରନ୍ତି ନାହିଁ । ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଉଦ୍ୟମରେ ୟୁପିର ଦିନଲପୁରଠାରେ ଏକ ରେଳ ଷ୍ଟେସନ ନିର୍ମାଣ କରାଯାଇଥିଲା । ସମୟ ଗଡିବା ସହିତ ଦିନଲପୁର ରେଳ ଷ୍ଟେସନର ଅସ୍ତିତ୍ୱ ଏକ ସଙ୍କଟ ଦେଇ ଗତି କରିବାକୁ ଲାଗିଲା । ଶେଷରେ ୨୦୦୬ ମସିହାରେ ଦିନଲପୁର ରେଳ ଷ୍ଟେସନ ବନ୍ଦ ହୋଇଗଲା । କାରଣ ଥିଲା ଏଠାରୁ କମ୍ ଟିକେଟ୍ ବିକ୍ରି ହେବା ।
୨୦୨୦ ମସିହାରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦ୍ୟମରେ ପୁଣି ଏହି ଷ୍ଟେସନ୍ କାର୍ଯ୍ୟକ୍ଷମ ହେଲା । ବର୍ତ୍ତମାନ ଏହି ଅଞ୍ଚଳ ଲୋକଙ୍କ ମନରେ ଗୋଟିଏ ଭୟ ଯେ, ଏହି ଷ୍ଟେସନ ଆଉ ବନ୍ଦ ହେବନି ତ । ଏଥିପାଇଁ ଗାଁର ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଟିକେଟ କିଣୁଛନ୍ତି । କେବଳ ଟିକେଟ୍ କିଣିବାର ମାନ ପୂରଣ କରିବା ପାଇଁ ସ୍ଥାନୀୟ ଲୋକମାନେ ସେମାନଙ୍କ ତରଫରୁ ଟିକେଟ୍ କିଣୁଛନ୍ତି । କିନ୍ତୁ ସେମାନେ କେବେବି ଯାତ୍ରା କରନ୍ତି ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାକାର ଲୋକେ ପ୍ରତି ମାସରେ ପ୍ରାୟ ୭୦୦ ଟଙ୍କା ମୂଲ୍ୟର ଟିକେଟ୍ କିଣିଥାନ୍ତି । ଯାହାଫଳରେ ଷ୍ଟେସନ ଆଉ ବନ୍ଦ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ଏହି ଷ୍ଟେସନରେ ଏବେ ଗୋଟିଏ ଟ୍ରେନର ରହଣୀ ହେଉଛି । ଆଗକୁ ଅଧିକ ଟ୍ରେନର ରହଣୀ ପାଇଁ ଦାବି ହୋଇ ଆସୁଛି ।

Comments are closed.