ନୂଆଦିଲ୍ଲୀ: ଋଷ ବିରୋଧରେ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍ ଏବେ ସିଧାସଳଖ ଭାରତର ସହଯୋଗ ଲୋଡ଼ିଛି। ଭାରତ ଯୁଦ୍ଧରେ ହସ୍ତକ୍ଷେପ କରୁ ଓ ଚିକିତ୍ସା ଉପକରଣ ସହ ଅତିରିକ୍ତ ମାନବୀୟ ସହାୟତା ପଠାଉ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଏହି ଚିଠି ଭାରତର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କୁ ଦେଇଛନ୍ତି ୟୁକ୍ରେନ ଡେପୁଟି ବିଦେଶ ମନ୍ତ୍ରୀ ଏମିନ ଦଝାପୋରଭା। ଏମିନ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ମିନାକ୍ଷୀଙ୍କୁ ଭେଟି ଚିଠି ଦେବା ସହ ଭାରତର ସହଯୋଗ ଲୋଡ଼ିଛନ୍ତି।
ଏହି ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶର ହିତକୁ ନେଇ ଆଲୋଚନା ହୋଇଥିଲା। ମିନାକ୍ଷୀ ଲେଖି ଅତିରିକ୍ତ ସହାୟତା ପାଇଁ ଆଶ୍ୱାସନା ଦେଇଥିବା ବେଳେ ବୈଠକ ଫଳପ୍ରଦ ହୋଇଥିବା ଝୋପାରୋଭା କହିଛନ୍ତି।
ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ହେବା ପର ଠାରୁ ଝାପୋରଭା ପ୍ରଥମ ୟୁକ୍ରେନୀୟ ଉଚ୍ଚପଦସ୍ଥ ନେତା ଭାବେ ଭାରତ ଗସ୍ତରେ ଆସିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଆଲୋଚନା କରିବା ସହ ମଙ୍ଗଳବାର ଇଣ୍ଡିଆନ କାଉନ୍ସିଲ୍ ଅଫ୍ ୱାର୍ଲ୍ଡ ଏଫେୟାର୍ସ(ICWA)କୁ ସମ୍ବୋଧନ କରିଛନ୍ତି। ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଜେଲେନ୍ସ୍କି ସମ୍ବୋଧନ କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ୟୁକ୍ରେନ୍ ଯୁଦ୍ଧ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଜି-୨୦ ବୈଠକର ଅଧ୍ୟକ୍ଷତା କରୁଥିବା ବିଶ୍ୱ ନେତା ଭାରତ ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ମହାନ ଭୂମିକା ନିର୍ବାହ କରିପାରିବ। ଖୁବ୍ଶୀଘ୍ର ଭାରତ ସରକାରଙ୍କ ଅଧିକାରୀ କିଭ୍ ଗସ୍ତରେ ଯିବେ ବୋଲି ଆଶା କରୁଛୁ ବୋଲି ୟୁକ୍ରେନ୍ ଉପବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ସବୁବେଳେ ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିଆସିଛି। ଏନେଇ ଦୁଇ ଦେଶ ନେତାଙ୍କ ସହ ଫୋନ୍ରେ ଆଲୋଚନା କରିଛି। ଗତବର୍ଷ ଅକ୍ଟୋବର ୪ ତାରିଖରେ ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇ ଭାରତ ଶାନ୍ତି ପ୍ରତିଷ୍ଠା ଦିଗରେ ରାଜି ବୋଲି ବି କହିସାରିଛନ୍ତି।
Comments are closed.