ଭୁବନେଶ୍ୱର: କୋଠା ନିର୍ମାଣ ଯୋଜନା ଅନୁମୋଦନରେ ଅଯଥା ବା ଜାଣିଶୁଣି ବିଳମ୍ବ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ସରକାର କଡ଼ା ଚେତାବନୀ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଉଷା ପାଢ଼ୀ ଏକ ସମୀକ୍ଷା ବୈଠକରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପଡ଼ି ରହିଥିବା ଆବେଦନର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ଅନୁଷ୍ଠିତ ଏକ ବୈଠକରେ OBPAS ଆବେଦନଗୁଡ଼ିକର ବିଚାର ସମୀକ୍ଷା କରି, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢୀ ଅନୁମୋଦନ ପ୍ରକ୍ରିୟାରେ ଅଧିକ ଦାୟିତ୍ୱ, ସ୍ୱଚ୍ଛତା ଏବଂ ଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ଲାଇନ୍ ବିଲ୍ଡିଂ ପ୍ଲାନ୍ ଆପ୍ରୁଭାଲ୍ ସିଷ୍ଟମ୍ (OBPAS) ଅଧୀନରେ ୭ ଦିନରୁ ଅଧିକ ସମୟ ଧରି ପଡ଼ି ରହିଥିବା ଆବେଦନଗୁଡ଼ିକର ତୁରନ୍ତ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ (Development Authorities), ମହାନଗର ନିଗମ ଏବଂ ପୌରାଞ୍ଚଳ (ULBs) ସ୍ତରରେ ହେଉଥିବା ବିଳମ୍ବକୁ ଚିହ୍ନଟ କରି ଦାୟୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ କୁହାଯାଇଛି।
ଆବେଦନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦକ୍ଷତା ଆଣିବା ପାଇଁ ଡିଜିଟାଲ୍ ଫାଇଲ୍ ଟ୍ରାକିଂ ବ୍ୟବସ୍ଥାକୁ ଉନ୍ନତ କରିବା ସହ ‘ସୁଯୋଗ’ (SUJOG) ପ୍ଲାଟଫର୍ମକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ଘର ନିର୍ମାଣ ପ୍ଲାନ୍ ଅନୁମୋଦନ ନ କଲେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଦୈନିକ ୨୫୦ ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ ଏବଂ ଫାଇଲ୍ଟି ସ୍ୱୟଂଚାଳିତ ଭାବେ ଅନ୍ୟ ଅଧିକାରୀଙ୍କ ନିକଟକୁ ସ୍ଥାନାନ୍ତର ହେବ। ଏହି ସମୀକ୍ଷା ବୈଠକରେ ପଡ଼ି ରହିଥିବା ଆବେଦନଗୁଡ଼ିକର ବର୍ତ୍ତମାନର ସ୍ଥିତି ଏବଂ ପ୍ରକ୍ରିୟାଗତ ବାଧାବିଘ୍ନ ଦୂର କରି ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।
