ଭୁବନେଶ୍ୱର: ବଢୁଥିବା ତାପମାତ୍ରା ଏବଂ ଆଇଏମଡି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ଆକଳନ କରିବା ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। କିନ୍ତୁ ବଢୁଥିବା ତାପମାତ୍ରାକୁ ଦେଖି ରାଜ୍ୟ ସରକାର ୧୬ ତାରିଖ ଯାଏ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜି ୪୧.୬ ଡିଗ୍ରୀ ସହ ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ, ସମ୍ବଲପୁର ୪୦.୮, ଭୁବନେଶ୍ୱର ୪୦.୭ ଡିଗ୍ରୀ, ବୈଦ୍ଧ ୪୦.୫ ଡିଗ୍ରୀ, ଟିଟିଲାଗଡ ୪୦.୫ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, କଟକ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସୋମବାର ଓଡ଼ିଶାର ଦୁଇଟି ସ୍ଥାନ ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୪୦.୪ ଓ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଦୀର୍ଘ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଲୋକେ ମଧ୍ୟାହ୍ନ ସମୟରେ ଘର ଭିତରେ ରହିବା, ଅଧିକ ସମୟ ଖରାରେ ରହିବାରୁ ଦୂରେଇ ରହିବା, ଜଳାଭାବରୁ ରକ୍ଷା ପାଇବା ଭଳି ପଦକ୍ଷେପ ନେଉଛନ୍ତି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଅବଲମ୍ବନ କରିବା ସହ ସୁରକ୍ଷିତ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
Comments are closed.