Latest Odisha News

ରଥ ପାଇଁ ବୈଠକ, ଫୋକସରେ ଭିଡ଼ ନିୟନ୍ତ୍ରଣ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା।

ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକରେ ୨୧ ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପରୁ ବୈଠକ ଆରମ୍ଭ ହୋଇଥିଲା। ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।

ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୧୫୬ ଖଣ୍ଡ ଓ ଖପୁରିଆ କରତ କଳକୁ ୮୧ ଖଣ୍ଡ କାଠ ଆସିଛି। ଭବିଷ୍ୟତରେ କେତେ ବର୍ଷ ପାଇଁ ରଥ କାଠ ମହଜୁଦ ଅଛି ଓ କେତେ କାଠ ଆବଶ୍ୟକ ସେ ନେଇ ଉପସ୍ଥିତ ସଦସ୍ୟ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସ୍ଥିତି ନେଇ ଡାଟା ବେସ ପ୍ରସ୍ତୁତ ହେଉଥିବା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୂଚନା ଦେଇଛନ୍ତି।

ଗୁଜରାଟର ଅହମଦାବାଦରୁ ୩୦୦୦ ମିଟର ରଥକନା ଆସିବ। ୨୦୦ କିଲୋ ଝୁଣା ମହଜୁଦ୍ ଅଛି। ସେହିପରି ତାମିଲନାଡୁରୁ ୩୦୦ କେ.ଜି ଚନ୍ଦନ କାଠ ଆସିବ। ୧୪ ଟି ରଥଟଣା ଓ ୬ଟି ଇନର ଓ ଆଉଟର କର୍ଡନ ଦଉଡ଼ି ପାଇଁ କୁହାଯାଇଛି। ରଥଯାତ୍ରା ସମୟରେ ୩୦ ଜଣ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା କରାଯାଇଛି। ସେହିପରି ପହଣ୍ଡି ଓ ଗୁଣ୍ଡିଚା ମନ୍ଦିରରେ‌ ୯ ଦିନ ମହାପ୍ରଭୁ ରହିବା ସମୟରେ ସେବାୟତଙ୍କ ପାଇଁ ବୀମା କରାଯିବ।

ସ୍ୱାସ୍ଥ୍ୟ ବିଭାଗକୁ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା। ସଦର ମୁଖ୍ୟ ଚିକିତ୍ସାଳୟରେ ୨୯ ଟି ଆମ୍ବୁଲାନ୍ସ ଓ ଜିଲ୍ଲାରେ ୫୦ ଟି ୧୦୮ ଆମ୍ବୁଲାନ୍ସ ଥିବା ସିଡିଏମଓ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ସେବା, ଔଷଧ ଯୋଗାଣ ଓ ଡାକ୍ତର ଅଭାବକୁ ନେଇ ଅଧିକାଂଶ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ।

ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି। ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି। ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ।

ବିଦ୍ୟୁତ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି। ସହରକୁ ତିନୋଟି ଗ୍ରୀଡ୍ ଓ ସାତୋଟି ସବଗ୍ରୀଡ ମାଧ୍ୟମରେ ବିଦ୍ୟୁତ ଯୋଗାଣ ହେଉଛି। ବିଦ୍ୟୁତ ସମସ୍ୟା ସମାଧାନ ନେଇ ଟାଟା ପାୱାର ଅଧିକାରୀଙ୍କ ସହ ଖୁବଶୀଘ୍ର ଉପଜିଲ୍ଲାପାଳ ବୈଠକ କରିବେ। ରଥଯାତ୍ରା ସମୟରେ ସ୍ବତନ୍ତ୍ର ବସ୍‌ ଚଳାଚଳ ନିର୍ଦ୍ଧାରିତ ରେଟ ଚାର୍ଟ, ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର କ୍ରେନ୍ ନିୟୋଜିତ ହେବ।

ପୂର୍ବତଟ ରେଳବାଇ ପକ୍ଷରୁ ରଥଯାତ୍ରା ସମୟରେ ୨୦୫ରୁ ୨୧୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡିଓ ୱାଲ୍ ସହ ୩୫ଟି ଟିକେଟ ବୁକିଙ୍ଗ କାଉଣ୍ଟର କରାଯିବ। ଏଥିସହିତ ୬ଟି ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ। ଶାନ୍ତିଶୃଙ୍ଖଳା ରକ୍ଷା, ଆଇନଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡର ୫ରୁ ୭ଟି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସହର ସିସିଟିଭି କ୍ୟାମେରା ବଳୟରେ ରହିବ।

ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ, ସ୍ଥାନୀୟ ବିଧାୟକ, ଦେବୋତ୍ତର କମିସନର, ଜିଲ୍ଲାପାଳ, ଏସପି ଉପସ୍ଥିତ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.