କୋରାପୁଟ: ବାହାଘରର ପ୍ରମୁଖ ଆକର୍ଷଣ ଥାଏ ଏହାର ସାଜସଜ୍ଜା । ଅନେକ ପ୍ରକାର ସାଜସଜ୍ଜା ଆପଣ ଦେଖିଥିବେ । ହେଲେ ଏମିତି ସାଜସଜ୍ଜା କେବେ ଦେଖି ନ ଥିବେ । ଯେତିକି ନିରାଡମ୍ବର, ସେତିକି ଆକର୍ଷଣୀୟ । ଏମିତି ଏକ ବାହାରଘର ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମଙ୍ଗଳପୁର ଗାଁରେ ।
ଏଇ ଗାଁରେ ଗତ କିଛି ବର୍ଷ ହେଲା ବାହାଘର ହୋଇ ନ ଥିଲା । ଚଳିତ ବର୍ଷ ଏକ ବାହାଘର ହେଉଛି । ତେଣୁ ଗାଁର ସବୁ ଘରେ ଯେମିତି ଉତ୍ସବର ମାହୋଲ । ସାରା ଗାଁ ସଜା ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗାଁ ସାଜସଜା ପାଇଁ ଡିଜେ ବାଜା ବା ସାଉଣ୍ଡ ନାହିଁ । ସାରା ଗାଁ ସଜା ହୋଇଛି ରଙ୍ଗବେରଙ୍ଗ ନୂଆ ଶାଢୀରେ ।
ଏପ୍ରିଲ ମାସରେ ଖରା ଜୋର । ଏହି ଖରାରୁ ରକ୍ଷା ପାଇବା ପାଇଁ ଗାଁରେ ତାଳପତ୍ରରେ ଛାମୁଣ୍ଡିଆ ହୋଇଛି । ତା ସହିତ ବଡ ବଡ ବାଉଁଶ ପୋତି ରଙ୍ଗ ବେରଙ୍ଗର ଶାଢୀରେ ସାରା ଗାଁ ଝଲସୁଛି । ସାରା ଗାଁ ଲୋକ ମିଶି ଏପରି ସଜେଇଛନ୍ତି । ଏପରି ସଜାବଟ ଖାଲି ବିବାହକୁ ସ୍ୱତନ୍ତ୍ର କରିନି, ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ସୃଷ୍ଟି କରିଛି ।
ପାହାଡ ଉପରେ ରହିଛି ମଙ୍ଗଳପୁର ଗାଁ । ଏହି ଗାଁରେ ରୁହନ୍ତି ୩୬ କନ୍ଧ ପରିବାର । ଗାଁର ଦୁଇମୁଣ୍ଡରେ ଥିବା ଦୁଇ ପରିବାର ମାସି ନାଚିକା ଏବଂ ଟିକା କେନ୍ଦୁକା । ଦୁଇ ପରିବାର ଭିତରେ ବୁଝାମଣା ହେବା ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଥିଲା ତାଙ୍କର ବାହାଘର । ହେଲେ ତିନିଦିନ ହେଲା ଚାଲିଥିଲା ଗାଁ ସଜା । ଯେହେତୁ ଟେଣ୍ଡ ବାଲା ପାହାଡ ଉପରକୁ ଆସିବନି ତେଣୁ ସାରା ଗାଁ ଲୋକ ମିଶି ସାଜସଜ୍ଜା କରିଥିଲେ । ପ୍ରତିଘର ପକ୍ଷରୁ ୩ଟି ଲେଖାଏ ଶାଢୀ ବଜାରରୁ କିଣି ଆଣି ଗାଁ ସଜାଇଥିଲେ । ସବୁ ପରିବାର ଦୁଇଦିନ ତଳେ ସ୍ଥାନୀୟ ବୋର୍ଗୀ ହାଟରେ ଝାଡୁ ବିକ୍ରି କରିଥିଲେ । ଏହି ଅର୍ଥରେ ସମସ୍ତେ ଶାଢୀ କିଣିଥିଲେ । ଶେଷରେ ସେହି ଶାଢୀକୁ ସେମାନେ ଉପହାର ଆକାରରେ ନବଦମ୍ପତିଙ୍କୁ ଦେଇଥିଲେ ।
Comments are closed.